କଟକ : ହାଇକୋର୍ଟରେ ବର୍ଷା-ଅନୁଭବ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ ତାରିଖରେ ହେବ। କିନ୍ତୁ, ଗଣମାଧ୍ୟମ ସମ୍ମୁଖରେ ବର୍ଷାଙ୍କ ବ୍ୟକ୍ତିଗତ ପ୍ରସଙ୍ଗ ନେଇ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କୌଣସି ମନ୍ତବ୍ୟ ଦେବା ଉପରେ ଅଙ୍କୁଶ ଜାରିକରି ୨୦୨୨, ମେ ୨୭ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୋସିଆଲ ମିଡିଆରେ ଅନୁଭବ ଭିଡିଓ ଛାଡ଼ି ବିଭିନ୍ନ କଥା କହୁଥିବା ବେଳେ ବର୍ଷା ଏହି ପ୍ରସଙ୍ଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୨, ମେ ୨୭ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ବର୍ଷାଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ଅନୁଭବ ଆଉ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇପାରିବେ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପରସ୍ପରକୁ ଆକ୍ଷେପ କରି ଆବେଦନକାରୀ ବର୍ଷା ଓ ପ୍ରତିପକ୍ଷ ଅନୁଭବ ସର୍ବସାଧାରଣରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ।
ବର୍ଷାଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/anubhav-barsha-1.png)