ବାରିପଦା: ପ୍ରାୟ ଚାରିଶହ ବର୍ଷ ହେଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁ ଶ୍ରୀଶ୍ରୀ ହରି ବଳଦେବଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଯେଉଁଠି ଦିନେ ମୟୂରଭଞ୍ଜ ରାଜାଙ୍କ ପୋଷା ହାତୀମାନଙ୍କ ଦ୍ୱାରା ରଥ ଟଣାଯାଉଥିଲା, ସେଇଠି ଏବେ ରଥ ଟାଣିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ଇତିହାସ କହେ, ୧୫୬୮ ମସିହା ବେଳକୁ ବାରିପଦାରେ ଶ୍ରୀଶ୍ରୀ ହରି ବଳଦେବଜିଉଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା। ଯାହା ୭ ବର୍ଷ ଧରି ଚାଲିବା ପରେ ୧୫୭୫ ମସିହାରେ ସରିଥିଲା। ପରେ ପରେ ମହାପ୍ରଭୁଙ୍କର ରଥଯାତ୍ରା ମଧ୍ୟ ହୋଇଥିଲା। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଗୋଟିଏ ଦିନରେ ସମ୍ପନ୍ନ ହେଉଥିବା ବେଳେ ସେହିଦିନ ବାରିପଦାରେ କେବଳ ପହଣ୍ଡି ଅନୁଷ୍ଠିତ ହୋଇଥାଏ। ପର ଦୁଇଦିନ ଲକ୍ଷ ଲକ୍ଷ ଭକ୍ତ ରଥ ଟାଣନ୍ତି। ରଥଟଣାର ପ୍ରଥମ ଦିନରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାଉସୀ ମା’ ଗୁଣ୍ଡିଚା ଦେବୀଙ୍କ ମନ୍ଦିର ଯାଏଁ ଗଡ଼ିଥାଏ। ସେହିପରି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଧାବାଟ; ଟାଉନ୍ ଥାନା ସମ୍ମୁଖରେ ଅଟକିଥାଏ। ଦ୍ବିତୀୟ ଦିନରେ ଅଟକିଥିବା ଦର୍ପଦଳନ ରଥ ଏବଂ ସିଂହଦ୍ବାର ନିକଟରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ମାଉସୀ ମା’ ମନ୍ଦିର ଯାଏଁ ଟାଣି ନିଆଯାଏ।
ବାରିପଦା ରଥଯାତ୍ରା ଏକ ନିଆରା ପରମ୍ପରା ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ତାହା ହେଲା; ୧୯୭୬ ମସିହା ଆନ୍ତର୍ଜାତିକ ମହିଳା ଦିବସଠାରୁ ଏଠାରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନେ ଟାଣନ୍ତି। ଯାହା ସଶକ୍ତ ନାରୀଜାତିର ଭିନ୍ନ ଏକ ପ୍ରତୀକ ବୋଲି ବିଚାର କରାଯାଏ। ବାରିପଦାର ଶ୍ରୀଶ୍ରୀ ହରି ବଳଦେବଜିଉଙ୍କ ରଥଯାତ୍ରା ହେଉଛି ଶ୍ରଦ୍ଧା, ଭକ୍ତି, ସମର୍ପଣର ମହାନ ପର୍ବ। ସବୁବର୍ଷ ଏଠାରେ ଶାନ୍ତିଶୃଙ୍ଖଳାର ସହ ଘୋଷଯାତ୍ରା ଅନୁଷ୍ଠିତ ହେଉଛି। ଆଉ କେଇ ଘଣ୍ଟା ପରେ ଜଗତର ନାଥ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରଥାରୂଢ଼ ହୋଇ ନବଦିନାତ୍ମକ ଯାତ୍ରାରେ ବାହାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/27/fshhfshfsbxvbv-2025-06-27-01-02-31.jpg)