ପୁରୀ: ଆସନ୍ତାକାଲି ନବଯୌବନ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ୍ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ଖରା ତାତିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଉପରେ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡକୁ ଓଦା ରଖିବା ପାଇଁ ଅଗ୍ନିଶମ ବିଭାଗକୁ ପାଣି ସିଞ୍ଚନ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି। ଭକ୍ତଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ପ୍ରାୟ ୨ହଜାର ଲୋକ ପରିମାଣିକ ଦର୍ଶନ ପାଇଁ ଟିକେଟ୍ କାଟିଥିବା ଜଣାପଡ଼ିଛି।
ସିଂହଦ୍ବାରରେ ପ୍ରବେଶ, ଉତ୍ତରଦ୍ବାରରେ ପ୍ରସ୍ଥାନ
ଜଗିବେ ୪୦ ପ୍ଲାଟୁନ ଫୋର୍ସ, ୬୪ ଅଧିକାରୀ
ବଡ଼ଦାଣ୍ଡରେ ପାଣି ସିଞ୍ଚନ ବ୍ୟବସ୍ଥା
ଆସନ୍ତାକାଲି ନବଯୌବନ ଦର୍ଶନ ବେଳେ ଭକ୍ତଙ୍କ ଧାଡ଼ି ଟାଉନ୍ ଥାନା ପର୍ଯ୍ୟନ୍ତ ଲମ୍ବିବା ଆଶଙ୍କା କରାଯାଉଛି। ଯେହେତୁ ଏଠାରେ ବାରିକେଡ୍ କି ଛାଇ ପାଇଁ ଉପରେ ସେଡ୍ ବ୍ୟବସ୍ଥା ନାହିଁ, ସେ ଦୃଷ୍ଟିରୁ ବଡ଼ଦାଣ୍ଡରେ ପାଣି ପକାଇବାକୁ କୁହାଯାଇଛି। ନବଯୌବନ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ଏକ ଧାଡ଼ିକିଆ ବାରିକେଡ୍ ବ୍ୟବସ୍ଥା କରାଯାଇଛି। ଅନୁପ୍ରବେଶ ରୋକିବା ପାଇଁ ବାରିକେଡ୍ ପାର୍ଶ୍ବରୁ ଲୁହାର ଜାଲି ଲଗାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ଭକ୍ତମାନେ ଧାଡ଼ିରେ ଯାଇ ସିଂହଦ୍ବାର ଦେଇ ପ୍ରବେଶ ପରେ ମହାପ୍ରଭୁଙ୍କ ଦର୍ଶନ କରି ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିବେ। ଦର୍ଶନ ପୂର୍ବରୁ ସିଂହଦ୍ବାରରେ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପୁଲିସ ସୂଚନା ମୁତାବକ, ନବଯୌବନ ଦର୍ଶନ ପାଇଁ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏହା ସହ ୪ଜଣ କମାଣ୍ଡାଣ୍ଡ୍, ୧୦ଜଣ ଅତିରିକ୍ତ ଏସପି, ୫୦ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ଆଜିଠୁ ‘ଚିତ୍ରପଟରେ ରଥଯାତ୍ରା’
ଚିତ୍ରପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଉପଭୋଗ୍ୟ ହେବ ରଥଯାତ୍ରା। କେବଳ ବଡ଼ଦାଣ୍ଡ ନୁହେଁ, ବରଂ କାନ୍ଭାସରେ ବି ରଥଯାତ୍ରା ଦେଖାଇବେ ଚିତ୍ରଶିଳ୍ପୀ। ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ପୁରୀ ସଂସ୍କୃତି ଭବନସ୍ଥିତ ଆଞ୍ଚଳିକ ଆର୍ଟ ଗ୍ୟାଲେରି ପରିସରରେ ଚିତ୍ରକଳା ଶିବିର କରାଯିବ। ‘ଚିତ୍ରପଟରେ ରଥଯାତ୍ରା’ ଶୀର୍ଷକ ଏହି ପ୍ରଦର୍ଶନୀ ବୁଧବାରଠୁ ଆରମ୍ଭ ହୋଇ ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ଆଞ୍ଚଳିକ ଆର୍ଟ ଗ୍ୟାଲେରିର ସତ୍ୟ ପାଢ଼ୀଙ୍କ କହିବା ମୁତାବକ, ରଥଯାତ୍ରାରେ ଆସୁଥିବା ଭକ୍ତଙ୍କୁ ରଥଯାତ୍ରାର କିଛି ସୃଜନ ଛିଟା କାନ୍ଭାସରେ ଦେଖିବାକୁ ସୁଯୋଗ ଦେବା ନିମନ୍ତେ ପ୍ରଥମଥର ପାଇଁ ଏଭଳି ପ୍ରୟାସ କରାଯାଇଛି। ପୂର୍ବରୁ ପ୍ରତିଷ୍ଠିତ ଚିତ୍ରଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ୪୦ଟି ଚିତ୍ର ପ୍ରଦର୍ଶିତ ହେବ। କେବଳ ପୁରୀର ରଥଯାତ୍ରାକୁ ନେଇ ଚିତ୍ରଗୁଡ଼ିକ ଚିତ୍ରଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି। ଚିତ୍ରପ୍ରେମୀମାନେ ଦିନ ୧୧ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଆର୍ଟ ଗ୍ୟାଲେରି ବୁଲି ଚିତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିପାରିବେ।