ବେଲଗାମ ତୈଳ ଦର : ପେଟ୍ରୋଲର ମୂଳଦର ୩୨ ଟଙ୍କା ୪୫ ପଇସା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ମିଶିଲେ ଛୁଉଁଛି ୯୦

ଭୁବନେଶ୍ୱର: ଲଗାତାର ଭାବେ ସପ୍ତମ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ସୋମବାର ତୈଳ କମ୍ପାନିଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୨୯ ପଇସା ଓ ୩୫ ପଇସା ବୃଦ୍ଧି କରିଛନ୍ତି ।

ଫଳରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୯୫ ଟଙ୍କା ଟପିଯାଇଛି । ରାଜଧାନୀ ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଦର ୮୯ ଟଙ୍କା ୬୮ ପଇସା ରହିଥିବା ବେଳେ, ଡିଜେଲ ୮୬ ଟଙ୍କା ୪୫ ପଇସାରେ ବିକ୍ରି ହେଉଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରାଜଧାନୀ ଭୁବନେଶ୍ୱରରେ ପାଖାପାଖି ୯୦ ଟଙ୍କା ଦେଇ ଆମେ ଯେଉଁ ପେଟ୍ରୋଲ ଓ ଡିଜେଲ କିଣୁଛେ, ତାର ପ୍ରକୃତ ମୁଲ୍ୟ ୩୦ରୁ ୩୫ ଟଙ୍କା । ବାକି ଟଙ୍କା ଟିକସ ବାବଦରେ ନେଉଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ।

ସେହିପରି  ସୋମବାର ଭୁବନେଶ୍ୱରରେ ବିକ୍ରି ହେଉଥିବା ପେଟ୍ରୋଲର ମୌଳିକ ମୂଲ୍ୟ ହେଉଛି ୩୨.୪୩ ଟଙ୍କା । ଏହା ଉପରେ କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି ରହିଛି ୩୨.୯୮ ଟଙ୍କା । ସେହିପରି ରାଜ୍ୟ ସରକାର ୩୨ ପ୍ରତିଶତ ହିସାବରେ ନେଉଛନ୍ତି ଭାଟ, ଯାହା ୨୦.୯୧ ଟଙ୍କା । ତା’ସହ ଡିଲର କମିଶନ ୩.୩୬ ଟଙ୍କା । ଏହିପରି ଲିଟର ପିଛା ଗ୍ରାହକ ଗଣୁଛନ୍ତି ମୋଟ୍ ୮୯ ଟଙ୍କା ୬୮ ପଇସା ।

ସମ୍ବନ୍ଧିତ ଖବର