କୁଜଙ୍ଗ ତହସିଲ ‘ବସୁନ୍ଧରା ଜମି ମହାଦୁର୍ନୀତି’: ତହସିଲ୍‌ଦାର, ୪ ଆର୍‌ଆଇ ଗିରଫ

କଟକ, ଜଗତସିଂହପୁର, ଭଦ୍ରକ, ଭୁବନେଶ୍ବରରେ ଭିଜିଲାନ୍ସ ଚଢ଼ଉ
ଅବସରପ୍ରାପ୍ତ ଉପଜିଲ୍ଲାପାଳଙ୍କ ଘରେ ମଧ୍ୟ ଚଢ଼ଉ

ଜଗତସିଂହପୁର/କଟକ/ତିହିଡ଼ି : ବସୁନ୍ଧରା ଯୋଜନାରେ ଜମି ଜାଲିଆତି କରିବା ଘଟଣା ୫ ଜଣ ସରକାରୀ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ୫ ଜଣ ଅଧିକାରୀଙ୍କୁ ଭିଜିଲାନ୍ସ ସେଲ୍ ଗିରଫ କରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଜାଲିଆତି, ହେରଫେର, ଅପରାଧିକ ଆଚରଣ, ଷଡ଼୍‌ଯନ୍ତ୍ର ଭଳି ଅଭିଯୋଗରେ ସେମାନଙ୍କ ବିରୋଧରେ ଆଇପିସିର ଦଫା ୪୬୬, ୪୦୯, ୧୨୦-ବି, ଦୁର୍ନୀତି ନିବାରଣ ଆଇନ- ୨୦୧୮ର ଧାରା ୧୩(୨), ୧୩(୧)(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ ଅନ୍ତର୍ଗତ ପାରାଦୀପ ଗଡ଼ରେ ହିତାଧିକାରୀ ହୋଇ ନଥିବା ବ୍ୟକ୍ତିଙ୍କ ନାମରେ ଜମି କରାଇ ଦେବାଭଳି ଅପରାଧିକ କାର୍ଯ୍ୟରେ ସେମାନେ ସଂପୃକ୍ତ ଥିବା ଭିଜିଲାନ୍ସ ପକ୍ଷରୁ ଦର୍ଶାଯାଇଛି।

ଗିରଫ ହୋଇଥିବା ୫ ଜଣ ହେଉଛନ୍ତି; କୁଜଙ୍ଗର ପୂର୍ବତନ ତହସିଲଦାର ତଥା ତିହଡିର ବର୍ତ୍ତମାନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ତ‌ିର୍ତ୍ତୋଲରେ ଅବସ୍ଥାପିତ ଝିମାଣିର ପୂର୍ବତନ ଆରଆଇ ସନ୍ତୋଷ କୁମାର ମଲ୍ଲିକ, ପାରାଦୀପ ଗଡର ଅବସରପ୍ରାପ୍ତ ଆରଆଇ ପ୍ରଦୀନ ଗିରି, କୁଜଙ୍ଗର ଅବସରପ୍ରାପ୍ତ ଆରଆଇ ସୁବାସ ଚନ୍ଦ୍ର ଦାସ ଓ ବର୍ତ୍ତମାନ ଏରସମାରେ ଅବସ୍ଥାପିତ ପଣ୍ଡୁଆର ପୂର୍ବତନ ଆରଆଇ ଜ୍ୟୋତିଭୂଷଣ ବାରିକ।

ସୂଚନାଯୋଗ୍ୟ ଯେ ଏହି ଦୁର୍ନୀତିକୁ ‘ସମ୍ବାଦ’ ପ୍ରଥମେ ଲୋକଲୋଚନକୁ ଆଣିବା ସହିତ ଏହାକୁ ଏକ ପ୍ରସଙ୍ଗ କରିଥିଲା। ଏଭଳି ଏକ ଦୁର୍ନୀତିକୁ ନେଇ ସାରା ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସୋମବାର ସକାଳୁ ଭିଜିଲାନସ୍‌ ଟିମ୍ ଉପରୋକ୍ତ ୩ ଅଧିକାରୀ, ୨ ପୂର୍ବତନ ଅଧିକାରୀ ଓ ଅବସରପ୍ରାପ୍ତ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଘର, ଅଫିସ ଉପରେ ଏକ ସମୟରେ ଚଢଉ ଆରମ୍ଭ କରିଥିଲା। ଅବସରପ୍ରାପ୍ତ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ କିନ୍ତୁ ଗିରଫ କରାଯାଇନାହିଁ। ଭିଜିଲାନ୍ସ ଟିମ୍ ଭୁବନେଶ୍ବର, କଟକ, ଭଦ୍ରକ ଓ ଜଗତସିଂହପୁର ଅଞ୍ଚଳର ୯ଟି ସ୍ଥାନରେ ଚଢ଼ଉ କରିଥିଲା। ଏହି ଚଢଉରେ ଭିଜିଲାନ୍ସର ୯ଟି ଟିମ୍ ସାମିଲ ହୋଇଥିବା ବେଳେ ସେଥିରେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୧୧ ଡିଏସ୍‌ପି ଓ ୬ ଜଣ ଇନ୍‌ସପେକ୍ଟର ସାମିଲ ହୋଇଥିଲେ। ଭିଜିଲାନ୍‌ସ ସେଲ୍‌ର ୨ ଜଣ ଡିଏସ୍‌ପି, ଜଣେ ଇନ୍‌ସପେକ୍ଟରଙ୍କୁ ନେଇ ଏକ ୧୧ ଜଣିଆ ଟିମ୍ ଭଦ୍ରକ ଜିଲ୍ଲା ତିହିଡି ତହସିଲରେ ପହଞ୍ଚି ଥିଲେ। ଗୋଟିଏ ଟିମ୍‌ ତହସିଲଦାରଙ୍କ ପୈତୃକ ଘର ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ପାନବରଜ ଗାଁକୁ ଯାଇ ସେଠାରୁ ଶ୍ରୀ ପଣ୍ତାଙ୍କୁ ଆଣି ତିହିଡି ତହସିଲ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ତାଙ୍କୁ ପ୍ରାୟ ଅଢ଼େଇ ଘଣ୍ଟା କାଳ ଜେରା କରାଯିବା ପରେ କଟକ ଅଣାଯାଇଥିଲା। ଭିଜିଲାନ୍ସର ଏହି ଗିରଫଦାରୀ ପରେ ଏବେ ଏହି ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି।

ସୂଚନାଯୋଗ୍ୟ ଯେ ଏହି କେଳେଙ୍କାରୀ ସମ୍ପର୍କରେ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ମାମଲାକୁ ଗୁରୁତ୍ବର ସହ ନେଇ ତହସିଲ କାର୍ଯ୍ୟାଳୟର ଜଣେ ଡିଇଓଙ୍କୁ ନିଲମ୍ବିତ କରିଥିଲେ। ପରେ ଅନ୍ୟ ୪ ଜଣ ଆରଆଇଙ୍କୁ ଏଠାରୁ ବଦଳି କରିଥିଲେ। ଜାଲିଆତି ସଂପର୍କରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଚିଠି ମଧ୍ୟ ଲେଖିଥିଲେ। ଫଳରେ ଓଏଏସ୍ ଅଧିକାରୀ ରମେଶ ଚନ୍ଦ୍ର ପଣ୍ତା ଓ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କେନ୍ଦ୍ରାଞ୍ଚଳ ଆରଡିସି ମଧ୍ୟ ଏହି ଘଟଣାରେ ଏକ ବଡ଼ଧରଣର ଜାଲିଆତି ହୋଇଛି ବୋଲି ରିପୋର୍ଟ ଦେଇଥିଲେ। ପୂର୍ବତନ ତହସିଲଦାର ଶ୍ରୀ ପଣ୍ତା ଓ ଅବସରପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ନିଜ କ୍ଷମତାର ଅପବ୍ୟବହାର କରି ଏକ ବଡ଼ ଧରଣର ଜାଲିଆତି କରିଥିବା ଆରଡିସି ତାଙ୍କ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ। ପାରାଦୀପକୁ ନୂଆ ନୂଆ ଶିଳ୍ପ ଆସୁଥିବାରୁ ହଠାତ୍‌ ଜମିର ମୂଲ୍ୟ ଆକାଶଛୁଆଁ ହେଲା। ଫଳରେ ତହସିଲ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଜମି ଦଲାଲମାନେ ସକ୍ରିୟ ହୋଇ ଯାଇଥିଲେ। ବିଭିନ୍ନ କିସମ ଜମିକୁ ବେଆଇନ ଭାବେ ବସୁନ୍ଧରା ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଦେଇଥିଲେ। ତଦନ୍ତକାରୀ ଟିମ୍ ମଧ୍ୟ ବସୁନ୍ଧରା ଯୋଜନାରେ ଜମି ହାତେଇଥିବା ବ୍ୟକ୍ତିମାନଙ୍କୁ ଜଣଜଣ କରି ଭେଟି ତଦନ୍ତ କରିଥିଲେ। ଜିଲ୍ଳାପାଳ ରାଜସ୍ବ ବିଭାଗ ନିକଟରେ ଏହି ତଦନ୍ତ ରିପୋର୍ଟ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର