ଆନନ୍ଦପୁର: ଝାଡ଼େଶ୍ବର ଘାଟରେ ବାରୁଣୀ ଯାତ୍ରାକୁ ଆଉ ସାତଦିନ ରହିଲା। ଏହିଦିନ ବୈତରଣୀ ନଦୀରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ହେଲେ ବୈତରଣୀର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବା ଯୋଗୁଁ ଝାଡ଼େଶ୍ବର ଘାଟ ଶୁଖିଲା ପଡ଼ିଛି। ଏଣୁ ଶ୍ରଦ୍ଧାଳୁମାନେ କିପରି ବୁଡ଼ ପକାଇବେ ତାକୁ ନେଇ ସମସ୍ତେ ଚିନ୍ତା‌ରେ । ଉପରମୁଣ୍ଡ ସିଂହନାଳୀଠାରେ ଥିବା ବୈତରଣୀ ପାୱାର ପ୍ରୋଜେକ୍ଟ ପାଣିକୁ ଅଟକ ରଖି ମନଇଚ୍ଛା ଛାଡ଼ୁଥିବାରୁ ଝାଡ଼େଶ୍ବର ଘାଟରେ କେତେବେଳେ ପାଣି ତ ଆଉ କେତେବେଳେ ଶୁଖିଲା ପଡ଼ୁଛି। ଏପ୍ରିଲ ୬ରେ ପଡ଼ୁଛି ବାରୁଣୀ ସ୍ନାନ। ଝାଡ଼େଶ୍ବରଙ୍କ ପୀଠରେ ସାତଦିନ ବ୍ୟାପୀ ବାରୁଣୀ ମେଳା ଅନୁଷ୍ଠିତ ହେବ। ଏହିଦିନ ଝାଡ଼େଶ୍ବର ଘାଟରେ ବୁଡ଼ ପକାଇବାର ଏକ ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କ ସମାଗମ ହୋ‌ଇଥାଏ। ଚଳିତବର୍ଷ ବୈତରଣୀ ନଦୀ ଶୁଖିଲା ପଡ଼ିଛି। ନଦୀର ଗଣ୍ଡ କୁହାଯାଉଥିବା ଘସିପୁରା ବ୍ଲକ୍‌ ଘାଟରେ ପାଦେପାଦେ ପାଣି ରହିଛି। ଉପରମୁଣ୍ଡ‌ରେ ଥିବା ପାୱାର ପ୍ରୋଜେକ୍ଟ ନଦୀଜଳକୁ ନିୟନ୍ତ୍ରଣ କରୁଥିବାରୁ ତଳମୁଣ୍ଡରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ବେଳେ ବେଳେ ପାୱାର ପ୍ରୋଜେକ୍ଟ ପକ୍ଷରୁ ବିନା କୌଣସି ସୂଚନାରେ ପାଣି ଛଡ଼ା ଯାଉଥିବା ଅଭିଯୋଗ ହୋଇଛି।

Advertisment

କେନ୍ଦ୍ରୀୟ ଜଳ ଆୟୋଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୮ଟାରେ ରାଜଘାଟଠାରେ ବୈତରଣୀ ନଦୀର ଜଳସ୍ତର ୩୧.୮୨ମିଟର, ୨୮ ତାରିଖରେ ୩୧.୮୧ ମିଟର, ୨୭ରେ ୩୧.୮୩ ମିଟର, ୨୬ରେ ୩୧.୮୬ ମିଟର, ୨୫ରେ ୩୧.୮୪ ମିଟର, ୨୪ରେ ୩୧.୮୩ମିଟର ରହିଥିଲା। ୨୦୨୩ରେ ଆଜିର ଦିନରେ ଆନନ୍ଦପୁରରେ ଜଳସ୍ତର ୩୧.୭୩ ମିଟର, ୨୦୨୨ରେ ୩୨.୦୮ମିଟର ଥିଲା। ଚଳିତବର୍ଷ କମ୍ ବୃଷ୍ଟିପାତ ଯୋଗୁଁ ନଦୀର ଜଳସ୍ତର ଅପେକ୍ଷାକୃତ ଭାବେ ହ୍ରାସ ପାଇଛି। ଆଗକୁ ବର୍ଷା ନହେଲେ ଜଳସ୍ତର ଆହୁରି କମିଯିବ ବୋଲି ଜଳ ଆୟୋଗର ଅଧିକାରୀ ରାକେଶ ରାଉତ କହିଛନ୍ତି। ଏପଟେ ଗ୍ରୀଷ୍ମପ୍ରବାହ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି। ଗତ ୫୦ବର୍ଷ ମଧ୍ୟରେ ବୈତରଣୀ ନଦୀର ଏଭଳି ଅବସ୍ଥା ହୋଇନଥିଲା ବୋଲି ସ୍ଥାନୀୟ ବାସିନ୍ଦା ସନାତନ ନାଇକ କହିଛନ୍ତି। ନଦୀ ଶୁଖିଲା ପଡ଼ିଥିବାରୁ ବ‌ାରୁଣୀ ବୁଡ଼ ପକାଇବାରେ ସମସ୍ୟା ହେବ ବୋଲି ଘସିପୁରାର ନିରଞ୍ଜନ ସାହୁ କହିଛନ୍ତି।