ଜିଲ୍ଲା ଦୌରାଜଜ୍ ଅଦାଲତରେ ବର୍ଷା ନିରାଶ: ଅନୁଭବଙ୍କ ଘର ଛାଡ଼ିବାକୁ ନିର୍ଦ୍ଦେଶ

କଟକ : ସାଂସଦ ଅନୁଭବ ମହାନ୍ତିଙ୍କ ଘର ଛାଡ଼ିବା ପ୍ରସଙ୍ଗକୁ ନେଇ ଚାଲିଥିବା ମାମଲାରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। କଟକ ସଦର ଏସଡିଜେଏମ ଅଦାଲତଙ୍କ ୨୦୨୨, ଜୁନ୍ ୨ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ବର୍ଷା ଦାୟର କରିଥିବା ଆବେଦନ ଶୁଣାଣିରେ ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏସ୍‌ଡିଜେଏମ୍ ଅଦାଲତଙ୍କ ରାୟ କାଏମ ରହିଛି। ଫଳରେ, ବର୍ଷା ଅନୁଭବଙ୍କ ଘର ଛାଡ଼ି ଭଡ଼ାଘରେ ରହିବେ ବୋଲି ସ୍ପଷ୍ଟ ହୋଇଛି।

‌ଗତ ଜୁନ୍‌ ୨ ତାରିଖରେ ବର୍ଷାଙ୍କ ପାଇଁ ବିକଳ୍ପ ରହିବା ବ୍ୟବସ୍ଥା ସପକ୍ଷରେ ଏସ୍‌ଡିଜେଏମ୍ ଅଦାଲତ ରାୟ ଦେଇଥିଲେ। ଏଥିପାଇଁ ପତ୍ନୀ ବର୍ଷାଙ୍କୁ ଅନୁଭବ ଘରଭଡ଼ା ବାବଦରେ ପ୍ରତିମାସର ୧୦ ତାରିଖ ସୁଦ୍ଧା ସ୍ବାମୀ ଅନୁଭବ ୩୦ ହଜାର ଟଙ୍କା ଦେବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ପୁରୀଘାଟ ଥାନା ଅଞ୍ଚଳରେ ଥିବା ବାସଭବନରେ ବର୍ଷା ରହୁଥିବା ବେଳେ ତାଙ୍କ ପାଇଁ ବିକଳ୍ପ ରହିବା ବ୍ୟବସ୍ଥା ପାଇଁ ଅନୁମତି ଲୋଡ଼ି ଅନୁଭବ ଦାଖଲ କରିଥିବା ଆବେଦନକୁ ଗ୍ରହଣ କରି ଅଦାଲତ ଏପରି ରାୟ ପ୍ରଦାନ କରିଥିଲେ। ଏହି ରାୟ ବିରୋଧରେ ବର୍ଷା ଜିଲ୍ଲା ଓ ଦୌରା ଜଜ୍ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।

ଅନ୍ୟପକ୍ଷରେ, ପରିବାର ଅଦାଲତରେ ବିଚାରାଧୀନ ମାମଲାରେ ଅନୁଭବଙ୍କୁ ଅଧିକ ଜେରା ପ୍ରସଙ୍ଗକୁ ନେଇ ବର୍ଷା ହାଇକୋର୍ଟରେ ଦାୟର କରିଥିବା ଆବେଦନର ଆଜି ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ଉଭୟ ବର୍ଷା ଓ ଅନୁଭବଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସେପ୍ଟେମ୍ବର ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଛାଡ଼ପତ୍ର ମାମଲାରେ ୨୦୨୨, ଜୁଲାଇ ୧୧ରେ ଅନୁଭବଙ୍କୁ ବର୍ଷାଙ୍କ ତରଫରୁ ଆଇନଜୀବୀ ଅଧିକ ଜେରା କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଅନୁଭବଙ୍କୁ ପୁନର୍ବାର ଜେରାପାଇଁ ଅନୁମତି ଲୋଡି ତଥା ଜୁଲାଇ ୧୧ର ନିର୍ଦ୍ଦେଶକୁ ପ୍ରତ୍ୟାହାର ପ୍ରସଙ୍ଗ ନେଇ ବର୍ଷାଙ୍କ ତରଫରୁ ଦାୟର ଆବେଦନକୁ ପରିବାର ଅଦାଲତ ଅଗଷ୍ଟ ୧୬ରେ ଖାରଜ କରିଥିଲେ। ପରିବାର ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର