କଟକ : ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ କଟକ ପରିବାର ଅଦାଲତ ୨୦୨୨, ନଭେମ୍ବର ୩ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ଆଜି ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥିସହିତ ଅନୁଭବ ମହାନ୍ତିଙ୍କ ତରଫରୁ ଦାୟର ଆବେଦନକୁ ବିଚାର ପାଇଁ ଗ୍ରହଣ କରି ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଫେବ୍ରୁଆରି ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଏ ନେଇ ଅନୁଭବଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଲଳିତେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ପରିବାର ଅଦାଲତରେ ଜେରାବେଳେ ଅନୁଭବଙ୍କ ତରଫରୁ ଆଇନଜୀବୀ ବର୍ଷାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କିନ୍ତୁ, କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନକୁ ନେଇ ବର୍ଷାଙ୍କ ତରଫରୁ ଆପତ୍ତି କରାଯାଇଥିଲା। ଏଭଳି ପ୍ରଶ୍ନ ପଚରା ଯାଇପାରିବ ନାହିଁ ବୋଲି ବର୍ଷାଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ, ମାମଲାର ଉପଯୁକ୍ତ ବିଚାର ପାଇଁ ଏହିସବୁ ପ୍ରଶ୍ନ ଗୁରୁତ୍ବପୂର୍ଣ୍ଣ ବୋଲି ଅନୁଭବଙ୍କ ତରଫରୁ ଆଇନଜୀବୀ ପରିବାର ଅଦାଲତରେ ଦର୍ଶାଇଥିଲେ। ଏଥିସହିତ ଅଦାଲତରେ ବର୍ଷାଙ୍କୁ ଇଂରାଜୀରେ ପ୍ରଶ୍ନ ପଚରାଯାଇଥିବା ବେଳେ ସେ କିନ୍ତୁ ଓଡ଼ିଆରେ ଉତ୍ତର ଦେଇଥିଲେ। ଅନୁଭବଙ୍କ ତରଫରୁ ପ୍ରଶ୍ନ ଇଂରାଜୀରେ କରାଯାଉଥିବାରୁ ଉତ୍ତର ମଧ୍ୟ ସମାନ ଭାଷାରେ ଦିଆଯିବା ଉଚିତ ବୋଲି ଦର୍ଶାଯାଇଥିଲା।
ଅନୁଭବଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୀତା ଲୁଥ୍ରା, ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ବତ ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।