ଶାଳଣିଆ ବଜାରରେ ବାପପୁଅ ବାସନ୍ଦ

ହାଟଡିହି : ହାଟଡିହି ବ୍ଲକ୍‌ ଶାଳଣିଆଁ ଗ୍ରାମର ବାପପୁଅଙ୍କୁ ଶାଳଣିଆଁ ବଜାରରେ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ଶିବଚରଣ ବେହେରାଙ୍କ ପୁଅ ଶିଶିର କୁମାର ବେହେରାଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖରେ ଲକ୍ଷ୍ମୀପୂଜା ପାଇଁ ମେଲୋଡି ହେଉଥିଲା। ସେ ମେଲୋଡି ଦେଖିବାକୁ ଯାଇଥିବା ବେଳେ ଆଶିଷ ବେହେରା ନାମକ ଜଣେ ଯୁବକଙ୍କ ସହ ତାଙ୍କର ଗଣ୍ଡଗୋଳ ହେବାରୁ ସେ ତାଙ୍କୁ ମାଡ ମାରିଥିଲା। ଏନେଇ ତାଙ୍କ ମା’ ବଜାର କମିଟି ସଭାପତିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ କେହି କିଛି ନ ବୁଝିବାରୁ ଘଟଣାର ଦୁଇଦିନ ପରେ ତାଙ୍କ ବାପା ଶିବଚରଣ ବେ‌ହେରା ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ପରେ ଶିବଚରଣ ବନ୍ତ ଯାଉଥିବା ବେଳେ ଶାଳଣିଆଁର ୪ଜଣ ବ୍ୟକ୍ତି ତାଙ୍କୁ ରାସ୍ତାରେ ଅଟକାଇ କାହିଁକି ଥାନାରେ ଏଫ୍‌ଆଇ୍‌ଆର କଲୁ ବୋଲି କହି ମାର୍‌ପିଟ କରିବା ସହ ଧମକ। ଏନେଇ ସେ ପୁଣି ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ।

ଘଟଣାର ଦୁଇଦିନ ପରେ ବଜାରର ୪ଜଣ ବ୍ୟକ୍ତି ଆସି ଶିବଚରଣଙ୍କ ପାଖରେ ପହଞ୍ଚି ମାମଲାର ସମାଧାନ କରିବାପାଇଁ ବାଧ୍ୟ କରିଥିଲେ। ସେ ପରଦିନ ଏ ସମ୍ପର୍କରେ ଜଣାଇବେ ବୋଲି କହିଥିଲି। ମାମଲାର ସମାଧାନ ନ କରିବାରୁ ବଜାର କମିଟି ସଦସ୍ୟମାନେ ପ୍ରସ୍ତାବ ଗ୍ରହଣ କରି ତାଙ୍କୁ ଓ ତାଙ୍କ ପୁଅଙ୍କୁ ବଜାରରେ ବାସନ୍ଦ କରିଥିବା ଶିବଚରଣ ଅଭିଯୋଗ କରିଛନ୍ତି। ବଜା‌ରରେ ଦୋକାନୀମାନେ ତାଙ୍କୁ ଚା’ ପିଇବାକୁ ମନା କରିବା ସହ କୌଣସି ଦୋକନୀ ସାମଗ୍ରୀ ଦେବାକୁ ମନା କରୁଛନ୍ତି। ତୁମକୁ କୌଣସି ସାମଗ୍ରୀ ବିକ୍ରି ନ କରିବା ପାଇଁ ବଜାର କମିଟି ନିଷ୍ପତ୍ତି ନେଇଛି ବୋଲି କହି ଦୋକାନୀମାନେ ଫେରାଇ ଦେଇଛନ୍ତି। ତେଲଲୁଣ କିଣିବା ପାଇଁ ତାଙ୍କୁ ଅନ୍ୟ ବଜାରକୁ ଯିବାକୁ ପଡ଼ୁଛି। ଏପରି ସାମାଜିକ ବାସନ୍ଦ ତାଙ୍କୁ ମାନସିକ ଆଘାତ ଦେଇଛି ବୋଲି ଶିବଚରଣ କହିଛନ୍ତି।

ଏ ସମ୍ପର୍କରେ ବଜାର କମିଟି ସଭାପତି ଯୋଗେନ୍ଦ୍ର ବେହେରା, ସମ୍ପାଦକ ଅନାଥ ନାୟକ, କୋଷାଧ୍ୟକ୍ଷ କାଳନ୍ଦୀ ସାହୁଙ୍କୁ ପଚାରିବାରୁ ସେମାନେ ସାମାଜିକ ବାସନ୍ଦ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ବାରମ୍ବାର ବଜାରରେ ଗଣ୍ଡଗୋଳ କରିବା ସହ ଦୋକାନୀମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଆମେ ତାଙ୍କୁ ଦୋକାନ ସମ୍ମୁଖରେ ବସାଇ ନଦେବାକୁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି। ଜିନିଷପତ୍ର ବିକ୍ରି ନ କରିବାକୁ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ବଜାର କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର