ବାରିପଦା: ଲଘୁଚାପଜନିତ ବର୍ଷା ଓ ବନ୍ୟାରେ ମୟୂରଭଞ୍ଜ ଜିଲ୍ଲାରେ ବହୁ କ୍ଷୟକ୍ଷତି ହୋଇଛି। ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୭ ଜଣଙ୍କ ଜୀବନ ଯାଇଛି। ଏଭଳି ଦୁଃସମୟରେ ବିଜେଡି ନେତାମାନେ ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କୁ ସାହାଯ୍ୟ ଦେଉଛନ୍ତି। ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ କେହି କେହି ନିଜ ପକେଟ୍ରୁ ଅର୍ଥିକ ସହାୟତା ପ୍ରଦାନ କରୁଥିବା ବି ଦେଖାଯାଉଛି। ହେଲେ ଆଶ୍ଚର୍ଯ୍ୟର କଥା; ଜିଲ୍ଲାର ଏକମାତ୍ର ମନ୍ତ୍ରୀ ଭାବେ ପ୍ରତିନିଧିତ୍ବ କରୁଥିବା କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବମ୍ରଙ୍କୁ କେଉଁଠି ହେଲେ ଦେଖିବାକୁ ମିଳୁନି। ଏହାକୁ ନେଇ ରାଜନୈତିକ ମହଲରେ ସରଗରମ ଆଲୋଚନା ହେଉଛି। ବାସନ୍ତୀ ବନ୍ୟାଞ୍ଚଳକୁ ଗଲେନି ନା ଦଳର ନେତାମାନେ ତାଙ୍କୁ ଜାଣିଣୁଣି ଏଥିରୁ ଦୂରେଇ ରଖିଲେ, ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।
ଆଭ୍ୟନ୍ତରୀଣ ମହଲରେ ଚର୍ଚ୍ଚା ହେଉଛି ଯେ ଜିଲ୍ଲାର ବରିଷ୍ଠ ନେତା ସୁଦାମ ମାରାଣ୍ଡିଙ୍କ ନେତୃତ୍ବରେ ବହୁବର୍ଷ ହେଲା ଦଳର ସଂଗଠନ ଚାଲିଛି। ଜିଲ୍ଲା ରାଜନୀତିରେ ତାଙ୍କର ବେଶ୍ ପ୍ରଭାବ ଥିବାରୁ ତାଙ୍କୁ ରାଜସ୍ବ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ମିଳିଥିଲା। ତାଙ୍କ ନେତୃତ୍ବରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ବିପୁଳ ସଫଳତା ବି ପାଇଥିଲା। ଏମିତି କି ବିପକ୍ଷ ବିଜେପି ଏଠାରେ ଗୋଟିଏ ବି ଜିଲ୍ଲା ପରିଷଦ ଆସନ ଜିତି ପାରି ନଥିଲା। ଏସବୁ କାରଣରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ସୁଦାମଙ୍କ ମନ୍ତ୍ରୀପଦ ସୁରକ୍ଷିତ ରହିବ ବୋଲି ତାଙ୍କ ସମର୍ଥକ ଗୋଷ୍ଠୀ ନିଶ୍ଚିତ ଥିଲେ। ସେପଟେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୁଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇ କରଞ୍ଜିଆରୁ ପ୍ରଥମଥର ପାଇଁ ବିଧାୟିକା ହୋଇଥିବା ବାସନ୍ତୀ ହେମ୍ବ୍ରମଙ୍କୁ ମନ୍ତ୍ରୀପଦ ଦେଇଥିଲେ। ତାହା ପୁଣି ମହିଳା ଓ ଶିଶୁ ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ। ସୁପ୍ରିମୋଙ୍କ ଏହି ନିଷ୍ପତ୍ତି ଜିଲ୍ଲାର ଏକ ବଡ଼ ଗୋଷ୍ଠୀକୁ ନିରାଶ କରିଛି। ଯେଉଁଥି ପାଇଁ ବାସନ୍ତୀଙ୍କୁ କିଛି ବରିଷ୍ଠ ନେତା ଜାଣିଶୁଣି କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି।
ବାସନ୍ତୀଙ୍କୁ ମନ୍ତ୍ରୀପଦ ମିଳିବା ପରେ ସୌଜନ୍ୟ ଦୃଷ୍ଟିରୁ ଜିଲ୍ଲା ସଦର ମହକୁମାରେ ଦଳ ପକ୍ଷରୁ ତାଙ୍କୁ ସାମାନ୍ୟ ସମ୍ବର୍ଦ୍ଧନା ଟିକିଏ ଦିଆ ନଯିବା ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛି। ସେହିପରି ମାସକ ପୂର୍ବେ ଏକ ସରକାରୀ କାର୍ଯ୍ୟକ୍ରମରେ ବାରିପଦା ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ବହୁ ଦଳୀୟ ନେତା ଓ କର୍ମୀ ପହଞ୍ଚି ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିଦିନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଏକ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ବି କୌଣସି ନେତା କି କର୍ମୀ ତାଙ୍କ ପଛରେ ଦେଖିବାକୁ ମିଳି ନଥିଲେ। ତେଣୁ ବାସନ୍ତୀଙ୍କୁ ମନ୍ତ୍ରୀପଦ ପ୍ରଦାନ ନେଇ ସୁପ୍ରିମୋ ନେଇଥିବା ନିଷ୍ପତ୍ତିକୁ ଜିଲ୍ଲାର ନେତା ଓ କର୍ମୀମାନେ ଗ୍ରହଣ ନକରି ଓଲଟା ଚ୍ୟାଲେଞ୍ଜ ଦେଉଥିବା କୁହାଯାଉଛି। ପୂର୍ବରୁ ରାଜ୍ୟସଭାକୁ ମନୋନୀତ ହୋଇଥିବା ସାଂସଦ ମମତା ମହାନ୍ତଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ନେତୃତ୍ବଙ୍କ ହସ୍ତକ୍ଷେପ ପରେ ମମତାଙ୍କୁ ଦଳୀୟ କାର୍ଯ୍ୟକ୍ରମକୁ ଡକାଯାଉଛି।
ଦଳର ମୁଖିଆଙ୍କ ନିଷ୍ପତ୍ତି ଓ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଉଥିବା ନେତା ଓ କର୍ମୀଙ୍କ ପଛରେ କିଏ ଅଛି? କାହା ପ୍ରରୋଚନାରେ ଏମିତି ସ୍ଥିତି ସୃଷ୍ଟି କରାଯାଉଛି ବୋଲି କର୍ମୀ ମହଲରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ ଫୋନ୍ ଉଠାଇ ନଥିଲେ।