ବ୍ୟାସନଗର : ଗ୍ୟାସ ପାଇପ ଲାଇନ୍ କାମ ପାଇଁ ସହରସାରା ଗଭୀର ଗାତ। ଏବେ ତା’ ଭିତରେ ପୁଣି ପାଣି ଭର୍ତ୍ତି। ଯେକୌଣସି ମୁହୂର୍ତ୍ତରେ ଦୁର୍ଘଟଣାର ଆଶଙ୍କା ରହିଛି। ଗାତ ଖୋଳିଥିବା ଠିକାସଂସ୍ଥା ସଂପୂର୍ଣ୍ଣ ଭାବେ ବେପରବାୟ। ଗ୍ୟାସ ପାଇପ ବିଛାଇବା ନାଁରେ ଠିକାସଂସ୍ଥା ସହରସାରା ବଡ଼ବଡ଼ ଗର୍ତ୍ତ କରି ଜନସାଧାରଣଙ୍କୁ ବିପଦ ମୁହଁକୁ ଠେଲି ଦେଉଛି।
ଗତ ଜୁନ ୨୨ ତାରିଖରେ କୋରାପୁଟ ମାଝିଗୁଡ଼ା ଗାଁରେ ରାସ୍ତାକଡ଼ରେ ୫ ଫୁଟ ଗଭୀର ଖାଲରେ ପଡ଼ି ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ରାସ୍ତା କଡ଼ ଖାଲ ପାଇଁ ବ୍ୟାସନଗରରେ ମଧ୍ୟ ଏଭଳି ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଯାଇ ନପାରେ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗ୍ୟାସ ପାଇପ ଲାଇନ୍ କାର୍ଯ୍ୟ ବିପିସିଏଲ ପକ୍ଷରୁ କରାଯାଉଛି। ସହର ଭିତରେ କାର୍ଯ୍ୟ କରିବା ପାଇଁ ପୌରସଂସ୍ଥା, ପୂର୍ତ୍ତ ବିଭାଗ ଓ ରେଳ ବିଭାଗଠାରୁ ଅନୁମତି ନେଇ ପାଇପ୍ ବିଛାଉଛନ୍ତି ଠିକାସଂସ୍ଥା ଓସୱାଲ ଇନଫ୍ରାଷ୍ଟ୍ରକଚର ଲି. ଓ ଆରିଓ ଇନଫ୍ରାଷ୍ଟ୍ରକଚର। ଓସୱାଲ ଇନଫ୍ରାଷ୍ଟ୍ରକଚର ବେଣାପୁର ଛକରୁ ଦଳାଛକ, ଦଳାଛକରୁ ଚୋରଦା ଛକ, ଚୋରଦା ଛକରୁ କହ୍ନେଇପୁର ଦମକଳ କେନ୍ଦ୍ର ଗୋଲେଇ ଛକ ପର୍ଯ୍ୟନ୍ତ କାର୍ଯ୍ୟ ନେଇଛି। ଆରିଓ ଇନଫ୍ରାଷ୍ଟ୍ରକଚର ଲି. ଦଳାଛକରୁ ଛୋଟରାୟପୁର, ଚୋରଦା ଛକରୁ ମିଲିଟାରି ଛକ ପର୍ଯ୍ୟନ୍ତ କାର୍ଯ୍ୟ ନେଇଛି। ମାଟିତଳେ ପାଇପ ଲାଇନ ବିଛାଉଥିବାରୁ କେଉଁଠି ଲୋକମାନେ ଖୋଳୁଛନ୍ତି ତ କେଉଁଠି ମେସିନ ଲଗାଇ ଖୋଳାହେଉଛି। ସହରର ମୁଖ୍ୟ ରାସ୍ତାକୁ ଖୋଳିତାଡ଼ି ଦେବା ପରେ ମରାମତି କରାଯାଉ ନାହିଁ। ଖାଲକୁ ଆବଦ୍ଧ ମଧ୍ୟ କରାଯାଉ ନାହିଁ। ଅନେକ ସ୍ଥାନରେ ୫ ଫୁଟରୁ ଅଧିକ ଗଭୀର ଖାଲ ମୁକୁଳା ହୋଇପଡ଼ିଛି। ସେଥିରେ ବର୍ଷା ପାଣି ଭରିଯାଇଥିବାରୁ ପଥଚାରୀ ଓ ଦୁଇଚକିଆ ଗାଡ଼ି ଆରୋହୀଙ୍କ ପାଇଁ ମୃତ୍ୟୁଯନ୍ତା ପାଲଟିଛି।
/sambad/media/post_attachments/wp-content/uploads/2022/08/byasangar2-750x430.jpg)
ନିୟମ ଅନୁସାରେ ଗାତ ଖୋଳିବା ପରେ ଚାରି ପାଖକୁ ଆବଦ୍ଧ କରିବା କଥା। କାମ କରିସାରିବା ପରେ ତୁରନ୍ତ ଏହାକୁ ବାଲି ପୋତି କଂକ୍ରିଟ କରିବା କଥା। ଠିକାସଂସ୍ଥା ତାହା ନକରି ଜନଗହଳିପୂର୍ଣ୍ଣ ଛକ ଓ ମୁଖ୍ୟରାସ୍ତା କଡ଼ରେ ଗାତ ଖୋଳି ମୁକୁଳା ଅବସ୍ଥାରେ ଛାଡ଼ି ଚାଲି ଯାଉଛି। ସନ୍ଧ୍ୟାରେ ରାସ୍ତା ଭଲ ଅଛି ରାତି ପହିଲା ବେଳକୁ ସେଠାରେ ବଡ଼ବଡ଼ ଗାତ ହୋଇଥିବା ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ କାର୍ଯ୍ୟକରି କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାଗୁଡ଼ିକୁ ଖିନଭିନ୍ କରିଦିଆଯାଉଛି। ବଡ଼କଥା ହେଉଛି ଏହାଦ୍ବାରା ଅନେକ ଲୋକ ସେମାନଙ୍କ ଘରକୁ ଗାଡି ନେଇ ଯାଇପାରୁ ନାହାନ୍ତି। ଅଧାବାଟରେ ଚିହ୍ନାଜଣା ତଥା ସମ୍ପର୍କୀୟ ଘରେ ଗାଡ଼ି ରଖୁଛନ୍ତି। ସହରସାରା ଚାରି ଆଡେ ଏଭଳି ଖାଲଖମା ନୂଆ ସମସ୍ୟା ସୃଷ୍ଟି କରିଛି। ଖୋଳା ଯାଇଥିବା ଗାତ ଓ ଭାଙ୍ଗି ଯାଇଥିବା ରାସ୍ତାକୁ କିଏ ଏବଂ କେବେ ମରାମତି କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମସ୍ୟାକୁ ନେଇ ଗତ ୨୬ ତାରିଖରେ ସିଭିଲ ସୋସାଇଟି ପକ୍ଷରୁ ଯାଜପୁର ରୋଡ୍ ଥାନାରେ ଅଭିଯୋଗ ହୋଇଥିଲା। ରାସ୍ତା କଡ଼ରେ ଖୋଳା ଯାଇଥିବା ଗାତକୁ ତୁରନ୍ତ ପୋତାଯାଉ ନଚେତ ଚାରିପାଖକୁ ଆବଦ୍ଧ କରାଯାଉ ବୋଲି ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/byasangar.jpg)