କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ଅଭିଯୋଗ ଆଣି ୨୦୨୦ରେ ଦାୟର କରିଥିବା ମାମଲାରେ ଆଜି ବୁଧବାର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। କଟକ ସଦର ଏସଡିଜେଏମ ଅଦାଲତରେ ବୁଧବାର ବର୍ଷା ଉପସ୍ଥିତ ଥିଲେ। ପୂର୍ବରୁ ବ‌ର୍ଷାଙ୍କ ତରଫରୁ ସାକ୍ଷ୍ୟ ସତ୍ୟପାଠ ଦାଖଲ କରାଯାଇଥିବା ବେଳେ ଆଜି ଅଦାଲତରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସତ୍ୟପାଠ ସହିତ ଦାଖଲ ବିଭିନ୍ନ ନଥିପତ୍ରକୁ ବର୍ଷା ଚିହ୍ନଟ କରିଥିଲେ। ପରବର୍ତ୍ତୀ ତାରିଖରେ ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ଜେରା କରିବେ। ଅନ୍ୟପକ୍ଷରେ ଅନୁଭବଙ୍କ ତରଫରୁ ମାମଲାର ତ୍ବରିତ ଶୁଣାଣି ପ୍ରସଙ୍ଗ ନେଇ ଅଦାଲତରେ ଏକ ପିଟିସନ ଦାଖଲ କରାଯାଇଛି। ୨୦୨୪ରେ ନିର୍ବାଚନ ହେବାକୁ ଥିବା ବେଳେ ତାଙ୍କ ରାଜନୈତିକ କ୍ୟାରିରକୁ ପ୍ରଭାବିତ କରିବା ପାଇଁ ମାମଲା ଗଡ଼ାଇବା ଲାଗି ବର୍ଷା ଚାହୁଁଛନ୍ତି ବୋଲି ଅନୁଭବଙ୍କ ଆବେଦନରେ ଅଭିଯୋଗ କରାଯାଇଛି।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୫ରେ ବର୍ଷା ଓ ଅନୁଭବ ଏସଡିଜେଏମ ଅଦାଲତରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମଧ୍ୟସ୍ଥତା ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଏସଡିଜେଏମଙ୍କ ଚାମ୍ବରରେ ବର୍ଷା ଓ ଅନୁଭବ ଉପସ୍ଥିତ ରହି ନିଜ ପକ୍ଷ ରଖିଥିଲେ। ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ନଥିବାରୁ ଆଜି ବୁଧବାର ଅଭିଯୋଗକାରୀ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ, କଟକ ସଦର ଏସ୍‌ଡିଜେଏମ୍ ଅଦାଲତରେ ବର୍ଷା ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ (ପ୍ରୋଟେକ୍ସନ୍ ଅପ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ), ୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ରେ କ୍ଷତିପୂରଣ ଓ ଭରଣପୋଷଣ ଦାବି କରି ମାମଲା ରୁଜୁ କରିଥିଲେ।

ତାଙ୍କର ହୋଇଥିବା ଶାରୀରିକ, ମାନସିକ, ଆର୍ଥିକ କ୍ଷତିପୂରଣ ଭରଣା ପାଇଁ ଘରେ ରହିବାକୁ ଅଧିକାର ଦେବା, ନଚେତ ଘରଭଡା ବାବଦ ଟଙ୍କା ଦେବା, ମାସିକ ଖର୍ଚ୍ଚ ତୁଲାଇବାକୁ ପ୍ରତିମାସରେ ୫୦ ହଜାର ଟଙ୍କା ଦେବା, ମେଡିକାଲ ଖର୍ଚ୍ଚ ବାବଦକୁ ଟଙ୍କା ଏବଂ ତାଙ୍କର ଆୟର ବାଟ ବନ୍ଦ କରି ଦେଇଥିବାରୁ ଏ ବାବଦରେ ଅର୍ଥ ଦେବା ପାଇଁ ଅନୁଭବଙ୍କୁ ନିର୍ଦ୍ଦେଶ ଦେବା ଲାଗି ବର୍ଷା ଅଦାଲରେ ନିବେଦନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ‌ବର୍ଷାଙ୍କ ପାଇଁ ବିକଳ୍ପ ରହିବା ବ୍ୟବସ୍ଥା ଅନୁଭବ କରିବା ସପକ୍ଷରେ ଏସଡିଜେଏମ୍ ଅଦାଲତ ୨୦୨୨, ଜୁନ ୨ରେ ରାୟ ଦେଇଥିଲେ। ଏଥି ପାଇଁ ପତ୍ନୀ ବର୍ଷାଙ୍କୁ ଘର ଭଡା ବାବଦରେ ପ୍ରତିମାସର ୧୦ ତାରିଖ ସୁଦ୍ଧା ସ୍ବାମୀ ଅନୁଭବ ୩୦ ହଜାର ଟଙ୍କା ଦେବେ। ଘରଭଡା ବାବଦ ପ୍ରଥମ ମାସିକ ଅର୍ଥ ମିଳିବାର ଦୁଇ ମାସ ଭିତରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡି ବିକଳ୍ପ ବାସଭବନରେ ରହିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ, ସିଦ୍ଧାର୍ଥ ଦାସ ଓ ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଛନ୍ତି।