ବର୍ଷାଙ୍କ ଘରୋଇ ହିଂସା ମାମଲା : ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ଅନୁଭବ, ସମୟ ନେଲେ

ଫେବ୍ରୁଆରି ୨୩ରେ ହାଜର ହେବାକୁ ନିର୍ଦ୍ଦେଶ

କଟକ : କଟକ ସଦର ଏସ୍‌ଡି‌ଜେଏମ୍ ଅଦାଲତରେ ଘରୋଇ ହିଂସା ଅଭିଯୋଗ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରୁଜୁ କରିଥିବା ମାମଲାରେ ଆଜି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ହାଜର ହୋଇନାହାନ୍ତି। ବିବାଦର ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ପାଇଁ ଅଦାଲତ ବର୍ଷା-ଅନୁଭବଙ୍କୁ ହାଜର ହେବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଧାର୍ଯ୍ୟ ତାରିଖ ଅନୁସାରେ ଆଜି ବର୍ଷା ନିଜ ଆଇନଜୀବୀଙ୍କ ସହିତ ଜିଲ୍ଲା ଅଦାଲତ ପରିସରରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ଅନୁଭବ ଆସି ନଥିଲେ। ଅନୁଭବଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସମୟ ଲୋଡ଼ି ଏକ ପିଟିସନ୍ ମଧ୍ୟସ୍ଥତା କେନ୍ଦ୍ରରେ ଦାଖଲ କରିଥିଲେ। ଅନୁଭବ ଦିଲ୍ଲୀରେ ଅଛନ୍ତି ବୋଲି ପିଟିସନରେ ଉଲ୍ଲେଖ କରାଯାଇଥିଲା। ଫେବ୍ରୁଆରି ୨୩କୁ ମାମଲାର ଶୁଣାଣି ଧାର୍ଯ୍ୟ କରାଯାଇଥିବା ବେଳେ ଉଭୟଙ୍କୁ ସେ ଦିନ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ବିବାଦର ଆପୋସ ସମାଧାନ ପାଇଁ ଆଇନଜୀବୀ ସ୍ମିତରଂଜନ ପଟ୍ଟନାୟକଙ୍କୁ କାଉନସେଲର/ମେଡିଏଟର ଭାବେ ଅଦାଲତ ନିଯୁକ୍ତି ଦେଇଛନ୍ତି। ଘରୋଇ ହିଂସା ସଂପର୍କିତ ଏହି ମାମଲାରେ ଉଭୟ ବର୍ଷା-ଅନୁଭବ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇ ନିଜ ମତ ରଖିବା ପରେ କାଉନସେଲରଙ୍କ ପକ୍ଷରୁ ଏ ସଂପର୍କିତ ରିପୋର୍ଟ ଅଦାଲତରେ ଦାଖଲ କରାଯିବ।

ଘରୋଇ ହିଂସା ଅଭିଯୋଗ ନେଇ ବର୍ଷା ମାମଲା ଦାଏର୍‌ କରିଥିଲେ।। କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ବିଭିନ୍ନ ସଂଗିନ ଅଭିଯୋଗ ଆଣିବା ସହିତ ଭରଣପୋଷଣ ଏବଂ କ୍ଷତିପୂରଣ ବାବଦକୁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରି କଟକ ଏସ୍‌ଡିଜେଏମ୍ ଅଦାଲତର ଦ୍ବାରସ୍ଥ ‌େହାଇଛନ୍ତି। ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ-୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ ଅନୁଯାୟୀ ବର୍ଷା ଏହି ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ଗତ ଅକ୍ଟୋବର ୧୨ରେ ଅଦାଲତ ଅନୁଭବଙ୍କୁ ଜବାବ ରଖିବାକୁ ନୋଟିସ୍ କରିଥିଲେ। ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ ଓ ଅନୁଭବଙ୍କ ତରଫରୁ ଆଇନଜୀବୀ ରମେଶଚନ୍ଦ୍ର ସ୍ବାଇଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର