ପୁରୀ : ଚଳିତବର୍ଷ ରଥଯାତ୍ରା ସମୟରେ ବଡ଼ଦାଣ୍ଡଠାରୁ ଆରମ୍ଭ କରି ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଚାରିକଡ଼ରେ ୧୪୪ ଧାରା ଲାଗୁ କରାଯିବ। ଏହା ସହିତ ବଡ଼ଦାଣ୍ଡରେ କର୍ଫ୍ୟୁ ବଳବତ୍ତର ରହିବ। କେବଳ ରଥ ଟଣାରେ ନିୟୋଜିତ ସେବାୟତ, ଡ୍ୟୁଟିରେ ଥିବା କର୍ମଚାରୀ ଏବଂ ସାମ୍ବାଦିକମାନେ ବଡ଼ଦାଣ୍ଡରେ ରହି ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବେ। ଏହି ସମୟରେ ବଡ଼ଦାଣ୍ଡକୁ ସର୍ବସାଧାରଣଙ୍କ ପାଇଁ ପ୍ରବେଶ ଉପରେ ରହିବ କଟକଣା। ଏଥିପାଇଁ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାମାନଙ୍କରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଏହି ବ୍ୟାରିକେଡ୍ଠାରେ ପୁଲିସ ନିୟୋଜିତ ରହି ସମସ୍ତ ସର୍ବସାଧାରଣଙ୍କୁ ଅଟକାଇ ରଖିବେ।
କୋଭିଡ଼ କଟକଣା ପାଇଁ ମାନ୍ୟବର ସୁପ୍ରିମ୍ କୋର୍ଟ ଏବଂ ରାଜ୍ୟ ସରକାରଙ୍କ ରଥଯାତ୍ରା ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଏବଂ ବଡ଼ଦାଣ୍ଡକୁ ସର୍ବସାଧାରଣ ପ୍ରବେଶ କରିପାରିବେ ନାହିଁ। ଏଥିପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାରେ ଦୁଇ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ରାସ୍ତାର ଦୁଇଟି ସ୍ଥାନରେ ବ୍ୟାରିକେଡ୍ ସ୍ଥାପନା କରାଯାଇଛି। ପ୍ରଥମ ବ୍ୟାରିକେଡ୍ ଡେଇଁ କୌଣସି ବ୍ୟକ୍ତି ବଡ଼ଦାଣ୍ଡ ନିକଟରେ ଥିବା ଦ୍ବିତୀୟ ବ୍ୟାରିକେଡ୍ ପର୍ଯ୍ୟନ୍ତ ଆସିପାରିବେ ନାହିଁ। ତେଣୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ରଥଯାତ୍ରା ସମୟରେ ବଡ଼ଦାଣ୍ଡକୁ କୌଣସି ସର୍ବସାଧାରଣ ପ୍ରବେଶ କରି ନପାରିବା ପାଇଁ ପୁଲିସ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି।
ସେହିପରି ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ମୁଖରେ ଥିବା ଶରଧାବାଲି ଚାରିକଡ଼ରୁ ବ୍ୟାରିକେଡ୍କୁ ହଟାଇ ଦିଆଯାଇଛି। ଏହା ସହିତ ଶରଧାବାଲିକୁ ଅବରୋଧମୁକ୍ତ କରି ଦିଆଯାଇଛି। ଏହା ସମ୍ମୁଖରେ ଥିବା ସମସ୍ତ ଦୋକାନଗୁଡ଼ିକୁ ମଧ୍ୟ ହଟାଇ ଦିଆଯାଇଛି। ଏହା ସହିତ ଏଠାରେ ଆଣି ଚାରିମାଳ ଗଚ୍ଛିତ ରଖାଯାଇଛି। ଏହା ସହିତ ବଡ଼ଦାଣ୍ଡରୁ ବ୍ୟାରିକେଡ୍ଗୁଡ଼ିକୁ ଉଠାଇବାର ବ୍ୟବସ୍ଥା ଆରମ୍ଭ କରିଦିଆଯାଇଛି। ବଡ଼ଦାଣ୍ଡରେ ଥିବା ଉଠାଦୋକାନୀମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଉଠିଯିବା ପାଇଁ ମଧ୍ୟ ଘୋଷଣା କରାଯାଇଛି। ତେଣୁ ଏହି ଘୋଷଣା ପରେ ସମସ୍ତ ବ୍ୟବସାୟୀ, ବସ୍ମାଲିକମାନେ ବଡ଼ଦାଣ୍ଡରୁ ସେମାନଙ୍କର ଉଠାଦୋକାନ ଏବଂ ବସ୍ଗୁଡ଼ିକୁ ଉଠାଇ ନେଉଥିବାର ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/puri-barricade.jpg)