କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘରେ ରହିବେ ବର୍ଷା ପ୍ରିୟଦର୍ଶିନୀ। ଅନୁଭବଙ୍କ ପୈତୃକ ଘର ଛାଡ଼ି ଭଡ଼ାଘରେ ବର୍ଷା ରହିବାପାଇଁ ସଦର ଏସ୍ଡିଜେଏମ୍ ଅଦାଲତ କରିଥିବା ନିର୍ଦ୍ଦେଶ ଉପରେ ଆଜି କଟକ ଜିଲ୍ଲା ଓ ଦୌରା ଜଜ୍ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥିସହିତ ଏହି ମାମଲାରେ ଅନୁଭବଙ୍କୁ ଅଦାଲତ ଆଜି ନୋଟିସ୍ ଜାରି କରିଛନ୍ତି। କଟକ ସଦର ଏସ୍ଡିଜେଏମ ଅଦାଲତଙ୍କ ୨୦୨୨, ଜୁନ୍ ୨ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ବର୍ଷା ଦାୟର କରିଥିବା ଆବେଦନର ଶୁଣାଣି କରି ଜିଲ୍ଲା ଓ ଦୌରାଜଜ୍ ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪କୁ ଧାର୍ଯ୍ୟ କରାଯାଇଛି। ଏସଡିଜେଏମ୍ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି ପରେ ବର୍ଷା ଅନୁଭବଙ୍କ ଘରେ ଅନ୍ୟାଦେଶ ପର୍ଯ୍ୟନ୍ତ ରହିବେ ବୋଲି ସ୍ପଷ୍ଟ ହୋଇଛି।
ବର୍ଷାଙ୍କ ପାଇଁ ବିକଳ୍ପ ରହିବା ବ୍ୟବସ୍ଥା ଅନୁଭବ କରିବା ସପକ୍ଷରେ ଏସ୍ଡିଜେଏମ୍ ଅଦାଲତ ରାୟ ଦେଇଥିଲେ। ଏଥିପାଇଁ ପତ୍ନୀ ବର୍ଷାଙ୍କୁ ଘରଭଡ଼ା ବାବଦରେ ପ୍ରତିମାସର ୧୦ ତାରିଖ ସୁଦ୍ଧା ସ୍ବାମୀ ଅନୁଭବ ୩୦ ହଜାର ଟଙ୍କାଦେବେ। ଘରଭଡ଼ା ବାବଦ ପ୍ରଥମ ମାସିକ ଅର୍ଥ ମିଳିବାର ଦୁଇମାସ ଭିତରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ି ବିକଳ୍ପ ବାସଭବନରେ ରହିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ପୁରୀଘାଟ ଥାନା ଅଞ୍ଚଳରେ ଥିବା ବାସଭବନରେ ବର୍ଷା ରହୁଥିବାବେଳେ ତାଙ୍କ ପାଇଁ ବିକଳ୍ପ ରହିବା ବ୍ୟବସ୍ଥା ପାଇଁ ଅନୁମତି ଲୋଡ଼ି ଅନୁଭବ ଦାଖଲ କରିଥିବା ଆବେଦନକୁ ଗ୍ରହଣ କରି ଅଦାଲତ ଏପରି ରାୟ ପ୍ରଦାନ କରିଥିଲେ।
ଅନୁଭବଙ୍କ ପୁରୀଘାଟ ନନ୍ଦୀସାହିସ୍ଥିତ ପୈତୃକ ଘରେ ଏବେ କେବଳ ବର୍ଷା ରହୁଛନ୍ତି। ତାଙ୍କ ବାପା-ମା’ ଓ ଅନ୍ୟ ପରିବାର ସଦସ୍ୟ ଅନ୍ୟତ୍ର ଭଡ଼ାଘରେ ରହୁଛନ୍ତି ବୋଲି ଅନୁଭବ ଦର୍ଶାଇଥିଲେ। ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ନିୟମିତ ଚିକିତ୍ସାରେ ରହିଛନ୍ତି। ଏହି ପୈତୃକ ଘର ସହିତ ପରିବାରର ବରିଷ୍ଠ ସଦସ୍ୟମାନଙ୍କ ଭାବାବେଗ ବିଶେଷ ଭାବେ ଜଡ଼ିତ। ଏହିଘରେ ବର୍ଷା ଏବେ ରହୁଥିବା ବେଳେ ତାଙ୍କ ପାଇଁ ବିକଳ୍ପ ଘର ବ୍ୟବସ୍ଥା କରବାକୁ ସେ ପ୍ରସ୍ତୁତ। ବର୍ଷା ଅନ୍ୟତ୍ର ରହିବାରେ କିଛି ଅସୁବିଧା ନାହିଁ କାରଣ ତାଙ୍କୁ ପୁଲିସ ସୁରକ୍ଷା ମିଳିଛି। ତେଣୁ ବର୍ଷାଙ୍କ ପାଇଁ ଅନ୍ୟତ୍ର ଘର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁଭବଙ୍କ ତରଫରୁ ଏସ୍ଡିଜେଏମ୍ ଅଦାଲତରେ ଦର୍ଶାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Anubha-and-Barsha.jpg)