କଟକ: ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ ବିଶିଷ୍ଟ ସାରସ୍ବତ ସାଧକ ତଥା ପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଅବଦାନ ଚିରସ୍ମରଣୀୟ। କଟକ ମାଟିରୁ ସେ ସାହିତ୍ୟ ସାଧନା ଆରମ୍ଭ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସହରରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ଦାବି ହେବା ପରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବାଲିଯାତ୍ରା ପଡ଼ିଆ ସମ୍ମୁଖରେ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ମାତ୍ର ଦେଢ଼ବର୍ଷ ହେଲା ଏହାକୁ ଜରିରେ ଘୋଡ଼ାଇ ରଖାଯାଇଛି। ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଅପରନ୍ତୁ ରାସ୍ତା ପାର୍ଶ୍ବରେ ଏଭଳି ଢଙ୍ଗରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ପକାଇ ରଖିବା ଘଟଣାକୁ ସହରର ସାହିତ୍ୟପ୍ରେମୀ ଓ ବୃଦ୍ଧିଜୀବୀ ନାପସନ୍ଦ କରିଛନ୍ତି।
କଟକରେ ସାହିତ୍ୟ ସାଧନା କରି ଦେଶ ବିଦେଶରେ ଓଡ଼ିଆ ଭାଷାକୁ ସୁପରିଚିତ କରାଇବା ସହ ଏହାର ଗୌରବ ବୃଦ୍ଧି କରିଥିବା ବିଶିଷ୍ଟ ସାହିତ୍ୟିକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସାରଳା ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା।
ଫଳରେ ବାଲିଯାତ୍ରା ପଡ଼ିଆର ସମ୍ମୁଖ ସ୍ଥାନ ତଥା ଗଡ଼ଗଡ଼ିଆ ମନ୍ଦିର ପଛ ପାର୍ଶ୍ବରେ ଥିବା ଖୋଲା ସ୍ଥାନରେ ଜାଗା ଚିହ୍ନଟ କରିଥିଲା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ପ୍ରତିମୂର୍ତ୍ତି ନିର୍ମାଣରୁ ଆରମ୍ଭ କରି ଏହାର ସ୍ଥାପନ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ନେଇଥିଲା ଏହି ବିଭାଗ। ଏଠାରେ ପ୍ରଥମେ ୨୦୧୮ରେ ମହାକବି ପଦ୍ମଶ୍ରୀ ସଚ୍ଚି ରାଉତରାୟ ଓ ୨୦୧୯ରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଗଲା। ପରେ ବିଭାଗ ପକ୍ଷରୁ ୨୦୨୩ରେ ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପଦକ୍ଷେପ ନିଆଗଲା। ହେଲେ ଏହାକୁ ଉନ୍ମୋଚନ ପରିବର୍ତ୍ତେ ଦୀର୍ଘ ଦିନ ଧରି ଜରି ଗୁଡ଼ାଇ ରଖାଯାଇଛି। ଜରି ଉପରେ ଏବେ ଧୂଳିର ମୋଟା ଆବରଣ। ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ସହିତ ଏହାର ସୁରକ୍ଷା ଦିଗରେ କାମ କରିଥିବା ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ଦେଢ଼ବର୍ଷ ହେଲା ଏମିତି ଜରିରେ ରଖାଯିବା ବରପୁତ୍ରଙ୍କ ପ୍ରତି ଅସମ୍ମାନ ବୋଲି ଅନେକ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ବର୍ଗତ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତିକୁ ଚଳିତ ବାଲିଯାତ୍ରା ସମୟରେ ଉନ୍ମୋଚନ କରିବାକୁ ଯୋଜନା କରାଯାଇଥିଲା। ମାତ୍ର ତାହା ହୋଇ ପାରିଲା ନାହିଁ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ କହିଛନ୍ତି। ସୂଚନାଯୋଗ୍ୟ, କାଳିନ୍ଦୀଚରଣ ପାଣିଗ୍ରାହୀ ପୁରୀରେ ୧୯୦୧ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୯୧ରେ ତାଙ୍କର ପରଲୋକ ହୋଇଥିଲା। ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଭଳି ବିଶିଷ୍ଟ ସାହିତ୍ୟିକଙ୍କ ସହ ସେ ଥିଲେ ଓଡ଼ିଆ ସାହିତ୍ୟରେ ‘ସବୁଜ ଯୁଗ’ର ଅନ୍ୟତମ ପ୍ରବକ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/07/RTcnwkSutqC645UmjIj7.jpg)