ଶୀତଳଭଣ୍ଡାରରେ ମହାନଦୀ ସେତୁ ସହିତ ବ୍ୟାରେଜ ପ୍ରକଳ୍ପ

କମୁଛି ଅନିକଟର ଜଳଧାରଣ କ୍ଷମତା

ସମ୍ବଲପୁର : ସମ୍ବଲପୁର ସହରର ମହାନଦୀ ତଳମୁଣ୍ଡରେ ବ୍ରିଜ୍ ସହିତ ବ୍ୟାରେଜ ନିର୍ମାଣ ପାଇଁ ବହୁ ବର୍ଷରୁ ଦାବି ହେଉଥିବା ବେଳେ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ଶୀତଳଭଣ୍ଡାରରେ ରହିଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ସମ୍ବଲପୁରବାସୀ ପାଣି ସମସ୍ୟାର ସମାଧାନ ହୋଇପାରିବ। ହେଲେ, ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହି ପ୍ରକଳ୍ପ ଆଗେଇପାରୁନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବଲପୁରରେ ୬୦ ଦଶକରେ ସମୟର ଆବଶ୍ୟକତାକୁ ଦୃଷ୍ଟି‌ରେ ରଖି ମହାନଦୀର ହାଟପଡ଼ାଠାରୁ ଚାଉଁରପୁର ପର୍ଯ୍ୟନ୍ତ ନିର୍ମିତ ଆନିକଟ୍ ଏବେ ପୁରୁଣା ହୋଇଯାଇଛି। ହୀରାକୁଦ ନଦୀବନ୍ଧ ନିର୍ମାଣ ପୂର୍ବରୁ ଲୋକେ ଅଣମୌସୁମି ଋତୁରେ ଏଠାର ମହାନଦୀରେ ଦୁଇଟି ଧାର କରି ବ୍ୟବହାର କରୁଥିଲେ। ନଦୀବନ୍ଧ କାର୍ଯ୍ୟକ୍ଷମ ହେବା ଉତ୍ତାରୁ ଜଳସ୍ରୋତ ଅତି ସରୁ ହେବାରୁ ସହରର ମହାନଦୀ ଉପରେ ହାଟପଡ଼ା ଘାଟରୁ ଚାଉଁରପୁର ପର୍ଯ୍ୟନ୍ତ ପ୍ରାୟ ୧୭୦୦ ମିଟର ଲମ୍ବ ଓ ହାରାହାରି ୨ ମିଟର ଉଚ୍ଚତାର ଆନିକଟ ନିର୍ମାଣ କରାଯାଇଥିଲା। ସ୍ବର୍ଗତ ବନମାଳୀ ବାବୁ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ଥିବା ସମୟରେ ଏହି ଆନିକଟ ନିର୍ମାଣ କରାଯାଇଥିଲା। ଆନିକଟର ହ୍ରଦକୁ ଅଯୋଧ୍ୟା ସରୋବର ଏବଂ ମହାନଦୀ କୂଳରେ ଥିବା କଂକ୍ରିଟ ରାସ୍ତାକୁ ସୁଶୀଳା ବିହାର ନାମରେ ନାମକରଣ କରାଯାଇଥିଲା। ଏହା ଚେନ୍ନାଇର ମେରିନା ବ୍ରିଜ ଢାଞ୍ଚା ନିର୍ମାଣ କରାଯାଇଥିଲେ ମଧ୍ୟ ରକ୍ଷଣାବେକ୍ଷଣର ଅଭାବରୁ ସୁଶୀଳା ବିହାର ଭାଙ୍ଗିରୁଜି ଯାଇଥିଲା। ୧୯୯୭ରେ ରିଙ୍ଗରୋଡ଼ ନିର୍ମାଣ ପରେ ସୁଶୀଳା ବିହାର ବି ମାଟିତଳେ ରହିଯାଇଥିଲା। ତେବେ, ବର୍ତ୍ତମାନ ଏହି ଆନିକଟର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଯାଇଥିବା ବେଳେ ଏହାର ଜଳଧାରଣ କ୍ଷମତା କମିଯାଇଛି।

ଏବେ ନୂଆ ଆନିକଟ ନିର୍ମାଣ ହେଲେ ପୁନର୍ବାର ସମ୍ବଲପୁରରେ ମହାନଦୀ ସୁଦୃଶ୍ୟ ହ୍ରଦ ସୃଷ୍ଟି ହୋଇପାରିବ ବୋଲି ଲୋକେ ବହୁଦିନରୁ ଦାବି କରି ଆସୁଛନ୍ତି। ଗତ ୨୦୧୪ ମସିହାରେ ବ୍ରିଜ୍ ସହିତ ବ୍ୟାରେଜ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ଏବଂ ଜଳସମ୍ପଦ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ସେତେବେଳେ ନଗର ଉନ୍ନୟନ ତଥା ଜଳସମ୍ପଦ ବିଭାଗ ମନ୍ତ୍ରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା ବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଏହି ପ୍ରକଳ୍ପ ପାଇଁ ଏକ ପ୍ରକାର ସବୁଜ ସଂକେତ ମିଳିଥିଲା। ଜଳ ସଂପଦ ବିଭାଗ ପକ୍ଷରୁ ଏକ ଡିପିଆର୍‌ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ବୈଷୟିକ ପରାମର୍ଶଦାତା କମିଟି ବି ଏହାକୁ ଅନୁମୋଦନ କରିଥିଲା। ମହାନଦୀ ଉପରେ ନେଲସନ ମଣ୍ଡେଲା କଚେରି ଘାଟରୁ ଝାଙ୍କରପାଲି ପର୍ଯ୍ୟନ୍ତ ଦ୍ୱିତୀୟ ମହାନଦୀ ସେତୁର ଆଖପାଖରେ ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଥିଲା। ମହାନଦୀ ସେତୁର ଦୈର୍ଘ୍ୟ ପ୍ରାୟ ୧୬୦୦ ମିଟର ଏବଂ ବ୍ୟାରେଜର ଦୈର୍ଘ୍ୟ ୧୮୦୦ ମିଟର ଲମ୍ବ ହେବ ବୋଲି ଆକଳନ କରାଯାଇଥିଲା। ଜଳ ସଂରକ୍ଷଣ ସହିତ ପ୍ରାୟ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସମ୍ବଲପୁର ମହାନଗରରେ ପରିବେଶ ସନ୍ତୁଳନ ସକାଶେ ଏହି ବ୍ୟାରେଜ ବେଶ୍ ‌ଉପଯୋଗୀ ହୋଇପାରିବ। ଏହା ଦ୍ବାରା ସୃଷ୍ଟି ହେବାକୁ ଥିବା କୃତ୍ରିମ ହ୍ରଦର ପାଣିରେ ମହାନଦୀର ଅପରପାର୍ଶ୍ବରେ ବିଶେଷକରି ଚାଷ ଓ ଜଙ୍ଗଲ ସୃଷ୍ଟିକୁ ସହାୟକ ହୋଇପାରିବ ବୋଲି ଆଶା କରାଯାଇଥିଲା। ରିଂ ରୋଡ଼ ନିର୍ମାଣ ଓ ଦ୍ୱିତୀୟ ମହାନଦୀ ସେତୁ ଯୋଗୁଁ ମହାନଦୀ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ହୋଇପାରିବ। ପର୍ଯ୍ୟଟନ ଦୃଷ୍ଟିରୁ ହ୍ରଦର ମହତ୍ତ୍ୱ ବୃଦ୍ଧି ପାଇବ।

ତେବେ, ଏହି ମହାତ୍ବାକାଂକ୍ଷୀ ପ୍ରକଳ୍ପ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁ ଆଗେଇପାରି ନାହିଁ। କଟକରେ ମହାନଦୀ ଉପରେ ଅନେକ ସେତୁ ନିର୍ମାଣ କରାଯାଇଛି। ଲୋକଙ୍କ ସୁବିଧା ପାଇଁ ଅନେକ ପ୍ରକଳ୍ପ ହାତକୁ ନିଆଯାଉଛି। ହେଲେ, ସମ୍ବଲପୁର ପାଇଁ ରାଜ୍ୟ ସରକାରଙ୍କ ସେଭଳି ଦରଦ ନଥିବା ଲୋକ‌େ କହୁଛନ୍ତି। ଗତ ୨୦୧୯ ମସିହାରେ ସମ୍ବଲପୁର ଲୋକସଭା ଏବଂ ବିଧାନସଭା ଆସନ ଶାସକ ବିଜେଡି ହାତରୁ ଖସିଯିବା ପରେ ରାଜ୍ୟ ସରକାର ସମ୍ବଲପୁରର ବିକାଶ ପାଇଁ ଆ‌ଉ ସେତେଟା ଗୁରୁତ୍ବ ଦେଉନଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର