ବାରିପଦା ଟ୍ରିପଲ ମର୍ଡର ମାମଲା : ଆଜୀବନ କାରାଦଣ୍ଡାଦେଶ ରାୟ ହାଇକୋର୍ଟରେ ରଦ୍ଦ

କଟକ : ଅପରାଧ ମାମଲାର ଟ୍ରାଏଲ ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଉପଯୁକ୍ତ ଆଇନଗତ ସହାୟତା ମିଳିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଅର୍ଥନୈତିକ ବା ଅନ୍ୟ କୌଣସି କାରଣରୁ ଯଦି ଜଣେ ଅଭିଯୁକ୍ତ ନିଜ ମାମଲା ପରିଚାଳନା ପାଇଁ ଓକିଲ ନିଯୁକ୍ତ କରିବାରେ ବିଫଳ ହୁଏ, ତେବେ ତାଙ୍କୁ ମାଗଣାରେ ଆଇନଗତ ସହାୟତା ଯୋଗାଇଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ଉଚିତ। ସମ୍ବିଧାନର ଧାରା ୩୯(କ)ରେ ମାଗଣା ଆଇନ ସହାୟତା ବ୍ୟବସ୍ଥା ରହିଛି। ଅର୍ଥନୈତିକ ଓ ଅନ୍ୟ କାରଣରୁ ‌କୌଣସି ନାଗରିକ ଯେପରି ନ୍ୟାୟ ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଏପରି ଆଇନ ସହାୟତା ବ୍ୟବସ୍ଥା ରହିଛି ବୋଲି ହାଇକୋର୍ଟ କହିଛନ୍ତି। ଅଭିଯୁକ୍ତକୁ ନିରପେକ୍ଷ ଓ ଆଇନସମ୍ମତ ଟ୍ରାଏଲର ସୁଯୋଗ ମିଳି ନ ଥିବା ଦର୍ଶାଇ ହାଇକୋର୍ଟ ୨୦୦୫, ଜୁନ୍ ୩୦ରେ ବାରିପଦା ଅତିରିକ୍ତ ଦୌରା ଜଜ୍ (ଏଫ୍‌ଟିସି) ପ୍ରଦାନ କରିଥବା ଆଜୀବନ କାରାଦଣ୍ଡାଦେଶ ରାୟକୁ ରଦ୍ଦ କରିଛନ୍ତି। ଏଥି ସହିତ ମାମଲାର ସାନି ଶୁଣାଣି କରି ତିନିମାସ ଭିତରେ ରାୟ ପ୍ରକାଶ କରିବାକୁ ବାରିପଦା ଦୌରା ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ୍.କେ. ମିଶ୍ର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ହବିଲ ସିନ୍ଧୁଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

ଏଥି ସହିତ ମାମଲାର ଶୁଣାଣି ସମୟରେ ଦୌରା ଜଜ୍ କେତେକ ପ୍ରସଂଗକୁ ବିଚାରକୁ ନେବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଯଦି ଜଣେ ଅଭିଯୁକ୍ତ ଦ୍ବାରା ନିଯୁକ୍ତ ଆଇନଜୀବୀ ମାମଲା ଶୁଣାଣି ସମୟରେ ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କୁ ବାର୍ କାଉନସିଲ ନିୟମାବଳୀ ସହିତ ମହକିଲ, ଅଦାଲତ ଓ ସମାଜ ପ୍ରତି ରହିଥିବା କର୍ତ୍ତବ୍ୟ ପ୍ରସଂଗରେ ସ୍ମରଣ କରାଯିବ। ଷ୍ଟେଟ୍ ଡିଫେନ୍ସ କାଉନସିଲ୍ (ଏସ୍‌ଡିସି) ବା ଆମିକସ୍ କ୍ୟୁରୀଙ୍କ ତାଲିକା ପ୍ରସ୍ତୁତି ବେଳେ ଦୌରା ଜଜ୍ ଯତ୍ନବାନ୍ ହୋଇ ଅତି କମ୍‌ରେ ୧୦ ବର୍ଷର ଅନୁଭବ ଥିବା ଆଇନଜୀବୀଙ୍କୁ ଏଥିରେ ସାମିଲ କରିବେ। ଯଦି ଅଭିଯୁକ୍ତ ଦ୍ବାରା ନିଯୁକ୍ତ ଆଇନଜୀବୀ ଆଇନ ସହାୟତା ପାଇଁ ନ ଆସନ୍ତି, ତେବେ ବିଚାରପତି ଏଥିପାଇଁ ଏସ୍‌ଡିସି ବା ଆମିକସ୍ କ୍ୟୁରୀଙ୍କୁ ନିଯୁକ୍ତି ଦେଇପାରିବେ। ଅଭିଯୁକ୍ତଙ୍କ ପାଇଁ ଓକିଲ ନିଯୁକ୍ତି ସମୟରେ ସଂପୃକ୍ତ ଓକିଲ ସେହି ମାମଲା ପରିଚାଳନା ଲାଗି ସକ୍ଷମ ବୋଲି ଅଦ‌ାଲତର ବିଚାରପତି ସୁନିଶ୍ଚିତ ହେବେ। ଅଭିଯୁକ୍ତଙ୍କ ପାଇଁ ଓକିଲ ନିଯୁକ୍ତି ବେଳେ ଜିଲ୍ଲା ଅଦାଲତ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଏ ସଂପର୍କିତ ତାଲିକାରୁ ଚୟନ ବାଧ୍ୟତାମୂଳକ ରହିବ ନାହିଁ। ଯଦି ତାଲିକାରେ ଥିବା ଆଇନଜୀବୀ ଅଭିଯୁକ୍ତକୁ ମୂଲ୍ୟଯୁକ୍ତ ଆଇନସେବା ପ୍ରଦାନ କରି ପାରିବେ ନାହିଁ ବୋଲି ଅଦାଲତର ବିଚାରପତି ମନେ କରନ୍ତି ତେବେ ସେ ନିଜ ଇଚ୍ଛାରେ ଏଥିପାଇଁ ନିଯୁକ୍ତି ଦେଇ ପାରିବେ ବୋଲି ହାଇକୋର୍ଟ କହିଛନ୍ତି।

ପ୍ରକାଶ୍ୟ ଯେ, ୨୦୦୩, ଜାନୁଆରି ୩ରେ ଯଶିପୁର ଥାନା ଅଞ୍ଚଳରେ ତିନିଜଣଙ୍କ ମୁଣ୍ଡକୁ ହାଣି ହତ୍ୟା କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ହବିଲ ସିନ୍ଧୁଙ୍କୁ ୨୦୦୫, ଜୁନ ୩ରେ ବାରିପଦା ଅତିରିକ୍ତ ଦୌରା ଜଜ୍ (ଏଫ୍‌ଟିସି) ଅଦାଲତ ଆଇପିସିର ଦଫା ୩୦୨, ୨୦୧ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର