କଟକ: କଟକ ପରିବାର ଅଦାଲତରେ ଆଜି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ପୂର୍ବରୁ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳିପାରି ନଥିବା ବେଳେ ଆଜି ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ମଧ୍ୟସ୍ଥତା ନକରି ମାମଲାର ଶୁଣାଣି ହେଉ ବୋଲି ଅନୁଭବଙ୍କ ପକ୍ଷରୁ ପିଟିସନ ଦାଖଲ ହୋଇଛି।

Advertisment

ଆଜି ପରିବାର ଅଦାଲତ ବିଚାରପତିଙ୍କ କକ୍ଷରେ ଉଭୟ ଅନୁଭବ ଓ ବର୍ଷା ଉପସ୍ଥିତ ରହି ନିଜନିଜର ମତ ରଖିଥିଲେ। ଆଲୋଚନା ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ସହମତି ହୋଇପାରି ନଥିଲା। ବର୍ଷା ତାଙ୍କ ବିରୋଧରେ ଏକାଧିକ ଫୌଜଦାରୀ ମାମଲା ରୁଜୁ କରିଥିବା ପ୍ରସଙ୍ଗ ଅନୁଭବ ଉଠାଇଥିଲେ। ବର୍ଷା ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଅନୁଭବଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଥିଲେ। ଏହାପରେ, ଅନୁଭବ ଏକ ପିଟିସନ ଦାଖଲ କରି ମଧ୍ୟସ୍ଥତା ପ୍ରକ୍ରିୟା ବନ୍ଦ କରି ମାମଲାର ତ୍ବରିତ୍‌ ଶୁଣାଣି କରାଯାଉ ବୋଲି ଦର୍ଶାଇଥିଲେ। ଅନ୍ୟପକ୍ଷରେ, ଅଦାଲତ ଯାହା ନିର୍ଦ୍ଦେଶ ପ୍ରଦାନ କରିବେ, ତାହା ମାନି ଶୁଣାଣିରେ ସହଯୋଗ କରିବେ ବୋଲି ବର୍ଷା ଦର୍ଶାଇଥିଲେ। ଏଭଳି ସ୍ଥିତିରେ ବିନା କୌଣସି ଫଳାଫଳ ଭି‌ତରେ ମଧ୍ୟସ୍ଥତା ପ୍ରକ୍ରିୟାର ଅନ୍ତ ଘଟିଛି। ଫଳରେ, ପରିବାର ଅଦାଲତରେ ମାମଲାର ଶୁଣାଣି ଚାଲିବ। ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ‌େଶଷ ହୋଇଥିବା ବେଳେ ଆଗକୁ ବର୍ଷାଙ୍କର ସାକ୍ଷ୍ୟ ଗ୍ରହଣ ହେବ। ଅନୁଭବଙ୍କ ତରଫରୁ ତାଙ୍କ ଆଇନଜୀବୀ ବର୍ଷାଙ୍କୁ ଜେରା କରିବେ। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ବତ ଆଚାର୍ଯ୍ୟ ଏବଂ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୧୪ରେ ବିଚାରପତିଙ୍କ ନିକଟରେ ଉପସ୍ଥିତ ରହି ଅନୁଭବ ଓ ବର୍ଷା ବ୍ୟକ୍ତିଗତ ଭାବେ ନିଜ ମତ ରଖିଥିଲେ। ଦୀର୍ଘସମୟ ଧରି ଉଭୟ ବିଚାରପତିଙ୍କ ଚାମ୍ବରରେ ଥିଲେ। ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା। ମଧ୍ୟସ୍ଥତା ପ୍ରକ୍ରିୟା ଅସମ୍ପୂର୍ଣ୍ଣ ଥିବାବେଳେ ମାମଲାର ଶୁଣାଣି ସେପ୍ଟେମ୍ବର ୨୭କୁ ଧାର୍ଯ୍ୟ କରାଯାଇଥିଲା।