ଗଦାଧର ପଣ୍ଡା
ଯାଜପୁର: ଚାଷ ଜମିକୁ ଜଳଯୋଗାଣ ବିଶେଷ କରି ନଦୀଜଳ ସଂରକ୍ଷଣ କରି ପରବର୍ତ୍ତୀ ସମୟରେ ଏହାର ସୁବିନିଯୋଗ ପାଇଁ ତତ୍କାଳୀନ ବିଟ୍ରିସ୍ ସରକାରଙ୍କ ଜଳ ପରିଚାଳନା ଜନକଲ୍ୟାଣକାରୀ ଥିଲା। ବ୍ରିଟିସ୍ ସରକାର ରାଜ୍ୟର ଦ୍ବିତୀୟ ବୃହତ୍‌ ଆନିକଟ ବ୍ରାହ୍ମଣୀର ଶାଖାନଦୀ ଖରସ୍ରୋତାର ଯୋକଡ଼ିଆଠାରେ ନିର୍ମାଣ କରିଥିଲେ। ଜେନାପୁରଠାରୁ ଯୋକଡ଼ିଆ ଦୁଇନଦୀର ମଧ୍ୟ ସ୍ଥଳରେ ଜଳ ସଂରକ୍ଷଣ ପାଇଁ ଏଭଳି ଯୋଜନା ଚାଷୀଙ୍କ ପାଇଁ ବରଦାନ ସଦୃଶ ଥିଲା। ପରବର୍ତ୍ତୀ ସମୟରେ ଏହି ଆନିକଟର ଆଉ କୌଣସି ବିକାଶ ହୋଇନାହିଁ। ବର୍ତ୍ତମାନ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଆନିକଟରେ ବାଲି ଚରିଯାଇଛି। ଗତ ୩୦ ବର୍ଷ ହେଲା ସରକାର ଏଠାରେ ଏକ ବ୍ୟାରେଜ୍‌ ନିର୍ମାଣ ପାଇଁ ସ୍ବପ୍ନ ଦେଖାଇ ଲୋକଙ୍କୁ ଭଣ୍ଡାଇ ଚାଲିଛନ୍ତି। ଏପରିକି ଏଥିପାଇଁ ଜାଗା ଚିହ୍ନଟ ହୋଇ ୭୨୧ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଥିଲେ ବି ଯୋକଡ଼ିଆ ବ୍ୟାରେଜ୍‌ ସ୍ବପ୍ନ ହୋଇ ରହିଯାଇଛି। 

Advertisment

କଳିଙ୍ଗନଗରର ଅଧିକାଂଶ ଶିଳ୍ପ ସଂସ୍ଥା ଏବେ ଯୋକଡ଼ିଆ ନିକଟ ଖପୁରିଆପଦା ପଞ୍ଚାୟତରେ ଏକାଧିକ ବୋର୍‌ୱେଲ ଖୋଳି ପ୍ରତି ମିନିଟ୍‌ରେ ଦୁଇ ଲକ୍ଷ କ୍ୟୁସେକ୍ ପାଣି ଶୋଷୁଛନ୍ତି। ମାର୍ଥାପୁରଠାରେ ଦୁଇଟି ପ୍ରକଳ୍ପ ହୋଇଥିବାବେଳେ ଯୋକଡ଼ିଆରୁ ବ୍ୟାସନଗର ସହର ପାଇଁ ମଧ୍ୟ ଜଳଯୋଗାଣ କରାଯାଉଛି। କଳିଙ୍ଗନଗରର ଅଧିକାଂଶ ଶିଳ୍ପସଂସ୍ଥା ନଦୀ ପାଣି ବଦଳରେ ମନଇଚ୍ଛା ଭୂତଳ ଜଳ ଉତ୍ତୋଳନ କରୁଛନ୍ତି। ରାଜ୍ୟ ସରକାର ଏଠାରେ ବ୍ୟାରେଜ୍‌ ନିର୍ମାଣ କଲେ ଯାଜପୁର ଜିଲ୍ଲାର ୫ଟି ବ୍ଲକ୍‌ ସମେତ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳ ଉପକୃତ ହୋଇପାରନ୍ତେ।

ସୂଚନାଯୋଗ୍ୟ, ୧୮୮୧ ମସିହାରେ ଖରସ୍ରୋତା ନଦୀର ଯୋକଡ଼ିଆଠାରେ ଏହି ଆନିକଟ ନିର୍ମାଣ କରାଯାଇଥିଲା। ଦୀର୍ଘ ୧୪୪ ବର୍ଷ ଧରି ଏହି ଆନିକଟ ପୁରୁଣା ଦିନର ସ୍ମୃତି ରୋମନ୍ଥନ କରୁଛି। ଓଡ଼ିଶାର ଏହା ଏକ ପ୍ରମୁଖ ଆନିକଟ ଭାବେ ପରିଚିତ ଥିଲା। ଏଠାରେ ବ୍ରିଟିସ ସରକାର ଏକ ପାଦଚଲା ସେତୁ ମଧ୍ୟ ନିର୍ମାଣ କରିଥିଲେ, ଯାହାର ନିର୍ମାଣ ଶୈଳୀ ଏବେ ବି ସମସ୍ତଙ୍କୁ ଚକିତ କରୁଛି। ଯୋକଡ଼ିଆ ଆନିକଟ ସେତେବେଳେ ଯାଜପୁର ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳ ଥିଲା। ଏଠାରେ ଡଙ୍ଗା, ଛୋଟ ଜାହାଜ ଲଙ୍ଗର ପକାଇବା ଭଳି ବ୍ୟବସ୍ଥା ଥିଲା। ବାଲିରେ ଆନିକଟ ପୋତି ହୋଇଗଲାଣି। ବାରମ୍ବାର ସମୀକ୍ଷା, ଆଲୋଚନା ପରେ ବି ପ୍ରସ୍ତାବିତ ବ୍ୟାରେଜ୍‌ ବାବଦରେ କୌଣସି ଅଗ୍ରଗତି ଘଟିନାହିଁ। କୃଷି ଓ ଜଳସେଚନ ପାଇଁ ଏହି ପ୍ରକଳ୍ପ ମହତ୍ତ୍ବାକାଂକ୍ଷୀ ସାବ୍ୟସ୍ତ ହେବ ବୋଲି ବୁଦ୍ଧିଜୀବୀ ମହଲ ମତବ୍ୟକ୍ତ କରିଛନ୍ତି।