ରାଜ୍ୟ ସରକାରଙ୍କ ବିବାଦୀୟ ବର୍ଣ୍ଣବୋଧ ବଣ୍ଟନକୁ ରଦ୍ଦ କଲେ ହାଇକୋର୍ଟ : ମଧୁସୂଦନ ରାଓଙ୍କ ‘ବର୍ଣ୍ଣବୋଧ’ର ସଂଶୋଧନ ହୋଇପାରିବନି

ଚଣ୍ତିଖୋଲ : ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧରେ ସଂଶୋଧନକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟରେ ହୋଇଥିବା ଜନସ୍ବାର୍ଥ ମାମଲାର ରାୟ ପ୍ରକାଶ ପାଇଛି। ପୂର୍ବଭଳି ମଧୁସୂଦନଙ୍କ ବର୍ଣ୍ଣବୋଧ ହିଁ ପ୍ରକାଶ ପାଇବ ସେଥିରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ଶୁଣାଇଛନ୍ତି। ଏଥିସହିତ, ରାଜ୍ୟ ସରକାରଙ୍କ ଓଡିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ୨୦୧୪ ମସିହାରେ ପ୍ରକାଶିତ ବିବାଦୀୟ ବର୍ଣ୍ଣବୋଧର ବଣ୍ଟନକୁ ରଦ୍ଦ କରାଯାଇଛି। ଗତ ପାଞ୍ଚବର୍ଷ ଧରି ଉଚ୍ଚ ନ୍ୟାୟାଳୟରେ ଚାଲିଥିବା ମାମଲା ଶେଷ ହୋଇଛି। ବିବାଦୀୟ ବର୍ଣ୍ଣବୋଧ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଥିବା ଓଡିଆ ଚେତନା ପରିଷଦ ପକ୍ଷରୁ ଆଜି ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି।

ଓଡିଶାରେ ପ୍ରଚଳିତ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ବାରା ଲିଖିତ ମଧୁ ବର୍ଣ୍ଣବୋଧକୁ ସ˚ଶୋଧିତ ଏବ˚ ସମ୍ପାଦିତ କରି ଓଡିଆ ଭାଷାର ନିଜସ୍ବ ଲିଖନ ଶୈଳୀକୁ ମନଇଚ୍ଛା ପରିବର୍ତ୍ତନ କରାଯାଇଥିଲା। ଏହାକୁ ନେଇ ସାରା ଓଡିଶାର ଭାଷାପ୍ରେମୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରସ୍ଥିତ ଓଡିଆ ଚେତନା ପରିଷଦର ଆବାହକ ଅନନ୍ତ ଦେବଦର୍ଶୀ ଉଚ୍ଚ ନ୍ୟାୟାଳୟରେ ପ୍ରଥ‌େମ ଏକ ଜନସ୍ବାର୍ଥ ମାମଲା ( ନ˚ ୧୦୦୫୪/୨୦୧୪ )ଦାଖଲ କରିଥିଲେ। ଏହାପରେ କଟକର ବୀଣାପାଣି ମହାନ୍ତି ଏବ˚ ରଘୁନାଥ ମହାପାତ୍ରଙ୍କ ତରଫରୁ ଆଉ ଏକ ଜନସ୍ବାର୍ଥ ମାମଲା ( ନ˚ ୧୦୧୩୪/୨୦୧୪) ଦାଖଲ କରାଯାଇଥିଲା। ଏହି ଦୁଇ ଜନସ୍ବାର୍ଥ ମାମଲାର ଏକତ୍ର ଶୁଣାଣି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ୨୦୧୪ ମେ ୨୮ ତାରିଖରେ ପ୍ରକାଶିତ ଏହି ବିବାଦୀୟ ‘ଓଡିଆ ବର୍ଣବୋଧ’ର ପ୍ରକାଶନ,ବିତରଣ ଓ ବିକ୍ରି ଉପରେ ରହିତାଦେଶ ଜାରି କରିଥିଲେ। ଏହାର କିଛିଦିନ ପରେ ଡକ୍ଟର ନଟବର ଶତପଥୀଙ୍କ ତରଫରୁ ‘ଓଡିଆ ବର୍ଣବୋଧ’ ସମ୍ପର୍କରେ ଆଉ ଏକ ଜନସ୍ବାର୍ଥ ମାମଲା (ନ˚ ୧୫୩୧୬/୨୦୧୪) ରୁଜୁ କରାଯାଇଥିଲା। ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ୧୬ ଅକ୍ଟୋବର ୨୦୧୪ରେ ଡକ୍ଟର ନଟବର ଶତପଥୀ ଏବ˚ ବୀଣାପାଣି ମହାନ୍ତିଙ୍କର ଦୁଇଟିଯାକ ମାମଲା ର ପରିସମାପ୍ତ ଘଟାଇ ଆବେଦନକାରୀ ମାନଙ୍କୁ ନିଜ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇବାକୁ ପରାମର୍ଶ ଦେଇଥିଲେ। ମାତ୍ର ଅନନ୍ତ ଦେବଦର୍ଶୀଙ୍କ ଦ୍ବାରା ରୁଜୁ ହୋଇଥିବା ମୂଳ ମାମଲା ୧୦୦୫୪/୧୪ ଅନୁଯାୟୀ ଓଡିଆ ବର୍ଣବୋଧର ପ୍ରଚଳନ ଉପରେ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ରହିତାଦେଶ ବଳବତ୍ତର ରହିବ ବୋଲି ଆଦେଶ ଦେଇଥିଲେ।

୨୦୧୬ମସିହା ୨ ଡିସେମ୍ବରରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏକ ନିର୍ଦେଶାନାମା ପ୍ରକାଶ କରିଥିଲେ ଯେ, ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ରାଜ୍ୟ ଭିତରେ ଓ ବାହାରର ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଚାହିଁ ମଧୁ ବର୍ଣ୍ଣବୋଧ ପ୍ରକାଶନ କରାଯିବ। ଓଡିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମସାରାଣୀ ଦାସମହାପାତ୍ର ଚଳିତ ବର୍ଷ ସେପ୍ଟେମ୍ବର ୨୪ ତାରିଖରେ ଉଚ୍ଚ ନ୍ୟାୟାଳୟରେ ଏକ ଅତିରିକ୍ତ ସତ୍ୟପାଠ କରି ଦର୍ଶାଇଥିଲେ ଯେ, ଓଡିଆ ଭାଷା ପ୍ରତିଷ୍ଠାନ ଦ୍ବାରା ମୁଦ୍ରିତ ‘ଓଡିଆ ବର୍ଣ୍ଣବୋଧ’ର ପୁନଃମୁଦ୍ରଣ ଏବ˚ ବିତରଣ ଆଉ କରାଯିବ ନାହିଁ କି ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ତାହା ବଣ୍ଟନ କରାଯିବ ନାହିଁ।

ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଏବ˚ ଓଡିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକାଙ୍କ ସତ୍ୟପାଠକୁ ଗ୍ରହଣ କରି ଏହି ଜନସ୍ବାର୍ଥ ମାମଲାର ଅନ୍ତଃ ଘଟାଇବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର