ବର୍ଷା-ଅନୁଭବ ବିବାଦ: ଇଡିରେ ଫେରାଦ ହେଲେ ଅନୁଭବ

‘ଭିନ୍ନ ପରିଚୟ ଦେଇ ଟିକସ ଫାଙ୍କୁଛନ୍ତି ବର୍ଷା’

ଭୁବନେଶ୍ୱର : ବିବାହ ବିଚ୍ଛେଦ ନେଇ ଦିନକୁ ଦିନ ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ବିବାଦ ବଢ଼ିବାରେ ଲାଗିଛି। କିଛିଦିନ ତଳେ ଅନୁଭବ ବର୍ଷାଙ୍କୁ ସୋସିଆଲ୍‌ ମିଡିଆରେ ବାରମ୍ବାର ସମାଲୋଚନା କରି ବିବାଦରେ ଘେରକୁ ଆସିଥିଲେ। ସୋସିଆଲ୍‌ ମିଡିଆରେ ବର୍ଷାଙ୍କ ବିରୋଧରେ କୌଣସି ମତ ନଦେବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ଏବେ ପୁଣି ପତ୍ନୀ ବର୍ଷାଙ୍କ ବିରୋଧରେ ସାଂସଦ ଅନୁଭବ ମହାନ୍ତି ପ୍ରବର୍ତ୍ତନ ନି‌ର୍ଦେଶାଳୟ(ଇଡି)ରେ ଫେରାଦ ହୋଇଛନ୍ତି। ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ତଥା କଳାଟଙ୍କା ରଖିଥିବା ନେଇ ଅନୁଭବ ଅଭିଯୋଗ ଆଣିଛନ୍ତି।

ଅଭିଯୋଗରେ ସେ ଦର୍ଶାଯାଇଛି ଯେ ଟିକସ ଫାଙ୍କିବା ପାଇଁ ବର୍ଷା ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ସରକାରୀ ଦସ୍ତାବିଜରେ ଭିନ୍ନ ଭିନ୍ନ ପରିଚୟ ଦେଇଛନ୍ତି। ବିଭିନ୍ନ ସରକାରୀ ଦସ୍ତାବିଜରେ ଭର୍ଷା ପ୍ରିୟଦର୍ଶିନୀ ସାହୁ ଓରଫ ବର୍ଷା ପ୍ରିୟଦର୍ଶିନୀ ସାହୁ ଓରଫ ବର୍ଷା ପ୍ରିୟଦର୍ଶିନୀ ଓରଫ ଭର୍ଷା ପ୍ରିୟଦର୍ଶିନୀ ଭଳି ଏକାଧିକ ନାଁ ଉଲ୍ଲେଖ ରହିଛି। ସେହିପରି ମାଟ୍ରିକ ସାର୍ଟିଫିକେଟ୍, ଜନ୍ମ ସାର୍ଟିଫିକେଟ୍, ଆଧାର କାର୍ଡ, ପ୍ୟାନ୍ କାର୍ଡ, ପାସପୋର୍ଟ ଓ ବ୍ୟାଙ୍କ ପାସ୍‌ବୁକରେ ନାମ, ମଝି ନାମ ଏବଂ ସାଙ୍ଗିଆ ଭିନ୍ନ ଭିନ୍ନ ରହିଛି। ଆକ୍ସିସ୍ ବ୍ୟାଙ୍କରେ ବର୍ଷାଙ୍କର ଏକାଧିକ ଆକାଉଣ୍ଟ ଥିବା ବେଳେ ସେଥିରେ ନାଁର ବନାନ୍ ମଧ୍ୟ ଭିନ୍ନ ଭିନ୍ନ ରହିଛି। କେବଳ ଏତିକି ନୁହେଁ, ବର୍ଷା କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ସ୍ୱୀକାର କରିଛନ୍ତି ଯେ ୬ବର୍ଷର ବୈବାହିକ ଜୀବନରେ ସେ ପ୍ରାୟ ୧୩କୋଟି ଟଙ୍କାର କ୍ଷତି ସହିଛନ୍ତି। ପ୍ରତ୍ୟେକ ଫିଲ୍ମ ପାଇଁ ସେ ୨୦ଲକ୍ଷ ଟଙ୍କା ଫି’ ନେଇଥାନ୍ତି। ଏଥିରୁ ସ୍ପଷ୍ଟ ଯେ, ସେ ବିବାହ ପୂର୍ବରୁ ବର୍ଷକୁ ୨କୋଟି ଟଙ୍କା ଉପାର୍ଜନ କରୁଥିଲେ। ଏପର୍ଯ୍ୟନ୍ତ ଆୟକର ଦାଖଲ କରିଛନ୍ତି କି ନାହିଁ ଅନୁଭବ ପ୍ରଶ୍ନ ଉଠାଇଛନ୍ତି। ଗତ ଜୁନ୍ ୭ତାରିଖରେ ଅନୁଭବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ୱର ଜୋନାଲ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକଙ୍କୁ ଏହି ଚିଠି ଲେଖିଥିଲେ।

ସମ୍ବନ୍ଧିତ ଖବର