୨ ମାସ ଭିତରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ଅଦାଲତ
ପ୍ରତି ମାସରେ ୩୦ ହଜାର ଟଙ୍କା ଦେବେ ଅନୁଭବ
କଟକ : ପୁରୀଘାଟ ଥାନା ଅଞ୍ଚଳରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପୈତୃକ ଘରେ ଆଉ ରହିବେନି ବର୍ଷା ପ୍ରିୟଦର୍ଶିନୀ। ପ୍ରତିମାସ ୧୦ ତାରିଖ ସୁଦ୍ଧା ଘରଭଡ଼ା ବାବଦରେ ତାଙ୍କୁ ୩୦ହଜାର ଟଙ୍କା ଦେବେ ଅନୁଭବ। ଘରଭଡ଼ା ବାବଦ ପ୍ରଥମ ମାସିକ ଅର୍ଥ ମିଳିବାର ଦୁଇ ମାସ ଭିତରେ ସେ ଅନୁଭବଙ୍କ ପୈତୃକ ଘର ଛାଡ଼ି ଅନ୍ୟତ୍ର ରହିବେ। ଅନୁଭବ ଦାଖଲ କରିଥିବା ଆବେଦନକୁ ଗ୍ରହଣ କରି କଟକ ସଦର ଏସ୍ଡିଜେଏମ୍ ଏପରି ରାୟ ପ୍ରଦାନ କରିଛନ୍ତି।
ଅନୁଭବଙ୍କ ପୈତୃକ ଘରେ ଏବେ କେବଳ ବର୍ଷା ରହୁଛନ୍ତି। ତାଙ୍କ ବାପା-ମା’ ଓ ପରିବାର ସଦସ୍ୟ ଅନ୍ୟତ୍ର ଭଡ଼ାଘରେ ରହୁଛନ୍ତି ବୋଲି ଅନୁଭବ ଦର୍ଶାଇଥିଲେ। ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ନିୟମିତ ଚିକିତ୍ସାରେ ରହିଛନ୍ତି। ଏହି ପୈତୃକ ଘର ସହିତ ପରିବାରର ବରିଷ୍ଠ ସଦସ୍ୟମାନଙ୍କ ଭାବାବେଗ ବିଶେଷଭାବେ ଜଡ଼ିତ। ଏହିଘରେ ବର୍ଷା ଏବେ ରହୁଥିବାବେଳେ ତାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ସେ ପ୍ରସ୍ତୁତ। ବର୍ଷା ଅନ୍ୟତ୍ର ରହିବାରେ କିଛି ଅସୁବିଧା ନାହିଁ, କାରଣ ତାଙ୍କୁ ପୁଲିସ ସୁରକ୍ଷା ମିଳିଛି। ତେଣୁ ବର୍ଷାଙ୍କ ପାଇଁ ଅନ୍ୟତ୍ର ଘର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ବର୍ଷାଙ୍କ ଆୟ ଓ ସଂପତ୍ତି ସଂପର୍କିତ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଅନୁଭବ ଦାଖଲ କରିଥିବା ଆବେଦନକୁ ଅଦାଲତ ଖାରଜ କରିଛନ୍ତି। ଏ ନେଇ ଅନୁଭବଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଲୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ଅଦାଲତଙ୍କ ନିର୍ଦ୍ଦେଶ ସଂକ୍ରାନ୍ତରେ ଅବଗତ ହେବାପରେ ଅନୁଭବ ତାଙ୍କ ଓକିଲଙ୍କ ଚାମ୍ବରରେ ପହଞ୍ଚି ଥିଲେ। ସେ ଭାବବିହ୍ବଳ ହୋଇ ପଡିଥିଲେ। କିନ୍ତୁ, ଗଣମାଧ୍ୟମ ସମ୍ମୁଖରେ କୌଣସି ମନ୍ତବ୍ୟ ସେ ଦେଇ ନଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅନୁଭବଙ୍କ ବିରୋଧରେ ବର୍ଷା ଘରୋଇ ହିଂସା ଅଭିଯୋଗ ଆଣି କରିଥିବା ମାମଲାର ଜୁନ୍ ୨୨ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ବିବାହ ବିଚ୍ଛେଦ ମାମଲାର ପରିବାର ଅଦାଲତରେ ଜୁଲାଇ ୪, ୫ ଓ ୬ରେ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।