୧କୋଟି ୩୧ ଲକ୍ଷ ବ୍ୟାଙ୍କ ଦୁର୍ନୀତି ଘଟଣା: ୫ ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲଦଣ୍ଡ, ୨୭ ଲକ୍ଷ ଟଙ୍କା ଲେଖାଏଁ ଜରିମାନା

ଜରିମାନା ଅନାଦେୟ ପ୍ରତ୍ୟେକଙ୍କୁ ଅତିରିକ୍ତ ୪ ବର୍ଷ ଦଣ୍ଡାଦେଶ

ବାରିପଦା: ଜଳନିଧି ଯୋଜନାରେ ହିତାଧିକାରୀଙ୍କୁ ୧ଲକ୍ଷ ଟଙ୍କାର ସହୟତା ରାଶି ପ୍ରଦାନକୁ ନେଇ ଝାରପୋଖରିଆ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ହୋଇଥିବା ୧କୋଟି ୩୧ ଲକ୍ଷ ଟଙ୍କାର ବିରାଟ ହଡ଼ପ ଘଟଣାରେ ଜଣେ ମହିଳାଙ୍କ ସମେତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ଜେଲଦଣ୍ଡ ହୋଇଛି। ଏଥି ସହିତ ଅଭିଯୁକ୍ତମାନଙ୍କୁ ୨୭ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଜରିମାନା ଅନାଦେୟ ପ୍ରତ୍ୟେକଙ୍କୁ ଅତିରିକ୍ତ ୪ ବର୍ଷ ଦଣ୍ଡାଦେଶ ଦେଇଛନ୍ତି ବାରିପଦା ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ (ସିଜେଏମ୍‌) ବିକାଶ ଚନ୍ଦ୍ର ଦେ। ଅଭିଯୁକ୍ତମାନେ ହେଲେ ଓରିଏଣ୍ଟାଲ୍‌ ମେସିନାରୀ ସପ୍ଲାୟରସର ଦୁଇ ପରିଚାଳକ ତଥା ସମ୍ପର୍କରେ ବାପ ପୁଅ ବଙ୍ଗାଳି ଜେନା ଓ ସୁଶାନ୍ତ ଜେନା, ତତ୍କାଳୀନ ବ୍ୟାଙ୍କ୍‌ ମ୍ୟାନେଜର୍‌ ଗିରିଜା ଶଙ୍କର ମିଶ୍ର, ତତ୍କାଳୀନ ଫିଲ୍‌ଡ ଅଧିକାରିଣୀ ଶତରୂପା ମହାନ୍ତି ଏବଂ ଜଣେ ଏଜେଣ୍ଟ୍‌ ସତ୍ୟାନନ୍ଦ ପାତ୍ର।

ଆର୍ଥିକ ବର୍ଷ ୨୦୧୨-୧୩ରେ ହୋଇଥିବା ଏହି ବହୁଚର୍ଚ୍ଚିତ ହଡ଼ପ ଘଟଣାରେ ଆଜି ସିଜେଏମ୍‌ ବିକାଶ ଚନ୍ଦ୍ର ଦେ ରାୟ ଶୁଣାଇଛନ୍ତି। ଜରିମାନା ରାଶି ବାବଦକୁ ଆଦାୟ ଅର୍ଥ ସଂପୃକ୍ତ ଝାରପୋଖରିଆ ବ୍ୟାଙ୍କ୍‌ ଅଫ ଇଣ୍ଡିଆ ଶାଖାରେ ଜମା କରାଯିବାକୁ ସିଜେଏମ୍‌ ଆଦେଶ ଦେଇଛନ୍ତି।

ଝାରପୋଖରିଆ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାର ତତ୍କାଳୀନ ମ୍ୟାନେଜର୍‌ ସୀତାକାନ୍ତ ମହାନ୍ତିଙ୍କ ଅଭିଯୋଗକ୍ରମେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଇକୋନମିକ୍‌ ଅଫେନ୍‌ସ୍‌ ଉଇଙ୍ଗ୍‌(ଇଓଡବ୍ଲ୍ୟୁ) ଏହି ଘୋଟାଲାର ତଦନ୍ତ ଭାର ନେଇଥିଲା। ତଦନ୍ତରେ ଓରିଏଣ୍ଟାଲ୍‌ ମେସିନାରୀ ସପ୍ଲାୟର ପରିଚାଳକ ବାପ ପୁଅ ବଙ୍ଗାଳୀ ଜେନା ଏବଂ ସୁଶାନ୍ତ ଜେନା ଜଳନିଧି ଯୋଜନାରେ ସ୍ଥାନୀୟ ୧୩୧ ଚାଷୀଙ୍କୁ ଋଣ ଯୋଗାଇଦେବାକୁ କହି ଝାରପୋଖରିଆ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ ୧କୋଟି ୩୧ ଲକ୍ଷ ଟଙ୍କାର ଋଣ ନେଇଥିଲେ। ମାତ୍ର ଏହି ଟଙ୍କାକୁ କୌଣସି ଚାଷୀଙ୍କୁ ନଦେଇ ଆତ୍ମସାତ କରିଦେଇଥିଲେ। ଏହି ବିରାଟ ଠକାମୀରେ ଉକ୍ତ ବାପ ପୁଅଙ୍କୁ ବ୍ୟାଙ୍କର ତତ୍କାଳୀନ ମ୍ୟାନେଜର୍‌ ଗିରିଜା ଶଙ୍କର ମିଶ୍ର ଏବଂ ଫିଲ୍‌ଡ ଅଧିକାରିଣୀ ଶତରୂପା ମହାନ୍ତି ସହଯୋଗ କରିଥିଲେ। ଏଜେଣ୍ଟ୍‌ ସତ୍ୟାନନ୍ଦ ମହାନ୍ତି ଏହି ସ୍କାମ୍‌ରେ ଚାଷୀମାନଙ୍କ ସହିତ ଯୋଗାଯୋଗ କରିଥିଲେ। ତେବେ ସ୍ଥାନୀୟ କିଛି ହିତାଧିକାରୀ ଜଳନିଧି ଯୋଜନାରେ କୌଣସି ଆର୍ଥିକ ସହାୟତା ପାଇନଥିବା ଅଭିଯୋଗ କଲାପରେ ଏହି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର