ବାରିପଦା ଅର୍ବାନ୍‌ ବ୍ୟାଙ୍କ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ : ୭୦ ହଜାର ଜମାକାରୀ ଫେରିପାଇବେ ୭୨ କୋଟି

କଟକ/ବାରିପଦା : ବାରିପଦା ଅର୍ବାନ୍‌ ବ୍ୟାଙ୍କ ଜମାକାରୀଙ୍କ ପାଇଁ ଖୁସି ଖବର। ବ୍ୟାଙ୍କରେ ଜମାଥିବା ନିଜର କଷ୍ଟୋପାର୍ଜିତ ଜମାରାଶି ଫେରସ୍ତ ପାଇବା ଘଟଣାର ସମାଧାନ କରିଛନ୍ତି ମାନ୍ୟବର ହାଇକୋର୍ଟ। ୨୦୧୮ ମସିହାରେ ବାରିପଦା ଅର୍ବାନ୍‌ ବ୍ୟାଙ୍କ୍‌ ପରିଚାଳନା କମିଟି ପକ୍ଷରୁ ହାଇକୋର୍ଟରେ ଦାୟର କରାଯାଇଥିବା ଏକ ମାମଲାର ଆଜି ଚୂଡ଼ାନ୍ତ ଶୁଣାଣି କରି ଜଷ୍ଟିସ୍‌ ପ୍ରମୋଦ କୁମାର ପଟ୍ଟନାୟକ ଜମାକାରୀଙ୍କୁ ସେମାନଙ୍କର ଜମାରାଶି ଫେରାଇବା ନିମନ୍ତେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ବ୍ୟାଙ୍କର ମ୍ୟାନେଜମେଣ୍ଟ୍‌ ଇନ୍‌ଚାର୍ଜ (ଏମ୍‌ଆଇସି) ତଥା ମୟୂରଭଞ୍ଜ ଏଡିଏମଙ୍କୁ ଏହି ଜମାରାଶି ଫେରସ୍ତ ଦାୟିତ୍ବ ଦିଆଯାଇଛି। ଦୀର୍ଘବର୍ଷ ଧରି ନ୍ୟାୟାଳୟରେ ବିଚାରାଧୀନ ଏହି ମାମଲାର ସମାଧାନ କରିବାରେ ରାଜ୍ୟ ସରକାର ମଧ୍ୟ ବିଶେଷ ସହାୟତା କରିଥିଲେ।

ହାଇକୋର୍ଟଙ୍କ ଏହି ରାୟ ଫଳରେ ମୟୂରଭଞ୍ଜର ପ୍ରାୟ ୭୦ ହଜାରରୁ ଅଧିକ ଜମାକାରୀ ସେମାନଙ୍କର ଝାଳବୁହା ଅର୍ଥ ଫେରି ପାଇବାର ଆଶା ଉଜ୍ଜ୍ବଳ ହୋଇଛି। ବର୍ତ୍ତମାନ ଅର୍ବାନ ବ୍ୟାଙ୍କ ନିକଟରେ ପ୍ରାୟ ୮୨ କୋଟିରୁ ଅଧିକ ଟଙ୍କା ଜମା ଅଛି। ଏହି ଅର୍ଥ ରାଜ୍ୟ ସମବାୟ ବ୍ୟାଙ୍କ ହେପାଜତରେ ଥିବା ଜଣାପଡ଼ିଛି। ଅଦାଲତଙ୍କ ନି‌ର୍ଦ୍ଦେଶ ପରେ ଜମାକାରୀମାନେ ୭୨ କୋଟିରୁ ଊର୍ଧ୍ବ ଟଙ୍କା ଫେରିପାଇବେ। ବାରିପଦା ଅର୍ବାନ୍‌ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୨୦୧୭ରେ ଦାୟର କରାଯାଇଥିବା ଏହି ମାମଲାରେ ରାଜ୍ୟ ସମବାୟ ବିଭାଗ, ବାରିପଦା ଉପନିବନ୍ଧକ ସମବାୟ ସମିତି, ରିଜର୍ଭ ବ୍ୟାଙ୍କ, ଆପିଲେଟ୍‌ ଅଥରିଟି ଅଫ୍‌ ଫାଇନାନ୍ସ ଡିପାର୍ଟମେଣ୍ଟ୍‌ ପ୍ରମୁଖ ପକ୍ଷଭୁକ୍ତ ଥିଲେ। ଆଜିର ଶୁଣାଣି ବେଳେ ସମସ୍ତ ପକ୍ଷର ଓକିଲ ଓ ଜିଲ୍ଲାର ଚାରିଟି ସବ୍‌ଡିଭିଜନ୍‌ର ଜମାକାରୀ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରକାଶଥାଉକି, ଜମାକାରୀଙ୍କୁ ଅର୍ଥ ଫେରାଇବା ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅଙ୍କୁଶ ଲଗାଯାଇଥିଲା। ଡିସେମ୍ବର ୨୦୧୪ରେ ବ୍ୟାଙ୍କ ନିକଟରେ ୩୬ କୋଟି ଗଚ୍ଛିତ ଥିଲା। ମାତ୍ର ସେତେବେଳ ଜମାକାରୀମାନେ ୫୬ କୋଟି ଟଙ୍କା ଫେରି ପାଇଥାନ୍ତେ। ତେଣୁ ଜମାକାରୀଙ୍କୁ ସେମାନଙ୍କର ଜମାରାଶି ଫେରସ୍ତ ନେଇ ବାରିପଦା ଅର୍ବାନ୍‌ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଙ୍କୁଶ ଲଗାଇଥିଲା।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାନ୍ତି ଓ ଉଷାରାଣୀ ବସ୍ତିଆ ଏବଂ ସରକାରଙ୍କ ତରଫରୁ ଏଜିଏ ବିଭୁପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର