ସମ୍ବଲପୁର: ମହାନଦୀ ପାଣି ବ୍ୟବହାର କରିପାରୁନଥିବା ନେଇ ଓଡ଼ିଶା ଉପରେ ଦୋଷ ଲଦୁଥିଲା ଛତିଶଗଡ଼। ମହାନଦୀରେ ପ୍ରବାହିତ ହେଉଥିବା ପାଖାପାଖି ୭୦ ପ୍ରତିଶତ ଜଳ ଅବ୍ୟବହୃତ ହୋଇ ସମୁଦ୍ରକୁ ଚାଲି ଯାଉଥିବା ନେଇ ଅଭିଯୋଗ କରୁଥିଲେ। ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶା ସରକାରଙ୍କ ଚେତା ପଶିଛି। ହୀରାକୁଦ ଜଳଭଣ୍ଡାର ତଳ ମୁଣ୍ଡରେ ବ୍ୟାରେଜ ନିର୍ମାଣ ପାଇଁ ସରକାର ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ୭ଟି ଜାଗା ଚିହ୍ନଟ କରାଯାଇଛି ଓ ସେସବୁ ସ୍ଥାନରେ ବ୍ୟାରେଜ ନିର୍ମାଣ ସମ୍ଭବପର କି ନୁହେଁ(ଫିଜିବିଲିଟି ଷ୍ଟଡି) ତାହାର ଅଧ୍ୟୟନ କରାଯାଉଛି ବୋଲି ଜଳ ସଂପଦର ଜଣେ ବରିଷ୍ଠ ଯନ୍ତ୍ରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ମହାନଦୀରେ ପୂର୍ବରୁ ସିଣ୍ଢୋଲଠାରେ ବ୍ୟାରେଜ ନିର୍ମାଣ ପାଇଁ ସରକାର ପ୍ରୟାସ କରିଥିଲେ। ମାତ୍ର ଜନ ଆନ୍ଦୋଳନ ଯୋଗୁଁ ତାହା ବିଫଳ ହୋଇଥିଲା। ଏପରିକି ଖୋଦ୍ ଶାସକ ଦଳ ନେତାମାନେ ଏହାକୁ ବିରୋଧ କରିଥିଲେ। ଏଣୁ ଏଥର ବିନା ବିସ୍ଥାପନରେ ଯେପରି ବ୍ୟାରେଜ ନିର୍ମାଣ ହୋଇପାରିବ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି। ବ୍ୟାରେଜ ନିର୍ମାଣ ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଏବେ ସେସବୁ ସ୍ଥାନରେ ନାମ ପ୍ରକାଶ କରିବା ଠିକ୍ ହେବ ନାହିଁ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି। ତେବେ ସୋନପୁରରୁ କଟକ ଜିଲ୍ଲା ମଧ୍ୟରେ ବ୍ୟାରେଜ ନିର୍ମାଣ ଯୋଜନା ରହିଥିବା କୁହାଯାଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମହାନଦୀ ସହିତ ସଂଯୋଗ କରୁଥିବା ବିଭିନ୍ନ ଉପନଦୀ ଉପରେ ମଧ୍ୟ ବ୍ୟାରେଜ୍ ନିର୍ମାଣ କରିବା ଲାଗି ସରକାରଙ୍କ ଯୋଜନା ରହିଛି। ଛତିଶଗଡ଼ ସରକାର ମହାନଦୀ ଉପରେ ୬ଟି ବ୍ୟାରେଜ ନିର୍ମାଣ କରିଛନ୍ତିି। ସିଓରି ନାରାୟଣ, ବସନ୍ତପୁର, ମିରୌନି, ସାରାଡିହି ଏବଂ କଲ୍ମା ବ୍ୟାରେଜ୍ର ଜଳଧାରଣ କ୍ଷମତାର ୬୫ ପ୍ରତିଶତ ଓ ସମୋଦା ବ୍ୟାରେଜ୍ର ୭୦ ପ୍ରତିଶତ ପାଣି ୨୧ଟି କାରଖାନାକୁ ଯୋଗାଇବାକୁ ଛତିଶଗଡ଼ ସରକାର ଚୁକ୍ତି କରିଛନ୍ତି। ବ୍ୟାରେଜ ନିର୍ମାଣ କଂପାନିଙ୍କଠାରୁ ୮ଲକ୍ଷ ୯୩ ହଜାର ୨୭୬ ଟଙ୍କା ଜଳକର ଆକାରରେ ଆଗୁଆ ନେଇଛନ୍ତି। ଏସବୁ ବ୍ୟାରେଜ ନିର୍ମାଣ ପରେ ହୀରାକୁଦ ଜଳଭଣ୍ଡାରକୁ ମହାନଦୀ ଜଳପ୍ରବେଶ ମାତ୍ରା ସାଂଘାତିକ ଭାବେ ହ୍ରାସ ପାଇଛି। ଇତିମଧ୍ୟରେ ଛତିଶଗଡ଼ ତାନ୍ଦୁଲା-ଗାଂଗରେଲ ଡ୍ୟାମ୍ ସଂଯୋଗୀକରଣ କାର୍ଯ୍ୟ ତ୍ୱରାନ୍ଵିତ କରିଛି। ମହାନଦୀର ଗାଂଗରେଲ ଡ୍ୟାମ୍ରୁ ପାଣିକୁ ତାନ୍ଦୁଲା ଡ୍ୟାମ୍କୁ ପଠାଇବାକୁ ଛତିଶଗଡ଼ ସରକାର ଯୋଜନା ରଖିଛନ୍ତି।