ଜଳେଶ୍ୱର/ବସ୍ତା(ସତ୍ୟବ୍ରତ ପ୍ରଧାନ ଓ ରବିନାରାୟଣ ଶତପଥୀ): ୨୦୨୪ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି। ଏଠାରେ ବିଜେଡି ଟିକେଟ୍‌ରୁ ଲଢ଼ିବା ପାଇଁ ଏକାଧିକ ଆଶାୟୀ ଥିବା​ରୁ ଦଳ ପାଇଁ ସମସ୍ୟା ଘନେଇଛି। ସେପଟେ ବିଜେପି ଓ କଂଗ୍ରେସ ଏହାର ଫାଇଦା ନେବା ପାଇଁ ଉଦ୍ୟମ ଚଳାଇଛନ୍ତି।

Advertisment

୧୯୫୧ ମସିହାରେ ଗଠିତ ହୋଇଥିଲା ବସ୍ତା ନିର୍ବାଚନମଣ୍ଡଳୀ। ଏହା ଅଧୀନରେ ବସ୍ତା ବ୍ଲକ୍‌ର ୧୭ଟି ଓ ବାଲିଆପାଳ ବ୍ଲକ୍‌ର ୨୮ଟି ପଞ୍ଚାୟତ ରହିଛି। ୧୯୯୦ ମସିହା ଯାଏ ବସ୍ତା ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଥିଲା। ତେବେ ପରବର୍ତ୍ତୀ ସମୟରେ ଦଳ ହାତରୁ ଖସିଯାଇଥିଲା ଏହି ଆସନ। ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଏଠାରୁ ରେକର୍ଡ ୫ ଥର ବିଜୟୀ ହୋଇଥିଲେ। ଜନତା ଦଳ ଟିକେଟ୍‌ରେ ୨ ଥର ଓ ବିଜେଡି ଟିକେଟ୍‌ରେ ସେ ୩ ଥର ଜିତିଥିଲେ। ତେବେ ବୋହୂ ନିର୍ଯାତନା ମାମଲାରେ ବିବାଦୀୟ ହେବା ପରେ ବିଜେଡି ରଘୁନାଥଙ୍କ ବଦଳରେ ନିତ୍ୟାନନ୍ଦ ସାହୁଙ୍କ ଉପରେ ଆସ୍ଥା ପ୍ରକଟ କଲା। ଫଳରେ ୨୦୧୪ ଓ ୨୦୧୯ ନିର୍ବାଚନରେ ବାଜିମାତ୍‌ କରିଥିଲେ ନିତ୍ୟାନନ୍ଦ। ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ଓ କଂଗ୍ରେସ ପ୍ରାର୍ଥୀ ବିଜନ ନାୟକଙ୍କ ମଧ୍ୟରେ ସିଧାସଳଖ ଟକ୍କର୍‌ ହୋଇଥିଲା। ବିଜେପି ଟିକେଟ୍‌ରେ ନିର୍ବାଚନ ଲଢିଥିବା ରଘୁନାଥ ମହାନ୍ତି ତୃତୀୟ ସ୍ଥାନରେ ରହିଥିଲେ। ତେବେ ଏଥର ନିର୍ବାଚନ ରୋଚକ ହେବ ବୋଲି ଆଶା କରାଯାଉଛି। କାରଣ ବିଜେଡି ଟିକେଟ୍‌ରୁ ଲଢ଼ିବା ପାଇଁ ଏକାଧିକ ଆଶାୟୀ ରହିଛନ୍ତି।

ବର୍ତ୍ତମାନର ବିଧାୟକ ନିତ୍ୟାନନ୍ଦ ଅସୁସ୍ଥ ଥିଲେ ମଧ୍ୟ ସେ ପୁଣି ନିର୍ବାଚନ ଲଢ଼ିବା ପାଇଁ ଆଶାବାଦୀ ଅଛନ୍ତି। ତେବେ ତାଙ୍କୁ ଟିକେଟ୍‌ ନମିଳିଲେ ପୁଅ ଅଞ୍ଜନ ଲବିରେ ରହିବେ। ସେହିପରି ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ତଥା ପ୍ରାକ୍ତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ପତ୍ନୀ ସୁବାସିନୀ ଜେନା, ବାଲିଆପାଳ ବ୍ଲକ୍‌ ୨୧ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ଅଣ୍ଡିଆ, ପୂର୍ବତନ ବସ୍ତା ବ୍ଲକ୍‌ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ବରିଷ୍ଠ ନେତା ମହାଦେବ ଦାସ ମଧ୍ୟ ଦଳୀୟ ଟିକେଟ୍‌ ଆଶାରେ ଅଛନ୍ତି। ଅନ୍ୟପକ୍ଷରେ ରଘୁନାଥ ମହାନ୍ତିଙ୍କୁ ପୁଣି ଦଳକୁ ଫେରାଇ ଆଣି ତାଙ୍କୁ ଟିକେଟ୍‌ ଦେବାକୁ ବିଜେଡିର ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି। ସେହିପରି ୨୦୧୯ ନିର୍ବାଚନ ଲଢ଼ିଥିବା ତଥା ଥରେ ବାଲିଆପାଳ ବ୍ଲକ୍‌ ଅଧ୍ୟକ୍ଷ ହୋଇଥିବା ବିଜନ ନାୟକ ଓ ଜିଲ୍ଲା ସଭାପତି ସଞ୍ଜୀବ ଗିରି କଂଗ୍ରେସ ଟିକେଟ୍‌ ଆଶାରେ ଥିବା ବେଳେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଶ୍ୟାମାପ୍ରସାଦ ବେହେରା ଓ ପୂର୍ବତନ ବିଧାୟକ ଗଦାଧର ଗିରିଙ୍କ ପୁଅ ବିକାଶ ଗିରି ବିଜେପି ଟିକେଟ୍‌ ଆଶାରେ ଥିବା ଚର୍ଚ୍ଚା ହେଉଛି। ଗୋଟିଏ ପଟେ ବିଜେଡି ଟିକେଟ୍‌ରେ ଲଢ଼ିବା ପାଇଁ ଏକାଧିକ ଆଶାୟୀ ଥିବା ବେଳେ ଦଳ କାହା ଉପରେ ମୋହର ମାରିବ ତାରି ଉପରେ ଏବେ ସଭିଁଙ୍କ ନଜର। ଅନ୍ୟପଟେ ବିଜେପି ଓ କଂଗ୍ରେସ ଏହି ଗୋଳିଆ ସ୍ଥିତିରୁ ଫାଇଦା ଉଠାଇ ପାରିବେ କି ନାହିଁ, ତାହା ସମୟ ହିଁ କହିବ।