ସୁନ୍ଦରଗଡ଼ : ଜଳ ଜୀବନଧାରଣର ଏକ ଅମୃତ ଉପାଦାନ। ଯେଉଁଠି ଜଳ ସେଇଠି ଜୀବନ, ଜନବସତି। କିନ୍ତୁ; ଯେତେବେଳେ ତା’ର ମୃତ୍ୟୁ ହୋଇଯାଏ, ସେତେବେଳେ ଜୀବନ ଆଉ ତିଷ୍ଠି ରହିବା ସମ୍ଭବ ହୋଇ ନଥାଏ। ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଏବେ ସେପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପହଞ୍ଚିଛି। କାରଣ ଅଞ୍ଚଳର ପ୍ରମୁଖ ଜଳଉତ୍ସ ବସୁନ୍ଧରା ଓ ଚତୁର୍ଧାରା ପାଇଁ ମୃତ୍ୟୁର ଡାକରା ଆସିଛି। କୋଇଲାଖଣି ଗର୍ଭରେ ଲୀନହେବାକୁ ଯାଉଛି ଏ ଦୁଇ ଜଳଧାରକ। ଏହାମଧ୍ୟରେ ବସୁନ୍ଧରାର ମଧ୍ୟଭାଗ ଖଣିଗର୍ଭକୁ ଚାଲିଯାଇଛି। ଆଗକୁ ଚତୁର୍ଧାରାର ପାଳି। ହେମଗିର ଓ ଲେଫ୍ରିପଡ଼ା ବ୍ଲକ୍ର ୩୦ରୁ ଅଧିକ ଗାଁର ଜୀବନରେଖା ଏହି ଜଳଉତ୍ସର ଅବଶ୍ୟମ୍ଭାବୀ ମୃତ୍ୟୁ ଏସବୁ ଅଞ୍ଚଳର ଲୋକଙ୍କୁ ଭୀତତ୍ରସ୍ତ କରି ପକାଇଛି।
ବସୁନ୍ଧରା ନଦୀ ତୁମ୍ବିଖୋଲ, ତିଉଁରିଆ, ସୁମରା, ଗଞ୍ଜେଇବୁଡ଼, ଲେବଦାଯୋର, କୁଲାପଡ଼ା, ସରଡେଗା ଦେଇ ଆସିଛି। ଏହି ନଦୀରେ ତୁମ୍ବିଖୋଲ ନାଳ, ଗାଡ଼ଜୋର ନାଳ, ପୋଢ଼ସରା ନାଳ, କୁସୁମ ନାଳ, ଭରପାଏନ ନାଳ, ଚଟାଯୋର ନାଳ ସବୁ ମିଶିଛି। ସେହିପରି ଚତୁର୍ଧାରା ନାଳ ଘୋଘରପାଲି, ରତନପୁର, ରତନସରା, ତେଲେନଡିହି, ନକଟିଦେଉଳ, ବନ୍ଧପତରା, ଗୋପାଳପୁର ଯାଏ ବୋହିଆସିଛି। ଏଥିରେ ମଧ୍ୟ ବଡ଼ଝରିଆ ନାଳ, ପୁଟକାଯୋର ନାଳ, କଳାପାନିଟଙ୍କିଆବର, କଣ୍ଟେଇନାଳ ମିଶିଛି। ବସୁନ୍ଧରା ଓ ଚତୁର୍ଧାରା ମୁଖ୍ୟ ବସୁନ୍ଧରାରେ ସମ୍ମିଶ୍ରଣ ହୋଇଛି। ସେହିଠାରୁ ମୁଖ୍ୟନଦୀ ବସୁନ୍ଧରା ହେମଗିରର ବଲିଙ୍ଗା, କୁଇଁସିରା, ବରପାଲି, ଡୁଡୁକା, ଅଲେଇକେରା ଓ ଲେଫ୍ରିପଡ଼ା ବ୍ଲକ୍ର ରାଏଡିହି, ଦର୍ଲିପାଲି ଦେଇ ଝାରସୁଗୁଡ଼ା ଜିଲ୍ଲା ରାଜପୁରଠାରେ ଇବ୍ନଦୀରେ ମିଶିଛି।
/sambad/media/post_attachments/wp-content/uploads/2022/07/basundhara-fff.jpg)
ବର୍ଷର ସବୁ ସମୟରେ ବସୁନ୍ଧରା ଓ ଚତୁର୍ଧାରା ଉପରେ ଏହାର କୂଳରେ ଥିବା ଗାଁ ସହ ପାର୍ଶ୍ବବର୍ତ୍ତୀ ୩୦ରୁ ଅଧିକ ଗାଁ ଲୋକେ ନିର୍ଭର କରି ଆସୁଥିଲେ। ଚାଷୀଙ୍କ ଜମିକୁ ଜଳସେଚନ ଓ ଲୋକଙ୍କ ତୃଷ୍ଣା ମେଣ୍ଟାଇବାରେ ସକ୍ଷମ ଥିବା ଏ ଦୁଇ ଜଳଉତ୍ସ ସହ ଏସବୁ ଅଞ୍ଚଳବାସୀଙ୍କ ଏକ ସାଂସ୍କୃତିକ ଓ ଭାବଗତ ସମ୍ପର୍କ ରହିଆସିଛି। କିନ୍ତୁ ଏ ସମ୍ପର୍କରେ ଗ୍ରହଣ ଲାଗିଯାଇଛି। ହେମଗିରରେ ଏସିଆର ଦ୍ବିତୀୟ ସର୍ବବୃହତ୍ କୋଇଲା ଖଣି ହେବାପରେ ଏସବୁ ନଦୀନାଳ ସତ୍ତା ହରାଇବାକୁ ବସିଛନ୍ତି। କୋଇଲାଖଣିର ବର୍ଜ୍ୟଜଳ ଓ ଆବର୍ଜନା ସିଧାସଳଖ ବସୁନ୍ଧରା ନଦୀରେ ଛାଡ଼ିଦେବା ଦ୍ବାରା ନଦୀପାଣି କଳାଜହର ପାଲଟିଯାଇଛି। ତେଣୁ ଏ ଜଳ ଆଉ ପାନୀୟଯୋଗ୍ୟ ହୋଇରହିନାହିଁ। ଏପରିକି ଲୋକଙ୍କ ସ୍ନାନଶୌଚ ଓ ଚାଷକାମ ପାଇଁ ମଧ୍ୟ ଏ ପାଣି ଉପଯୋଗ ହୋଇପାରୁନାହିଁ।
ବସୁନ୍ଧରା ପରେ କୋଇଲାଖଣି ଯୋଗୁ ଆଗକୁ ଉପରମୁଣ୍ଡରେ ଥିବା ଚତୁର୍ଧାରା ଓ ଅନ୍ୟ ନାଳ ମଧ୍ୟ ଏପରି ଅକାଳମୃତ୍ୟୁ ଲଭିବା ନିଶ୍ଚିତ। ଏ ସ୍ଥିତିରେ ଅଞ୍ଚଳରେ ଏକ ସୁସ୍ଥ ଜୀବନର ଉତ୍ତରଦାୟିତ୍ବ ନେଇଥିବା ବା ଏଥିପାଇଁ ଚୁକ୍ତି କରିଥିବା ଏମ୍ସିଏଲ୍ ଓ ଅନ୍ୟ କମ୍ପାନି ସବୁ ଏହାକୁ ଆଖି ବୁଜି ଦେଇଛନ୍ତି। ମାଟିତଳୁ ହଜାର ହଜାର କୋଟିର ରାଜସ୍ବ ସଂଗ୍ରହ ହେଉଥିବା ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ଏ ଦୁର୍ଗତି ପ୍ରଶ୍ନବାଚୀ ସୃଷ୍ଟିକରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/b959e6ef-4251-4539-9a00-c0acf34f994b.jpg)