ଖଲ୍ଲିକୋଟ : ଦୀର୍ଘ ୮୩ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ‌ବହୁ ବାଦବିବାଦ ପରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନ୍‌ଏସି ଅଧୀନ ଫାସୁଳା ଗ୍ରାମର ୮୫ ଜଣ ମହାରଣା (ଶିଳ୍ପୀ) ପରିବାର ଉପରୁ ପୁରୁଷାନୁକ୍ରମିକ ସାମାଜିକ ବାସନ୍ଦ ଆଦେଶ ପ୍ରତ୍ୟାହୃତ ହୋଇଛି। ଏହି ଘଟଣାକୁ ନେଇ ଯେଉଁ ରୋଚକ ତଥ୍ୟ ସାମ୍‌ନାକୁ ଆସିଛି, ତାହା ହେଉଛି ୩୦୦ ବର୍ଷ ତଳେ ସେମାନଙ୍କ ପୂର୍ବ ବଂଶଧରରୁ ୪ଜଣ ବଂଶଜ ଏଠାକୁ ଆସିଥିଲେ।

Advertisment

ସୂଚନା ଅନୁସାରେ, ପ୍ରାୟ ୩୦୦ ବର୍ଷ ତଳେ ଖଲ୍ଲିକୋଟର ତତ୍କାଳୀନ ରାଜା ରାଜବାହାଦୂର ବାଲୁକେଶ୍ବର ମର୍ଦ୍ଦରାଜ ପୁରୀରୁ ୨ ଓ ନୟାଗଡ଼ରୁ ୨ ମହାରଣା (ଶିଳ୍ପୀ) ପରିବାରକୁ ମନ୍ଦିର ଏବଂ ବିଭିନ୍ନ ସ୍ଥାପତ୍ୟ କୀର୍ତ୍ତିରାଜିର ପ୍ରତିଷ୍ଠା ପାଇଁ ଡକାଇଥିଲେ। ଫାସୁଳା ଗ୍ରାମରେ ସେମାନଙ୍କୁ ରହିବାକୁ ବାସ ଯୋଗାଇ ଦେଇଥିଲେ। ଏହାସହ ଜୀବିକା ନିର୍ବାହ ପାଇଁ ୧୨୭୫ ଭରଣ ଚାଷଜମି ଯୋଗାଇବା ସହ ମର୍ଦ୍ଦରାଜ ସାଗର ନାମକ ଏକ ପୋଖରୀ ମଧ୍ୟ ପ୍ରତିଷ୍ଠା କରାଇଥିଲେ। ପରବର୍ତ୍ତୀ ସମୟରେ ଏହି ଶିଳ୍ପୀ ପରିବାରମାନେ ଖଲ୍ଲିକୋଟ ସହରରେ ଥିବା ଅବିକଳ ପୁରୀ ବଡ଼ଦେଉଳ ନିର୍ମାଣ ଶୈଳୀରେ ପ୍ରତିଷ୍ଠିତ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ନିର୍ମଳଝରରେ ଥିବା ସୁନ୍ଦର ମନ୍ଦିର ଏବଂ ଆଖପାଖ ଅଞ୍ଚଳରେ ବହୁ ମନ୍ଦିର ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସୁନ୍ଦର କାରୁକାର୍ଯ୍ୟର ନିଦର୍ଶନ ପ୍ରଦର୍ଶନ କରିଥିଲେ।

କାଳକ୍ରମେ ସେମାନେ ରାଜା ଦେଇଥିବା ଚାଷଜମି ଉପରେ ନିର୍ଭର ଓ ଗୋପାଳନ ନ କରି ପ୍ରତିପୋଷଣ ପାଇଁ ସଂପୂର୍ଣ୍ଣ ଭାବେ ରାଜପରିବାର ଉପ‌ରେ ନିର୍ଭରଶୀଳ ହୋଇ ଫାସୁଳାରେ ବସବାସ କରି ଆସୁଥିଲେ। ରାଜପରିବାର ପକ୍ଷରୁ ମିଳିଥିବା ସମସ୍ତ ସୁବିଧାସୁଯୋଗ ବନ୍ଦ ହେବାପରେ ପରିବାର ପ୍ରତିପୋଷଣ ପାଇଁ ସମସ୍ତ ପରିବାରର ସଦସ୍ୟ ଅନ୍ୟ ରାଜ୍ୟକୁ କାମ କରିବା ଲାଗି ଚାଲି ଚାଲି ଅନ୍ୟ ରାଜ୍ୟକୁ ପଳାଇଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ସେମାନେ ଗାଁକୁ ଫେରିଲେ, ସେତେବେଳେ ତତ୍କାଳୀନ ବଢ଼େଇ କୁଳର ସଦସ୍ୟମାନେ ଆପତ୍ତି ଅଭିଯୋଗ ଉଠାଇଥିଲେ। ‘କେଉଁଠି ଖାଉଥିଲ, କାହାସହ ଚଳୁଥିଲ’ ବୋଲି ପ୍ରଶ୍ନ କରିବା ସହ କୁଳସମାଜର ନୀତିନିୟମକୁ ଉଲ୍ଲଂଘନ କରିଛ ବୋଲି କହିଥିଲେ। ଫଳରେ ସର୍ବସମ୍ମତି କ୍ରମେ ଶିଳ୍ପୀ ପରିବାରମାନଙ୍କ ଉପରେ ଜରିମାନା ପକାଯାଇଥି‌ଲା। ଜାତି ବିରୋଧରେ କୌଣସି କାମ କରି ନଥିବାରୁ ଆମେ ଜରିମାନା ଦେଇପାରିବୁନି ବୋଲି ଶିଳ୍ପୀ ପରିବାର ପକ୍ଷରୁ କୁହାଯାଇଥିଲା। ଜରିମାନା ନଦେବାରୁ ମୋଟ ୮୫ଟି ପରିବାରକୁ ବାସନ୍ଦ କରାଯାଇଥିଲା।