କଟକ : କଟକ ପରିବାର ଅଦାଲତରେ ସୋମବାର ଦିନ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ପରିବାର ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ସାକ୍ଷ୍ୟ ଗ୍ରହଣ ସମୟରେ ସତ୍ୟପାଠ ସହିତ ଦାଖଲ କରିଥିବା କେତେକ ନଥିପତ୍ର ବର୍ଷା ଅଦାଲତରେ ଚିହ୍ନଟ କରିଥିଲେ। ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଓକିଲ ଜେରା କରିଥିଲେ। ଜେରା ସମୟରେ ବର୍ଷାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରା ଯାଇଥିଲା। ବର୍ଷା ତାହାର ଉତ୍ତର ଦେଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଚାଲିଥିଲା। ଆଜି ସାକ୍ଷ୍ୟ ଗ୍ରହଣ ଅଧା ରହିଛି। ବୁଧବାର ଦିନ ପୁଣି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବ। ଅନ୍ୟପକ୍ଷରେ ସାକ୍ଷୀ ସତ୍ୟପାଠ ସହିତ ବର୍ଷା ଦାଖଲ କରିଥିବା କେତେକ ନଥିପତ୍ରକୁ ଗ୍ରହଣ ନ କରିବାକୁ ପ୍ରାର୍ଥନା କରି ଅନୁଭବଙ୍କ ତରଫରୁ ଏକ ପିଟିସନ ଦାଖଲ କରାଯାଇଛି।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅନୁଭବ-ବର୍ଷା ମାମଲାର ଆପୋସ ସମାଧାନ ପାଇଁ ପରିବାର ଅଦାଲତରେ କରାଯାଉଥିବା ଉଦ୍ୟମ ଫଳପ୍ରଦ ହୋଇ ନଥିଲା। ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପୂର୍ବରୁ ଶେଷ ହୋଇଥିବା ବେଳେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ଅନୁଭବଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୀତା‌ ଲୁଥ୍ରା, ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ବତ ଆଚାର୍ଯ୍ୟ ଏବଂ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।