ମିଳୁନି ମୌଳିକ ସୁବିଧା ସୁଯୋଗ: ଦୁର୍ଦ୍ଦଶା ଭୋଗୁଛନ୍ତି ୬ଟି ଆଦିବାସୀ ଗାଁର ପରିବାର

ଅପହଞ୍ଚ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ, ଗମନାଗମନ

ଦଶପଲ୍ଲା : ପ୍ରଶାସନିକ ଅବ୍ୟବସ୍ଥା ହେଉ କି ରାଜନେତାଙ୍କ ବୈମାତୃକ ମନୋଭାବ ପାଇଁ ଗାଁକୁ ନିର୍ମାଣ ହୋଇପାରୁନି ନିତିଦିନିଆ ରାସ୍ତା। ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପାନୀୟଜଳ କଥା ନ କହିବା ଭଲ। ବଣପାହାଡ଼ ଘେରା ଉପାନ୍ତ କଳସାଖମଣ ପଞ୍ଚାୟତର ଲିଙ୍ଗିରିସାହି, ଶିରିଶାବାଡି, ତଗାପାଜୁ, ମିନାଗାଡ଼ୁ, ବିଡାପାଜୁ ଏବଂ ତଇଳାସାହି ଭଳି ୬ଟି ଆଦିବାସୀ ଗ୍ରାମର ଗ୍ରାମବାସୀ ଏସବୁ ମୈାଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ଏସବୁ ଗ୍ରାମରେ ପାଖାପାଖି ୬ ଶହରୁ ଊର୍ଦ୍ଧ୍ବ ଜନସାଧାରଣ ବସବାସ କରିଥାନ୍ତି। ବର୍ଷବର୍ଷ ଧରି ଗ୍ରାମବାସୀ ମୈାଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବା ବେଳେ ନା କୈାଣସି ପ୍ରଶାସନିକ ଅଧିକାରୀ ନା କୈାଣସି ରାଜନେତାଙ୍କ ଦେଖା ମିଳୁଛି। ୫ ବର୍ଷରେ ଥରେ ନିର୍ବାଚନ ପାଖେଇ ଆସିଲେ ଗାଁରେ ରାଜନେତାଙ୍କ ଭିଡ଼ ଦେଖିବାକୁ ମିଳିଥାଏ। କେବଳ ଗଦାଗଦା ପ୍ରତିଶ୍ରୁତି ମିଳୁଥିବା ବେଳେ ନିର୍ବାଚନ ପରେ ଅଲୋଡ଼ା ହୋଇପଡ଼ନ୍ତି ଏସବୁ ଗ୍ରାମବାସୀ।

ଜୀବିକା କହିଲେ ଗାଁର ଲୋକମାନେ ଚାଷବାସ କରିଥାନ୍ତି। ଗାଁର ପିଲାମାନେ କାମଧନ୍ଦା ଅଭାବରୁ ଦାଦନ ଖଟିବାକୁ ବାହାରକୁ ଯାଇଥାନ୍ତି। ବ୍ଲକ୍‌ କାର୍ଯ୍ୟାଳୟଠାରୁ ପଞ୍ଚାୟତର ଦୂରତା ପ୍ରାୟ ୫୦ କିମି ଦୂର। ସରକାରୀ ଯୋଜନାରୁ ଉପେକ୍ଷିତ ହେଉଥିବା ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଁଠାରୁ ପଞ୍ଚାୟତର ଦୂରତା ପ୍ରାୟ ୭ କିମି। ବର୍ଷର ୮ ମାସ ଯେନେତେନ ଚଳି ଯାଉଥିବା ବେଳେ ବର୍ଷା ୪ ମାସରେ ଯାତାୟାତ ପାଇଁ ବାଧକ ସାଜୁଛି ଠୁକେଇ ନାଳ। ଗାଁକୁ ନିତିଦିନିଆ ରାସ୍ତାଖଣ୍ଡେ ନଥିବା ହେତୁ ବଣପାହାଡ଼ ଡେଇଁ ଭତ୍ତା ଓ ରାସନ ପାଇଁ ପଞ୍ଚାୟତକୁ ଯିବାକୁ ପଡୁଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା କଥା ନ କହିଲେ ଭଲ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ହେଉକି କୁନି କୁନି ଶିଶୁଙ୍କ ପାଇଁ ଏକ ମିନି ଅଙ୍ଗନବାଡ଼ି ସହ ଏକ ବିଦ୍ୟାଳୟ ନିର୍ମାଣ ହୋଇଥିବା ବେଳେ ଦୀର୍ଘ ଦିନ ହେଲା ଏହା ଅଧାଗଢ଼ା ହୋଇ ପଡ଼ିରହିଛି। ମଞ୍ଜୁର ହୋଇଥିବା ଟଙ୍କାକୁ ଠିକାଦାର ଓ ଯନ୍ତ୍ରୀ ମିଶି ଚଳୁ କରି ଦେଇଥିବା ଅଭିଯୋଗ ହେଉଛି। ଫଳରେ ଛାତ୍ରଛାତ୍ରୀମାନେ ଖୋଲା ଆକାଶ ତଳେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟକୁ ଶିକ୍ଷକମାନେ ଠିକ୍ ସମୟରେ ଆସନ୍ତି ନାହିଁ। ଫଳରେ ଶିକ୍ଷକମାନେ ବିଭିନ୍ନ ସମୟରେ ପାଳି କରି ପାଠ ପଢ଼ାଉଥିବା ବେଳେ ଏହାର ତଦାରଖ କରାଯାଉନାହିଁ।

ସେହିଭଳି ଗାଁରେ ପାନୀୟ ଜଳର କୌଣସି ବି ବ୍ୟବସ୍ଥା ନାହିଁ। କେଉଁ ଗ୍ରାମରେ ଗୋଟିଏ ନଳକୂପ ଅଛି ତ ପୁଣି କେଉଁଠି ଗ୍ରାମବାସୀ ପଥର କୂଅକୁ ଭରସା କରିଥାନ୍ତି। ଗ୍ରୀଷ୍ମ ଦିନ ଆସିଲେ କୂଅଗୁଡ଼ିକ ଶୁଖିଲା ପଡ଼ୁଥିବାରୁ ବିଭିନ୍ନ ନାଳ ଓ ଚୂଆରୁ ପାଣି ପିଇବାକୁ ପଡୁଛି। ଅଂଚଳରେ ସ୍ବାସ୍ଥ୍ୟ ବ୍ୟବସ୍ଥା ସଂଗୀନ ହୋଇ ପଡିଛି। ସ୍ବାସ୍ଥ୍ୟସେବାର କୈାଣସି ସୁବିଧା ନଥିବା ହେତୁ କିଏ ଝଡ଼ା ଫୁଙ୍କା ତ ପୁଣି କିଏ ଚେରମୂଳି ଉପରେ ଭରସା କରିଥାନ୍ତି। ଏପରିକି ଉକ୍ତ ଅଂଚଳରେ କିଛି କ୍ବାକ୍‌ ପହଞ୍ଚି ନିମ୍ନମାନର ଔଷଧ ଦେଇ ଶୋଷଣ କରିଥାନ୍ତି। ଫଳରେ ବିଭିନ୍ନ ସମୟରେ ରୋଗୀ ମୃତ୍ୟୁମୁଖରେ ପଡୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏପଟେ ସରକାର ପ୍ରତି ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ଘୋଷଣା କରିଥିବା ବେଳେ ଗାଁର କାହା ବାଡ଼ିରେ ଗୋଟିଏ ବି ପାଇଖାନା ନାହିଁ। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର