ବର୍ଷା-ଅନୁଭବ ବିବାଦ: ଭିଡିଓ ସୁଟିଂକୁ ନେଇ ଏତଲା ଦେଲେ ବର୍ଷା

ଦୁଇ ଜଣଙ୍କୁ ଥାନାକୁ ଡକାଇ ପୁଲିସର ଜେରା, ଗଣେଶ ପୂଜା ଭିଡିଓ ଜାରି କଲେ ଅନୁଭବ

କଟକ: ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦକୁ ନେଇ ପୁରୀଘାଟ ଥାନାରେ ଏକ ଏତଲା ରୁଜୁ ହୋଇଛି। ଗତକାଲି ବର୍ଷା ପୁଲିସକୁ ସୁରକ୍ଷା ପାଇଁ ଅନୁରୋଧ କରିଥିବା ବେଳେ ଏ ସଂକ୍ରାନ୍ତରେ ଏକ ଲିଖିତ ଏତଲା ପୁରୀଘାଟ ଥାନାରେ ରୁଜୁ ହୋଇଛି। ବର୍ଷାଙ୍କ ପକ୍ଷରୁ ତାଙ୍କ ବଡ଼ ଭଉଣୀ ଏହି ଏତଲା ଥାନାରେ ଦେଇଛନ୍ତି। ଏତଲା ପାଇବା ପରେ ପୁଲିସ ଅନୁଭବଙ୍କ ସହଯୋଗୀ ଓ କର୍ମଚାରୀଙ୍କୁ ଥାନାକୁ ଡକାଇ ଜେରା କରିଛି। ଏଥିସହିତ, ବର୍ଷାଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବର୍ଷା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଗଲା ୭ ତାରିଖ, ସୋମବାର ଦିନ ପ୍ରାୟ ୨ଟା ୪୦ ବେଳେ ସେ ନନ୍ଦୀସାହି ସ୍ଥିତ ଘରେ ନିଜ ବେଡରୁମରେ ଏକୁଟିଆ ଥିଲେ। ସେହି ସମୟରେ ଘରର ରୋଷେୟା ତାଙ୍କୁ ଖାଇବାକୁ ଆଣି ଦେଇଥିଲେ। ସେ ଖାଉଥିବା ସମୟରେ ଅନୁଭବଙ୍କ ସହଯୋଗୀ ସୁଜିତ ଦଳେଇ ରୁମ୍‌ ଭିତରକୁ ପଶି ଆସି ମୋବାଇଲରେ ସୁଟିଂ କରିଥିଲେ।

ବର୍ଷାଙ୍କ ପାଇଁ ୨୪ ଘଣ୍ଟିଆ ପୁଲିସ ସୁରକ୍ଷା

ସେହି ସମୟରେ ଖଗେନ୍ଦ୍ର ଡ୍ରଇଂରୁମରେ ଥିଲେ। ସେମାନେ କାହିଁକି ଏମିତି କରୁଛନ୍ତି ବୋଲି ପଚାରି ଥିବାବେଳେ ସେମାନେ କିଛି ନ କହି ସେଠାରୁ ପଳାଇ ଥିଲେ। ସେ ଏକୁଟିଆ ଥିବାରୁ ମାନସିକ ସ୍ତରରେ ଦୁର୍ବଳ ହୋଇ ଆତଙ୍କିତ ଅବସ୍ଥାରେ ନିଜର ସୁରକ୍ଷା ପାଇଁ ଡାଏଲ ୧୦୦କୁ ଫୋନ୍ କରି ଅବଗତ କରାଇଥିଲେ। ପୁଲିସ ବି ଆସି ପହଞ୍ଚି ଘରେ ସମସ୍ତଙ୍କୁ ପଚାରଉଚରା କରିଥିଲା। କିନ୍ତୁ ଏଭଳି ଘଟଣା ତାଙ୍କୁ ଘରୁ ତଡି ଦେବା ପାଇଁ ଏକ ଷଡ଼୍‌ଯନ୍ତ୍ର ବୋଲି ବର୍ଷା ଉଲ୍ଲେଖ କରିବା ସହିତ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏତଲା ପରେ ପୁଲିସ ଆଜି ସନ୍ଧ୍ୟାରେ ସୁଜିତ ଏବଂ ଖଗେନ୍ଦ୍ରଙ୍କୁ ଥାନାକୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରିଛି। କାହିଁକି ଓ କାହା କଥାରେ ସେମାନେ ବର୍ଷାଙ୍କ ବେଡରୁମରେ ଭିଡିଓ ରେକର୍ଡିଂ କରୁଥିଲେ ବୋଲି ପୁଲିସ ସେମାନଙ୍କଠାରୁ ଜାଣିବାକୁ ଚାହିଁଛି। କିନ୍ତୁ ପୁଲିସ ଏ ସଂପର୍କରେ ଅଧିକ କିଛି କହିବାକୁ ମନା କରି ଦେଇଛି। ତେବେ, କମିସନ‌ରେଟ୍‌ ପୁଲିସ୍‌ ପକ୍ଷରୁ ୨୪ ଘଣ୍ଟିଆ ପୁଲିସ୍‌ ଡ୍ୟୁଟି କରାଯାଇଛି। ୩ ଜଣ ମହିଳା କନେଷ୍ଟବଳ ପାଳି ଭିତ୍ତିରେ ଏହି ସୁରକ୍ଷା ଦାୟିତ୍ବରେ ରହିବେ।

ଗୋଟିଏ ପଟେ ବର୍ଷାଙ୍କ ଏତଲା ଭିତ୍ତିରେ ପୁଲିସ ଛାନଭିନ୍ ଆରମ୍ଭ କରି ଦେଇଥିବା ବେଳେ ଅନ୍ୟପଟେ ଅନୁଭବ ଟୁଇଟରରେ ନିଜ ଘରେ ଚଳିତ ବର୍ଷ ପାଳନ ହୋଇଥିବା ଗଣେଶ ପୂଜାର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ କେହି ଘରୋଇ ହିଂସାର ଶିକାର ହେଲା ପରି ମନେହେଉଛି କି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ। ଅନୁଭବ ଜାରି କରିଥିବା ଭିଡିଓରେ ଘରେ ଗଣେଶ ପୂଜା ହେଉଥିବାବେଳେ ବର୍ଷାଙ୍କ ସହିତ ଅନୁଭବଙ୍କ ବାପା, ମା’ ଓ ଅନ୍ୟମାନେ ଏକାଠି ପୂଜାରେ ସାମିଲ ହୋଇଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଆଜି ସୋସିଆଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି। ବର୍ଷା ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣିବା ସେ କେମିତି ଶାଶୂ ଘରେ ରହୁଛନ୍ତି ବୋଲି ଗଲାକାଲି ଅନୁଭବ ଗଣମାଧ୍ୟମରେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର