ପରିବାର ଅଦାଲତରେ ବର୍ଷା-ଅନୁଭବ ହାଜର, ବିଚାରପତିଙ୍କ ଚାମ୍ବରରେ ଉଭୟ ବସି ମତ ରଖିଲେ

କଟକ : ପରିବାର ଅଦାଲତରେ ବୁଧବାର ଦିନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ପୂର୍ବରୁ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳିପାରି ନଥିବା ବେଳେ ଆଜି ପରିବାର ଅଦାଲତ ପୁଣି ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ ପ୍ରସଙ୍ଗକୁ ବିଚାରକୁ ନେଇଛନ୍ତି। ଚାମ୍ବରରେ ବିଚାରପତିଙ୍କ ନିକଟରେ ଉପସ୍ଥିତ ରହି ଅନୁଭବ ଓ ବର୍ଷା ବ୍ୟକ୍ତିଗତ ଭାବେ ନିଜ ନିଜର ମତ ରଖିଛନ୍ତି। ଦୀର୍ଘସମୟ ଧରି ଉଭୟ ବିଚାରପତିଙ୍କ ଚାମ୍ବରରେ ରହିଥିଲେ। ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ବିବାଦର ସମାଧାନ ପାଇଁ ଆଜି ଉଦ୍ୟମ କରାଯାଇଥିବା ବେଳେ ଫଳାଫଳ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ଅନ୍ୟପକ୍ଷରେ, ଆଜି ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଅନୁଭବ ଓ ବର୍ଷା ୫ ହଜାର ଟଙ୍କା ଲେଖାଏ ଜମା କରି ଏ ସଂପର୍କିତ ପ୍ରମ‌ାଣପତ୍ର ଦାଖଲ କରିଥିଲେ। ଅଦାଲତଙ୍କ ସେପ୍ଟେମ୍ବର ୯ର ନିର୍ଦ୍ଦେଶ ଅନୁସାରେ ବର୍ଷାଙ୍କ ତରଫରୁ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଥିଲା। ମାମଲାର ତ୍ବରିତ୍‌ ଫଏସଲା ପ୍ରସଂଗରେ ସେ ପରିବାର ଅଦାଲତଙ୍କୁ ସହଯୋଗ କରିବେ, କୌଣସି ମିଥ୍ୟା ସତ୍ୟପାଠ ଦାଖଲ କରିବେ ନାହିଁ ବୋଲି ବର୍ଷାଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।

ଗତ ସେପ୍ଟେମ୍ବର ୯ରେ ପରିବାର ଅଦାଲତ ବର୍ଷା ଓ ଅନୁଭବ ଦାୟର କରିଥିବା ପୃଥକ୍‌ ଆବେଦନକୁ ଗ୍ରହଣ କରିବା ସହିତ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସାକ୍ଷ୍ୟ ଗ୍ରହଣ ପାଇଁ ଅନୁମତି ଲୋଡ଼ି ବର୍ଷା ଦାୟର କରିଥିବା ଆବେଦନକୁ ଅଦାଲତ ଗ୍ରହଣ କରିବା ସହିତ ଏଥିପାଇଁ ସର୍ତ୍ତମୂଳକ ଅନୁମତି ଦେଇଥିଲେ। ଏଥିସହିତ ଛାଡ଼ପତ୍ର ଆବେଦନରେ ବିବାହ ସ୍ଥାନ ସଂ‌ଶୋଧନ ପ୍ରସଂଗ ନେଇ ଅନୁଭବଙ୍କ ତରଫରୁ ଦାୟର ଆବେଦନକୁ ଅଦାଲତ ଗ୍ରହଣ କରି ଏଥିପାଇଁ ସର୍ତ୍ତମୂଳକ ଅନୁମତି ଦେଇଥିଲେ। ଅନୁଭବଙ୍କ ଛାଡ଼ପତ୍ର ଆବେଦନରେ ବର୍ଷା ଓ ତାଙ୍କର ବିବାହ ଦିଲ୍ଲୀରେ ହୋଇଥିବା ଉଲ୍ଲେଖ କରାଯାଇଥିବା ବେଳେ ଏଥିରେ ସଂଶୋଧନ ପାଇଁ ଆବେଦନ କରାଯାଇଥିଲା। ଆବେଦନରେ ବିବାହ ସ୍ଥାନ ପ୍ରସଂଗରେ ସଂଶୋଧନ ପାଇଁ ଅଦାଲତ ଅନୁମତି ଦେବା ସହିତ ଅନୁଭବଙ୍କୁ ୫ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, ଅନୁଭବଙ୍କ ତରଫରୁ ଦାୟର ଛାଡ଼ପତ୍ର ଆବେଦନ ଓ ଦାମ୍ପତ୍ୟଜୀବନ ସୁରକ୍ଷିତ ରଖିବା ପ୍ରସଂଗକୁ ନେଇ ବର୍ଷା ରୁଜୁ କରିଥିବା ଆବେଦନର କଟକ ପରିବାର ଅଦାଲତରେ ଶୁଣାଣି ଚାଲିଛି। ଏହି ମାମଲାରେ ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ବେଳେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆଗକୁ ହେବ। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ବତ ଆଚାର୍ଯ୍ୟ ଏବଂ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର