ମଧ୍ୟସ୍ଥତା ପ୍ରକ୍ରିୟାରେ ବର୍ଷାଙ୍କ ଆସ୍ଥା ନାହିଁ: ଅନୁଭବ

କଟକ : କଟକ ପରିବାର ଅଦାଲତର ମଧ୍ୟସ୍ଥତା କେନ୍ଦ୍ରରେ ବୁଧବାର ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ମଧ୍ୟସ୍ଥତା କେନ୍ଦ୍ରରେ କାଉନସେଲର/ମିଡିଏଟରଙ୍କ ନିକଟରେ ଉଭୟ ନିଜ ପକ୍ଷ ରଖିଥିଲେ। କିନ୍ତୁ ପୂର୍ବ ନିର୍ଦ୍ଦେଶ ଅନୁସାରେ ବର୍ଷା କାଉନସେଲରଙ୍କ ନିକଟରେ କେତେକ ନିର୍ଦ୍ଦି‌ଷ୍ଟ ପ୍ରସଂଗରେ ଲିଖିତ ଭାବେ ମତ ଦେଇନଥିଲେ। ବିବାଦର ଆପୋସ ସମାଧାନ ଉପରେ କାଉନସେଲର ଉଦ୍ୟମ କରିଥିବାବେଳେ ଆଜି ବି କିଛି ସୁଫଳ ବାହାରି ପାରିନାହିଁ। ମଧ୍ୟସ୍ଥତା ପ୍ରକ୍ରିୟା ଆଜି ଅଧା ରହିଛି।

ଅନ୍ୟପକ୍ଷରେ ମଧ୍ୟସ୍ଥତା ପ୍ରକ୍ରିୟା ନେଇ ବର୍ଷା କେତେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଦର୍ଶାଇ ଅନୁଭବଙ୍କ ତରଫରୁ ପରିବାର ଅଦାଲତରେ ଆବେଦନ ଦାଖଲ କରାଯାଇଛି। ବର୍ଷାଙ୍କ ମନ୍ତବ୍ୟରୁ ଅଦାଲତ ଅବମାନନା ଘଟଣା ସ୍ପଷ୍ଟ ହୋଇଛି। ବର୍ଷାଙ୍କ ଏହି ମଧ୍ୟସ୍ଥତା ପ୍ରକ୍ରିୟା ପ୍ରତି ଆସ୍ଥା ନାହିଁ ବୋଲି ଅନୁଭବଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି। ଏଭଳି ସ୍ଥିତିରେ ମଧ୍ୟସ୍ଥତା ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପକାଯାଉ ବୋଲି ଅନୁଭବଙ୍କ ତରଫରୁ ନିବେଦନ କରାଯାଇଛି। ଅନୁଭବଙ୍କ ଏହି ଆବେଦନ ଉପରେ ଗୁରୁବାର ଦିନ ପରିବାର ଅଦାଲତରେ ଶୁଣାଣି କରାଯିବ। ଅନ୍ୟପକ୍ଷରେ ମଧ୍ୟସ୍ଥତା କେନ୍ଦ୍ର ତରଫରୁ ଆଜି ଏହି ମାମଲାରେ ଏକ ଅନ୍ତରୀଣ ରିପୋର୍ଟ ପରିବାର ଅଦାଲତରେ ଦାଖଲ କରାଯାଇଥିବା ସୂଚନା ମିଳିଛି। ମଧ୍ୟସ୍ଥତା ପ୍ରକ୍ରିୟାର ଚୂଡାନ୍ତ ରିପୋର୍ଟ ଦାଖଲ ପରେ ପରିବାର ଅତାଲତରେ ଅନୁଭବ ଦାୟର କରିଥିବା ଛାଡପତ୍ର ମାମଲାର ଶୁଣାଣି‌ ଆଗେଇବ। ଅନୁଭବଙ୍କ ତରଫରୁ ଆଇନଜୀବୀ ଅାଲୋକ କୁମାର ମହାପାତ୍ର ଓ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମଧ୍ୟସ୍ଥତା କେନ୍ଦ୍ରରୁ ରିପୋର୍ଟ ଆସିବା ପରେ ଉଭୟଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ଆଗେଇବ।

ସମ୍ବନ୍ଧିତ ଖବର