ବସନ୍ତ ଦାସଙ୍କ ‘ପଲିଟିକାଲ ହିଷ୍ଟ୍ରି ଅଫ୍‌ ମଡର୍ଣ୍ଣ ଓଡ଼ିଶା’ଲୋକାର୍ପିତ

୪୫୦ ପୃଷ୍ଠାରେ ଓଡ଼ିଶାର ୪୫୦ ବର୍ଷର ଦସ୍ତାବିଜ୍

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ୮୧ତମ ଜୟନ୍ତୀ ଅବସରରେ ଆଜି ବୁଦ୍ଧ ମନ୍ଦିରରେ ତାଙ୍କ ଦ୍ବାରା ଲିଖିତ ପୁସ୍ତକ ‘ପଲିଟିକାଲ ହିଷ୍ଟ୍ରି ଅଫ୍‌ ମଡର୍ଣ୍ଣ ଓଡ଼ିଶା’ ଲୋକାର୍ପିତ ହୋଇଛି। ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଡ. ଭଗବାନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଏହି ପୁସ୍ତକ ଓଡ଼ିଶାର ଆଧୁନିକ ରାଜନୈତିକ ଇତିହାସର ଏକ ଜ୍ବଳନ୍ତ ଦସ୍ତାବିଜ୍। ୪୫୦ ପୃଷ୍ଠାରେ ଓଡ଼ିଶାର ୪୫୦ ବର୍ଷର ଇତିହାସ ଲେଖାଯାଇଛି। ଶ୍ରୀ ଦାସ ଜଣେ ସାମ୍ବାଦିକ, ଲେଖକ ହୋଇଥିବାରୁ ପାଠକୀୟ ଢଙ୍ଗରେ ପୁସ୍ତକଟି ରଚନା କରାଯାଇଛି। ଓଡ଼ିଶାର ଇତିହାସ ସଂପର୍କରେ ଅନେକ ସୂଚନା ଏଥିରୁ ମିଳି ପାରିବ। ପୁସ୍ତକରେ ଲେଖକ କିଛି ସ୍ଥାନରେ ଅତ୍ୟନ୍ତ କଠୋର ମଧ୍ୟ ହୋଇଛନ୍ତି ବୋଲି ଭଗବାନ ପ୍ରକାଶ କହିଥିଲେ।

ଅବସରପ୍ରାପ୍ତ ପ୍ରଶାସକ ସଂଜୀବ ହୋତା କହିଲେ, ପୁସ୍ତକରେ ସମୁଦାୟ ୫୪ଟି ଅଧ୍ୟାୟ ଓ ୪ଟି ଭାଗ ରହିଛି। ଓଡ଼ିଶାର ସ୍ବତନ୍ତ୍ର ପ୍ରଦେଶର ସଂଘର୍ଷ ସଂପର୍କରେ ପୁସ୍ତକରେ ଉଲ୍ଲେଖ ରହିଛି। ୧୮୯୩ ମସିହାରେ ପ୍ରଥମେ ସମ୍ବଲପୁରରେ ହିଁ ଭାଷା ଆନ୍ଦୋଳନ ଆରମ୍ଭ ହୋଇଥିଲା। ୧୯୩୬ ଏପ୍ରିଲ ୧ ତାରିଖର ଓଡ଼ିଶାରେ ବେଶ୍ ଗୁରୁତ୍ବ ରହିଥିବା ବେଳେ ୧୯୧୨ ଏପ୍ରିଲ ପହିଲାରେ ବେଙ୍ଗଲ, ବିହାରରୁ ଓଡ଼ିଶା ଅଲଗା ହେବା ଓ ୧୯୩୯ ଏପ୍ରିଲ ୧ରେ ପାରଳା ମହାରାଜାଙ୍କ ନେତୃତ୍ବରେ ପ୍ରଥମ ନେତୃମଣ୍ଡଳୀ ଗଠନ ହେବା ସଂପର୍କରେ ଅନେକ ଜାଣନ୍ତି ନାହିଁ। ସେହିପରି କେନ୍ଦ୍ର ରାଜନୀତି କିଭଳି ଓଡ଼ିଶାର ରାଜନୀତିକୁ ପ୍ରଭାବିତ କରୁଥିଲା, ସେ ସଂପର୍କରେ ପୁସ୍ତକରେ ଉଲ୍ଲେଖ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟକୁ ରାଜ୍ୟ ପ୍ରାଶାସନିକ ସମୟରେ ସବୁର୍ଣ୍ଣ ଯୁଗ ବୋଲି ଲେଖକ ଦର୍ଶାଇଛନ୍ତି। ରାଜନୈତିକ ଇତିହାସ ସହିତ ସାମାଜିକ ଓ ଅର୍ଥନୈତିକ ଇତିହାସ ଜଡ଼ିତ ବୋଲି ଶ୍ରୀ ହୋତା କହିଥିଲେ।

ସଭାପତିତ୍ବ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ କହିଲେ, ଓଡ଼ିଶାରେ ସମସାମୟିକ ଇତିହାସର ଘୋର ଅଭାବ ରହିଛି। ବସନ୍ତ ବାବୁଙ୍କ ପୁସ୍ତକକୁ ରାଜନୈତିକ ଇତିହାସ ବୋଲି କୁହାଯାଉଛି। ମାତ୍ର ସେ ଯଦି ‌ବୃତ୍ତିରେ ଜଣେ ସାମ୍ବାଦିକ ହୋଇ ନଥା’‌ନ୍ତେ, ତାହାଲେ ପୁସ୍ତକରେ ଯେଉଁସବୁ ତଥ୍ୟ ରଖିଛନ୍ତି, ତାହାକୁ ହାସଲ କରିବା ହୁଏତ ସମ୍ଭବ ହୋଇ ନ’ଥାନ୍ତା। ଏ ଦୃଷ୍ଟିରୁ ବସନ୍ତ ବାବୁଙ୍କ ପୁସ୍ତକ ସୂଚନାର ଏକ ଖଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନେକ ପୁସ୍ତକରେ ତଥ୍ୟ ନିଷ୍ଠାର ସହିତ ଦିଆଯାଇ ନଥାଏ। ତେବେ ପୁସ୍ତକ ରଚନା କରିବା ସମୟରେ ଏଥିରେ କେବଳ ଘଟଣାବଳୀର ବର୍ଣ୍ଣନା ରହିବ ନା ଏଥିରେ ନିଜସ୍ବ ମତ ରହିବ, ତାହାକୁ ନେଇ ଦୁଇଟି ମତ ରହିଛି। ପୁସ୍ତକଟି ଇଂରାଜୀ ଭାଷାରେ ରଚନା କରାଯାଇଥିବାରୁ ଓଡ଼ିଶାର ବାହାରେ ରହୁଥିବା ଲୋକମାନେ ଓଡ଼ିଶାର ଇତିହାସ ସଂପର୍କରେ ଜାଣିପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ପୁସ୍ତକର ଲେଖକ ଶ୍ରୀ ଦାସ କହିଲେ, ଲକ୍‌ଡାଉନ୍‌, ସଟ୍‌ଡାଉନ୍ ସମୟରେ ଏହି ପୁସ୍ତକର ରଚନା କରାଯାଇଛି। ୨୦ ବର୍ଷ ପୂର୍ବରୁ ଓଡ଼ିଶାର ଯେଉଁ ରାଜନୈତିକ ପୁସ୍ତକ ରଚନା ହୋଇଥିଲା, ତାହାକୁ ଭିତ୍ତି କରି ଏହାକୁ ରଚନା କରାଯାଇଛି। ଜୁନ୍‌ରୁ ଆରମ୍ଭ ହୋଇ ୩ ମାସ ଭିତରେ ଏହାକୁ ଲେଖା ଯାଇଛି। ଏଥିରେ ଅନେକ ଲୋକ ସହାୟତା କରିଥିବା ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ସୁରେଶ ମନ୍ତ୍ରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ପୂଜ୍ୟ ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିକେ ପବ୍ଲିକେସନ୍‌ର ପରିଚାଳନା ନିର୍ଦେଶକ ବିଜୟ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର