ବାରିପଦା ଅର୍ବାନ ବ୍ୟାଙ୍କ ମାମଲା: ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବାରିପଦା ଅର୍ବାନ କୋପରେଟିଭ୍ ବ୍ୟାଙ୍କର ଜମାକାରୀଙ୍କୁ ୮ ସପ୍ତାହ ଭିତରେ ଜମା ଟଙ୍କା ଫେରସ୍ତ କରିବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କର ଲିକ୍ବିଡେଟର ଭାବେ ନିଯୁକ୍ତ କୋଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରାରଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ରିଟ୍ ଅପିଲର ଶୁଣାଣି ସମୟରେ ସେପ୍ଟେମ୍ବର ୭ର ନିର୍ଦ୍ଦେଶ ଅନୁସାରେ ସରକାରଙ୍କ ପକ୍ଷରୁ ବ୍ୟାଙ୍କର ଜମା ଟଙ୍କା ଓ ଜମାକାରୀଙ୍କ ସଂପର୍କିତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରାଯାଇଥିଲା। ‌‌ଏଥିରେ ଦର୍ଶାଯାଇଥିଲା ଯେ, ଜମାକରୀଙ୍କୁ ଟଙ୍କା ଫେରାଇବା ପାଇଁ ହାଇକୋର୍ଟ ପ୍ରଥମେ ଜୁନ୍ ୨୫ରେ ନିର୍ଦ୍ଦେଶ ଦେବା ପରେ ବ୍ୟାଙ୍କର ୨୩୩ ଜମାକାରୀଙ୍କୁ ୩ କୋଟି ୪୬ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିଲା। ଏହାପରେ ଜୁନ୍ ୨୫ର ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଏବେ ବ୍ୟାଙ୍କରେ ମୋଟ ପାଣ୍ଠି ୮୨ କୋଟି ୬୫ ଲକ୍ଷ ୧୫ ହଜାର ୮୨୨ ଟଙ୍କା ରହିଛି। ଏଥିରୁ ୭୨ ହଜାର ଜମାକରୀଙ୍କୁ ୬୮ କୋଟି ୭୮ ଲକ୍ଷ ୨୧ ହଜାର ୭୭୬ ଟଙ୍କା ଫେରସ୍ତ କରାଯାଇ ପାରିବ। ଏଥିସହିତ ରାଜ୍ୟ ସରକାର ବାରିପଦା ଅର୍ବାନ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଆଗ୍ରହୀ ବୋଲି ଦର୍ଶାଯାଇଥିଲା। ବ୍ୟାଙ୍କର ପୁନରୁଦ୍ଧାର ପାଇଁ ସରକାରଙ୍କ ଆଗ୍ରହ ଓ ଜମାଟଙ୍କା ସଂପର୍କିତ ତଥ୍ୟକୁ ଦୃଷ୍ଟିରେ ରଖି ଖଣ୍ଡପୀଠ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦେବା ସହିତ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦାୟର ରିଟ୍ ଅପିଲର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବାରିପଦା ଅର୍ବାନ ବ୍ୟାଙ୍କର ଜମାକାରୀଙ୍କୁ ସେମାନଙ୍କ ଜମାଟଙ୍କା ଫେରାଇବା ପାଇଁ ୨୦୨୦, ଜୁନ୍ ୨୫ରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଜୁନ୍ ୨୫ର ଅନ୍ତରୀଣ ନିର୍ଦ୍ଦେଶକୁ ଚାଲେଞ୍ଜ କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ହାଇକୋର୍ଟରେ ରିଟ୍ ଅପିଲ ଦାୟର କରିଥିଲା। ଜୁଲାଇ ୧୭ରେ ହାଇକୋର୍ଟ ରିଟ୍ ଅପିଲର ଶୁଣାଣି କରି ଜୁନ୍ ୨୫ର ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ସେପ୍ଟେମ୍ବର ୭ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ବ୍ୟାଙ୍କର ଜମା ଟଙ୍କା, ଜମାକାରୀ, କେତେ ଟଙ୍କା ଫେରସ୍ତ କରାଯିବାକୁ ଅଛି ସଂପର୍କରେ ତଥ୍ୟ ଉପସ୍ଥାପନ ପାଇଁ ସରକାରଙ୍କୁ କହିଥିଲେ। ସରକାରଙ୍କ ପକ୍ଷରୁ ଏଜିଏ ବିଭୁ ପ୍ରସାଦ ତ୍ରିପାଠୀ ଓ ଅର୍ବାନ ବ୍ୟାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର