ଘରୋଇ ହିଂସା ମାମଲା: ଅନୁଭବ ଆସିଲେ, ବର୍ଷା ଆସିଲେନି

ସାମାଜିକ ଗଣମାଧ୍ୟମରେ ସକ୍ରିୟ ବ୍ୟକ୍ତିଙ୍କୁ କୋର୍ଟ ଆସିବାକୁ ୫ ମିନିଟ୍ ମିଳୁନି: ଅନୁଭବ

କଟକ : କଟକ ସଦର ଏସ୍‌ଡି‌ଜେଏମ୍ ଅଦାଲତ ମଧ୍ୟସ୍ଥତା କେନ୍ଦ୍ରରେ ଆଜି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପହଞ୍ଚିଥିବା ବେଳେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କିନ୍ତୁ ‌ଆସି ନ ଥିଲେ। ଏଭଳି ସ୍ଥିତିରେ ଅନୁଭବ ବର୍ଷାଙ୍କୁ ସମାଲୋଚନା କରି ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବ୍ୟକ୍ତିଙ୍କୁ କୋର୍ଟ ଆସିବାକୁ କ’ଣ ୫ ମିନିଟ୍‌ ସମୟ ମିଳୁନି ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ବର୍ଷା ଅସୁସ୍ଥତା କାରଣରୁ କୋର୍ଟକୁ ଆସିପାରି ନାହାନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି।

ସୂଚନା ଅନୁଯାୟୀ, ଘରୋଇ ହିଂସା ଅଭିଯୋଗ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହି ମାମଲା ରୁଜୁ କରିଥିବାବେଳେ ତାରିଖ ଅନୁଯାୟୀ ଆଜି ଅନୁଭବ ମହାନ୍ତି ହାଜର ହୋଇଥିଲେ। ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ ସମ୍ଭାବନାକୁ ଦୃଷ୍ଟିରେ ରଖି କଟକ ସଦର ଏସ୍‌ଡିଜେଏମ୍ ବର୍ଷା-ଅନୁଭବଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଧାର୍ଯ୍ୟ ତାରିଖ ଅନୁସାରେ ଆଜି ଅନୁଭବ ଆଇନଜୀବୀଙ୍କ ସହିତ ଜିଲ୍ଲା ଅଦାଲତ ପରିସରରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ବର୍ଷା ଆସି ନ ଥିଲେ। ମଧ୍ୟସ୍ଥତା କେନ୍ଦ୍ରରୁ ଅନୁଭବ ବାହାରିବା ପରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ସେ ଗତକାଲି ଆସିଥିଲେ, ଆଜି ବି ଆସିଛନ୍ତି। କିନ୍ତୁ ମାମଲା ରୁଜୁ କରିଥିବା ବର୍ଷା ଆସୁନାହାନ୍ତି। ସେ ମାମଲାରେ ଦାଖଲ କରିଥିବା ଜବାବର କପି ଗ୍ରହଣ କରିବାକୁ ଆସୁନାହାନ୍ତି। ମଧ୍ୟସ୍ଥତା କେନ୍ଦ୍ରକୁ ବି ଆସୁ ନାହାନ୍ତି। ଯେଉଁ ମଣିଷକୁ ବହୁତ ସମୟ ମିଳୁଛି ସୋସିଆଲ ମିଡିଆରେ ବିଭିନ୍ନ କଥା, ‌ଫଟୋ ପୋଷ୍ଟ କରିବାକୁ, ତାଙ୍କୁ କ’ଣ କୋର୍ଟ ଆସିବାକୁ ୫ ମିନିଟ୍‌ ମିଳୁନି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।

ଅନୁଭବ କହିଛନ୍ତି ଯେ, ସେ ସବୁ ଦିନ ଆସୁଛନ୍ତି ମଧ୍ୟସ୍ଥତା କେନ୍ଦ୍ରକୁ। କିନ୍ତୁ ୭ ମାସ ହେଲାଣି କିଛି ଫଳ ମିଳୁନାହିଁ। ମେଡିଏସନ୍ କ୍ଲୋଜ୍ କରିବା ପାଇଁ  ଚାରି ଥର ଲେଖିକି ଦେଇ ସାରିଲେଣି। ଆଜି ବି ମେଡିଏସନ୍ କ୍ଲୋଜ କରି ରିପୋର୍ଟ ପଠାଇବାକୁ ସେ ଅନୁରୋଧ କରିଛନ୍ତି ଏବଂ ଯଥାଶୀଘ୍ର ମାମଲାର ସମାଧାନ ଚାହାନ୍ତି ବୋଲି କହିଛନ୍ତି। ମଧ୍ୟସ୍ଥତା କେନ୍ଦ୍ରରୁ ରିପୋର୍ଟ ଗଲେ ହିଁ ବର୍ଷା ‌ଘରୋଇ ହିଂସାକୁ ନେଇ ରୁଜୁ କରିଥିବା ମାମଲାର ଶୁଣାଣି ଆଗେଇବ। ଅନ୍ୟପକ୍ଷରେ ବର୍ଷାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରାମକୃଷ୍ଣ ରଥ କହିଛନ୍ତି ଯେ, ବର୍ଷା ଅସୁସ୍ଥ ଥିବାରୁ ଆଜି ମଧ୍ୟସ୍ଥତା କେନ୍ଦ୍ରକୁ ଯାଇପାରି ନ ଥିଲେ। ସେ ଅସୁସ୍ଥତା କାରଣରୁ ଆସି ପାରିବେ ନାହିଁ ବୋଲି ପୂର୍ବରୁ ମଧ୍ୟସ୍ଥତା କେନ୍ଦ୍ରରେ ଜଣାଇଥିଲେ। ଅନୁଭବ ପୂର୍ବରୁ ମଧ୍ୟସ୍ଥତାକୁ ନାହିଁ କରିଥିଲେ। ପୂର୍ବରୁ ଏକାଧିକ ଥର ବର୍ଷା ମଧ୍ୟସ୍ଥତା କେନ୍ଦ୍ରକୁ ଆସିଥିବା ବେଳେ ଅନୁଭବ ଆସୁ ନ ଥିଲେ। ଏବେ କରୋନା କଟକଣା ଯୋଗୁଁ ଅଦାଲତରେ ଜରୁରୀ ମାମଲା ଶୁଣାଣି କରାଯାଉଥିବା ବେଳେ ଅନୁଭବ ମଧ୍ୟସ୍ଥତା କେନ୍ଦ୍ରକୁ ଆସି ବର୍ଷାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ କରିବା ଉଚିତ ନୁହେଁ ବୋଲି ଶ୍ରୀ ରଥ କହିଛନ୍ତି।

ସମ୍ବନ୍ଧିତ ଖବର