ପୁରୀ : ମହାପ୍ରଭୁଙ୍କ ଦର୍ଶନରେ ଧାଡ଼ି ବ୍ୟବସ୍ଥା କୋହଳ ହୋଇଛି। ଏଣିକି ଭକ୍ତଙ୍କୁ ଆଉ ମାର୍କେଟ୍ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଧାଡ଼ିରେ ଯିବାକୁ ପଡ଼ିବ ନାହିଁ। ବରଂ ମରିଚକୋଟ ଛକ ନିକଟରୁ ଧାଡ଼ି ବାନ୍ଧି ମନ୍ଦିରକୁ ଯିବେ। ପୁରୀ ପୁଲିସ୍ ପକ୍ଷରୁ ଖୋଲା ଯାଇଥିବା ଫିଡ୍ବ୍ୟାକ୍ ସେଲ୍ରୁ ଭକ୍ତମାନଙ୍କ ମତାମତକୁ ସଂଗ୍ରହ ପୂର୍ବକ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଭକ୍ତଙ୍କୁ ଆଉ ଲମ୍ବା ରାସ୍ତା ଚାଲିବାକୁ ପଡ଼ିବ ନାହିଁ। ଏନେଇ ଆଜି ମାର୍କେଟ୍ ଛକରୁ ମରିଚକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ହଟାଇ ଦିଆଯାଇଛି। ବ୍ୟାରିକେଡ୍ ଖୋଲିବା ପରେ କେବଳ ଦର୍ଶନ ବ୍ୟବସ୍ଥା ସୁଗମ ହୋଇ ନାହିଁ, ବରଂ ଏଇ ବାଟ ଦେଇ ପ୍ରତିଦିନ ଯାତାୟତ କରୁଥିବା ପୁରୀ ବାସିନ୍ଦାଙ୍କ ଦହଗଞ୍ଜ କମିଛି।
ବଡ଼ଦାଣ୍ଡରେ ବିସ୍ତୃତ ଜାଗା ବ୍ୟାରିକେଡ୍ ମାଡ଼ି ବସିଥିବା ବେଳେ ଉଭୟ ପାର୍ଶ୍ବରେ ରାସ୍ତାପାର୍ଶ୍ବ ବ୍ୟବସାୟୀଙ୍କ ଭିଡ଼ ଯୋଗୁଁ ଏଇ ବାଟ ଦେଇ ଯାଉଥିବା ସ୍ଥାନୀୟ ବାସିନ୍ଦାମାନେ ପ୍ରତିଦିନ ହଇରାଣ ହରକତ ହେଉଥିଲେ। ତେଣୁ ବ୍ୟାରିକେଡ୍ ଉଠିବା ପରେ ସ୍ଥାନୀୟ ବାସିନ୍ଦାମାନେ ବି ଆଶ୍ବସ୍ତ ହୋଇଛନ୍ତି। ଧୀରେଧୀରେ ଦର୍ଶନ ବ୍ୟବସ୍ଥା କୋହଳ ହେଉଥିବା ବେଳେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ନିମନ୍ତେ ପ୍ରଶାସନିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ସଫଳ ହେଲେ ଖୁବଶୀଘ୍ର ଆନନ୍ଦ ବଜାରରେ ମହାପ୍ରସାଦ ସେବନର ସୁଯୋଗ ମିଳିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ମୁତାବକ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବାରଣ ସହ ସାନଟାଇଜ୍ କରାଯାଇଛି। ସେବାୟତ ଓ ଭକ୍ତଙ୍କ ସୁରକ୍ଷା ଓ ସଂକ୍ରମଣ ରୋକିବା ନେଇ ଆଜି ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ସାନିଟାଇଜ୍ କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଅଗ୍ନିଶମର ୧୦ ଜଣିଆ ଟିମ୍ ଶ୍ରୀମନ୍ଦିର ବେଢ଼ା, ବାହାର ବେଢ଼ା, ଜୋତା ଷ୍ଟାଣ୍ଡ, ବ୍ୟାରିକେଡ୍ ଅଞ୍ଚଳକୁ ସୋଡିୟମ ହାଇପୋକ୍ଲୋରାଇଡ୍ ସିଞ୍ଚନ କରି ସାନିଟାଇଜ୍ କରିଛି ବୋଲି ଅତିରିକ୍ତ ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଦୀପ ରାଉତ କହିଛନ୍ତି। ଏଣେ ଆଜି ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ଥିବାରୁ କିଛି ଭକ୍ତଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ଆଗରୁ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଥିଲେ ମଧ୍ୟ କେତେକ ଭକ୍ତ ଆଜି ଦର୍ଶନ ପାଇଁ ପୁରୀ ଆସିଥିଲେ। ମାତ୍ର ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ରବିବାର ଥିବାରୁ ପୂର୍ବ ସୂଚନା ବାବଦରେ ଅବଗତ ନଥିବା ବହୁ ଭକ୍ତ ଆଜି ଦର୍ଶନ ପାଇଁ ଆସି ପତିତପାବନଙ୍କ ଦର୍ଶନରେ ସନ୍ତୁଷ୍ଟ ରହିଥିଲେ।