ରାଉରକେଲା : ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ ଅବା ଅନ୍ୟାନ୍ୟ କାରଣରୁ ଘଣ୍ଟା ଘଣ୍ଟା ବିଳମ୍ବରେ ଚାଲୁଛି ପ୍ରାୟ ଅଧିକାଂଶ ଟ୍ରେନ୍‌। ଦହଗଞ୍ଜ ହେଉଛନ୍ତି ଯାତ୍ରୀ। ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ଟ୍ରେନ୍‌ଗୁଡ଼ିକର ଅହେତୁକ ବିଳମ୍ବ, ଅନ୍ୟପଟେ ଅଧା ବାଟରେ କୋଚ୍‌ଗୁଡ଼ିକରେ ଏସି କାମ ନ କରିବାରୁ ୪୩ ଡିଗ୍ରୀ ତାତିରେ ଯାତ୍ରୀଙ୍କ ସମସ୍ୟାକୁ ଆହୁରି ବଢ଼ିଯାଉଛି। ସ୍ଥିତି ଏମିତି ଉପୁଜିଛି ଯେ, ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ବିଭାଗୀୟ ଅଧିକାରୀଙ୍କ ସହ ପାଟିତୁଣ୍ଡ କରୁଛନ୍ତି। ଏସି ନ ଚାଲିବା ପର୍ଯ୍ୟନ୍ତ ଯାତ୍ରୀମାନେ ଟ୍ରେନ୍‌ରେ ଚଢ଼ୁନାହାନ୍ତି। ବାରମ୍ବାର ଏମିତି ଘଟଣା ଘଟୁଥିଲେ ହେଁ, ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଚେତା ପଶୁନି। ଆଜି ରାଉରକେଲା ଷ୍ଟେସନରେ ସମାନ ଘଟଣାର ପୁନରାବୃତ୍ତି ହୋଇଥିଲା। ତା

Advertisment

ମିଲନାଡ଼ୁରୁ ବିହାର ‌ବରୋନିକୁ ଯାଉଥିବା ବରୋନି ସ୍ବତନ୍ତ୍ର ଏକ୍ସପ୍ରେସ୍‌ରେ ପ୍ରଥମ ଶ୍ରେଣୀ କୋଚ୍‌ରେ ଏସି ବନ୍ଦ ହୋଇଯିବାରୁ ଯାତ୍ରୀମାନେ ତାତିଥିଲେ। ଟ୍ରେନ୍‌ରୁ ଓହ୍ଲାଇ ରାଉରକେଲା ଷ୍ଟେସନରେ ପାଟିତୁଣ୍ଡ କରିଥିଲେ। ଫଳରେ ପ୍ରାୟ ୨ ଘଣ୍ଟା ଟ୍ରେନ୍‌ ପ୍ଲାଟଫର୍ମ ନଂ ୪ରେ ଅଟକି ରହିଥିଲା। ଆର୍‌ପିଏଫ୍‌, ଜିଆରପି ଓ ରେଳବାଇ ଅଧିକାରୀ ପହଞ୍ଚି ଉତ୍ତେଜିତ ଯାତ୍ରୀଙ୍କୁ ବୁଝାସୁଝା କରିଥିଲେ। ହଟିଆ ଷ୍ଟେସନରେ କାମ କରୁ ନଥିବା ଏସି କୋଚ୍‌କୁ ବଦଳାଇ ଦେବାକୁ ଅଧିକାରୀ ଯାତ୍ରୀମାନଙ୍କୁ ଆଶ୍ବାସନା ଦେବା ପରେ ଉତ୍ତେଜନା ଥମିଥିଲା। ପ୍ରାୟ ୨ ଘଣ୍ଟା ପରେ ଟ୍ରେନ୍‌ଟି ଗନ୍ତବ୍ୟ ପଥରେ ବାହାରିଥିଲା।

publive-image

ମିଳିଥିବା ସୂଚନା ମୁତାବକ (୦୩୩୫୮) କୋଏମ୍ବାଟୁର- ବରୋନି ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟ ଠାରୁ ୨ ଘଣ୍ଟା ୨୦ ମିନିଟ୍‌ ବିଳମ୍ବରେ ଅର୍ଥାତ୍‌ ଅପରାହ୍ନ ୪ଟା ୬ ମିନିଟ୍‌ରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ଝାରସୁଗୁଡ଼ା ଷ୍ଟେସନ ପରେ ପରେ କୋଚ୍‌ରେ ଏସି ଅଚଳ ହୋଇଯାଇଥିଲା। ଯାତ୍ରୀମାନେ ଏ ସଂକ୍ରାନ୍ତରେ କୋଚ୍‌ରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କୁ କହିଥିଲେ। ମାତ୍ର କେହି ଯାତ୍ରୀଙ୍କ କଥାକୁ ଶୁଣି ନଥିଲେ। ଯାତ୍ରୀମାନେ ରାଉରକେଲା ଷ୍ଟେସନରେ ଟ୍ରେନ୍‌ରୁ ଓହ୍ଲାଇ ଏସ୍‌ସି ମରାମତି କରିବାକୁ ଜିଦ୍‌ ଧରିଥିଲେ। ଯେ ପର୍ଯ୍ୟନ୍ତ ଏସି ମରାମତି ନ ହୋଇଛି, ସେ ପର୍ଯ୍ୟନ୍ତ ଟ୍ରେନ୍‌ରୁ ଚଢ଼ିବୁ ନାହିଁ ବୋଲି ଯାତ୍ରୀମାନେ ଜିଦ୍‌ ଧରିଥିଲେ। ଶେଷରେ ବିଭାଗୀୟ ଅଧିକାରୀ ପହଞ୍ଚି ଯାତ୍ରୀମାନଙ୍କୁ ବୁଝାସୁଝା କରିବାରେ ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଗତ ପ୍ରାୟ ଦୁଇ ମାସ ପୂର୍ବେ ସମଲେଶ୍ବରୀ ଏକ୍ସପ୍ରେସ୍‌ରେ ଏସି କାମ ନ କରିବାରୁ ଯାତ୍ରୀମାନେ ରାଉରକେଲା ଷ୍ଟେସନରେ ଓହ୍ଲାଇ ପାଟିତୁଣ୍ଡ କରିଥିଲେ। ସେମିତି ରାଉରକେଲା ଦେଇ ଯାତାୟତ କରୁଥିବା ପ୍ରାୟ ଅଧିକାଂଶ ଟ୍ରେନ୍‌ ୩/୪ ଘଣ୍ଟା ବିଳମ୍ବରେ ପହଞ୍ଚୁଛି। ପୁରୀ-ହଟିଆ ତପସ୍ବିନୀ ଏକ୍ସପ୍ରେସ୍‌, ଉତ୍କଳ ଏକ୍ସପ୍ରେସ୍‌, ରାଉରକେଲା -ଭୁବନେଶ୍ବର ଇଣ୍ଟରସିଟି, ସାଉଥ-ବିହାର ଏକ୍ସପ୍ରେସ୍‌ ସମେତ ବହୁ ଟ୍ରେନ୍‌ ନିର୍ଦ୍ଧାରିତ ସମୟ ଠାରୁ ଢ଼େର ବିଳମ୍ବରେ ପହଞ୍ଚୁଥିବାରୁ ଖରାଦିନେ ଯାତ୍ରୀମାନଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ବେଶି ସମସ୍ୟା ଭୋଗୁଛନ୍ତି ପିଲାମାନଙ୍କ ସହ ଯାଉଥିବା ପରିବାର ଓ ବରିଷ୍ଠ ନାଗରିକ। ଗତ କିଛି ମାସ ଧରି ଏଭଳି ସମସ୍ୟା ଉପୁଜିଥିଲେ ହେଁ ରେଳବାଇ ପକ୍ଷରୁ ସ୍ଥାୟୀ ସମାଧାନ କରାଯାଉ ନଥିବାରୁ ରେଳଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। କିଛି ଯାତ୍ରୀ ରେଳ ସେବାରୁ ମୁହଁ ମୁଡ଼ିବାକୁ ବାଧ୍ୟ ହେଉଛନ୍ତି।