କଟକ: ହାଇକୋର୍ଟରୁ ଆଜି ବର୍ଷା ପ୍ରିୟଦର୍ଶିନୀ ମାମଲା ପ୍ରତ୍ୟାହାର କରିଛନ୍ତି। କଟକ ପରିବାର ଅଦାଲତଙ୍କ ଅଗଷ୍ଟ ୧୬ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ଅଭିନେତ୍ରୀ ବର୍ଷା ହାଇକୋର୍ଟରେ ଦାୟର କରିଥିବା ଆବେଦନକୁ ଆଜି ପ୍ରତ୍ୟାହାର କରିଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ସମୟରେ ଆବେଦନ ପ୍ରତ୍ୟାହାର ପାଇଁ ବର୍ଷାଙ୍କ ତରଫରୁ ଅନୁମତି ଲୋଡ଼ା ଯାଇଥିଲା। ହାଇକୋର୍ଟ ଏଥି ପାଇଁ ଅନୁମତି ଦେବା ସହିତ ବର୍ଷାଙ୍କ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଛାଡ଼ପତ୍ର ମାମଲାରେ ୨୦୨୨, ଜୁଲାଇ ୧୧ରେ ଅନୁଭବ ମହାନ୍ତିଙ୍କୁ ବର୍ଷାଙ୍କ ତରଫରୁ ଆଇନଜୀବୀ ଅଧିକ ଜେରା କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ଷାଙ୍କ ତରଫରୁ କେହି ଉପସ୍ଥିତ ନଥିବାରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ କରିବାକୁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଅନୁଭବଙ୍କୁ ପୁନର୍ବାର ଜେରା ପାଇଁ ଅନୁମତି ଲୋଡି ତଥା ଜୁଲାଇ ୧୧ର ନିର୍ଦ୍ଦେଶକୁ ପ୍ରତ୍ୟାହାର ପ୍ରସଂଗ ନେଇ ବର୍ଷାଙ୍କ ତରଫରୁ ଦାୟର ଆବେଦନକୁ ପରିବାର ଅଦାଲତ ଅଗଷ୍ଟ ୧୬ରେ ଖାରଜ କରିଥିଲେ। ପରିବାର ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ବର୍ଷା ଅଗଷ୍ଟ ୨୩ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଅନୁଭବଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।