କେନ୍ଦୁଝର ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପଦ୍ମଶ୍ରୀ ଦୈତାରୀ ନାଏକ: ମହିଳାଙ୍କୁ ଠକିଛି ଚିଟ୍‌ଫଣ୍ଡ ସଂସ୍ଥା ‘ବାତ୍ସଲ୍ୟ’

କେନ୍ଦୁଝର: ବାତ୍ସଲ୍ୟ ଏମ୍ପାୟାର ନାମକ ଏକ ଘରୋଇ ସଂସ୍ଥାର ଠକେଇ ସଂପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ପଦ୍ମଶ୍ରୀ ଦୈତାରୀ ନାଏକ। ଠକେଇର ଶିକାର ହୋଇଥିବା ପଡ଼ୋଶୀ ଶିକୁଳପଦା ଗ୍ରାମର ମହିଳାମାନଙ୍କ ସହିତ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗ ଅନୁସାରେ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତର ଶିକୁଳପଦା ଗ୍ରାମର ମହିଳାମାନଙ୍କୁ ଋଣ ନେବା ପାଇଁ ବାତ୍ସଲ୍ୟ ଏମ୍ପାୟାର ନାମକ ଏକ ଘରୋଇ ସଂସ୍ଥା ବୁଝାଇଥିଲା। ପରେ ଏହି ମହିଳାମାନଙ୍କ ନାମରେ ଅନ୍ନପୂର୍ଣ୍ଣା ଫାଇନାନ୍ସ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ କରାଇ ଦେଇ ବାତ୍ସଲ୍ୟ ଏମ୍ପାୟାରର ମୁଖ୍ୟ ଅଙ୍କିତ କୁମାର ବାରିକ ଏବଂ ତାଙ୍କ ପତ୍ନୀ ତେଜସ୍ବିନୀ ବାରିକ ମୋଟ ୩ଲକ୍ଷ ୪୮ ହଜାର ୬୦୦ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଏହା ବଦଳରେ ସମସ୍ତ ମହିଳାଙ୍କୁ ଗୋଟିଏ ଲେଖାଏଁ ଛେଳି କିଣି ଦେବାକୁ ପ୍ରତିଶ୍ରୁତି ଦେବା ସହିତ ପ୍ରତିମାସରେ ୬ ହଜାର ଟଙ୍କାର ରୋଜଗାର ଲୋଭ ଦେଖାଇଥିଲେ। ଏହା ସହିତ ପ୍ରତିମାସରେ ଋଣର କିସ୍ତି ଦେବାକୁ ବି ପ୍ରତିଶ୍ରୁତି ଦେଇଥିଲା। ଛେଳି ଦେବା ଦୂରର କଥା ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନିର ଋଣ କିସ୍ତି ବି ଦେଇ ନ ଥିଲେ। ଫଳରେ ଗତ କିଛମାସ ହେଲା ଏହି ଫାଇନାନ୍ସ କମ୍ପାନିର କର୍ମଚାରୀ ଋଣଅର୍ଥ ଆଦାୟ ପାଇଁ ଏହି ମହିଳାମାନଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ଏଭଳି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ସେମାନଙ୍କ ଋଣ ଅର୍ଥ କିଭଳି ସୁଝି ହେବ ସେଥିନେଇ ପଦକ୍ଷେପ ନେବା ପାଇଁ ପଦ୍ମଶ୍ରୀ ଦୈତାରୀ ନାଏକ ଆଜି ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକ୍‌ରେ ଏବଂ ଏସ୍‌ପି ମିତ୍ରଭାନୁ ମହାପାତ୍ର ପ୍ରତିଶ୍ରୁତି ଦେବା ପରେ ‌ସେମାନେ ଫେରି ଯାଇଛନ୍ତି। ଏ ସଂପର୍କରେ ପଦ୍ମଶ୍ରୀ ଦୈତାରୀ ନାଏକ କହିଛନ୍ତି, ଆମ ଅଞ୍ଚଳର ମହିଳାମାନଙ୍କୁ ଏକ ସଂସ୍ଥା ଠକିବା ଜାଣିବା ପରେ ସେମାନଙ୍କ ଅଭିଯୋଗ ନେଇ ଜିଲ୍ଲପାଳଙ୍କ ପାଖକୁ ଆସିଥିଲି। ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର