ବାରିପଦା ସହର ଭିତରେ ହାତୀ, ରାଜରାସ୍ତାରେ ଗଜରାଜ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ହାତୀମାନଙ୍କ ଉପଦ୍ରବ ଘଟଣା ଅନେକ ସମୟରେ ଚର୍ଚ୍ଚାର ବିଷୟ ହୋଇ ରହିଛି। ହେଲେ ଆଜି ସକାଳେ ବାରିପଦା ସହରର ଉପକଣ୍ଠରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ।

ସକାଳୁ ସକାଳୁ ଗୋଠଛଡା ଏକ ଦନ୍ତା ହାତୀକୁ ୧୮ ନମ୍ବର ଜାତୀୟ ରାଜପଥସ୍ଥିତ ଦାରଗାଡେଇ ଗୋଳେଇ ନିକଟରେ ଚାଲୁଥିବାର ଦେଖି ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ତେବେ ମିଳୁଥିବା ସୂଚନା ଅନୁସାରେ ହାତୀଟି ଦେଉଳି ରେଞ୍ଜ ଲକ୍ଷ୍ମୀପୋଷି ଜଙ୍ଗଲରୁ ଗୋଠ ଛାଡ଼ି ସହର ମୁହାଁ ହୋଇଥିଲା। ଏହି ଖବର ପାଇ ବାରିପଦା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇ ଥିଲେ। ତେବେ ବର୍ତମାନ ହାତୀଟି କୁଳିଅଣା ବ୍ଲକ ଅଧୀନ ଅସନଯୋଡ଼ାଠାରେ ଥିବାର ସୂଚନା ମିଳିଛି। ଏହି ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଏଣେ ଗତକାଲି ମୟୂରଭଞ୍ଜ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଏକ ଉଦ୍ଧା‌ର ମାଈ ହାତୀଛୁଆର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଆଜି ରାସଗୋବିନ୍ଦପୁର ରେଞ୍ଜ ନଳଗଜା ବିଟ୍‌ ଅଧୀନ ଭାଲିଆପଦାଠାରେ ବର୍ଷକର ମାଈ ହାତୀଛୁଆକୁ ଏକୁଟିଆ ବୁଲୁଥିବା ଦେଖିଥିଲେ।ତେବେ ହାତୀଛୁଆଟି ଅସୁସ୍ଥ ଥିବା‌ ଜଣାପଡ଼ିବା ପରେ ବନବିଭାଗ ପକ୍ଷରୁ ତାର ଚିକିତ୍ସା ଆରମ୍ଭ ହୋଇଥିଲା। ଡିଏଫ୍‌ଓ ସ୍ବୟଂ ମଲ୍ଲିକ ସ୍ଥିତି ଅନୁଧ୍ୟାନ କରିବା ସହ ହାତୀଛୁଆର ସୁରକ୍ଷା ପାଇଁ ତାକୁ ଟ୍ରାକ୍ଟର ଯୋଗେ ମୋରଡ଼ାସ୍ଥ ରେଞ୍ଜ କାର୍ଯ୍ୟାଳୟ ଅଧୀନ ବଳଦିଆସ୍ଥ ନର୍ସରୀକୁ ନିଆଯାଇଥିଲା। ହେଲେ, ଚିକିତ୍ସା ଚାଲିଥିବା ବେଳେ ହାତୀଛୁଆଟି ସନ୍ଧ୍ୟାରେ ଆଖି ବୁଜିଥିବା ଜଣାପଡ଼ିଥିଲା। ଶବ ବ୍ୟବଚ୍ଛେଦ ପରେ ହାତୀଛୁଆଟିକୁ ପୋତି ଦିଆଯିବ।

ସମ୍ବନ୍ଧିତ ଖବର