ଉଦଳା/ଉଦଳା-୧: ଜଙ୍ଗଲ ଭିତରୁ ମିଳିଲା କୁଇଣ୍ଟାଲ୍ କୁଇଣ୍ଟାଲ୍ ପିଡିଏସ୍ ଚାଉଳ। ମୟୂରଭଞ୍ଜ ଜିଲ୍ଲା ଉଦଳାର ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ପୁଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ତେବେ ଖାଉଟିଙ୍କୁ ବଣ୍ଟାଯିବା ଲାଗି ଉଦ୍ଦିଷ୍ଟ ଥିବା ବସ୍ତା ବସ୍ତା ଚାଉଳ ଜଙ୍ଗଲ ଭିତରକୁ ଆସିଲା କେମିତି? ସେ ବାବଦରେ ଯୋଗାଣ ବିଭାଗ କିମ୍ବା ପୁଲିସ କିଛି ଟେର୍ ପାଇନାହିଁ। ରବିବାର ଛୁଟି ଯୋଗୁଁ ଏ ବାବଦରେ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ତେବେ ସ୍ଥାନୀୟ ଅଞ୍ଚଳର ଏକ ରାଇସ୍ ମିଲ୍ରୁ ଚାଉଳ ଚୋରି ପରେ ଜଙ୍ଗଲରେ ଲୁଚାଯାଇଥିବା ସନ୍ଦେହ ଘନୀଭୂତ ହୋଇଛି।
ଆଜି ସକାଳେ ଉଦଳା ଥାନା ବହୁବନ୍ଧ ପଟାସ ଜଙ୍ଗଲକୁ ଗାଁର କେତେକ ଲୋକ ଯିବା ସମୟରେ ଗଛଲତା ଭିତରେ ଅନେକ ଚାଉଳ ବସ୍ତା ରଖାଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଏମିତିକି ରାସ୍ତାକଡ଼ରେ ମଧ୍ୟ କିଛି ଚାଉଳ ବସ୍ତା ପଡ଼ିଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗର ଲୋଗୋ ଥିବା ଉକ୍ତ ବସ୍ତାଗୁଡ଼ିକ ପିଡିଏସ୍ ଚାଉଳ ବୋଲି ଜଣାପଡ଼ିଥିଲା। ଏଥିସହିତ ସେଠାରେ ୨ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଠାବ କରିଥିଲେ ଗ୍ରାମବାସୀ। ଯେଉଁମାନେ ଏକ ବାଇକ୍ରେ ଚାଉଳ ବସ୍ତା ଲଦୁଥିଲେ। ଚାଉଳ ବସ୍ତାଗୁଡ଼ିକ ନିକଟସ୍ଥ ରାଇସ୍ ମିଲ୍ରୁ ଚୋରି କରାଯାଇଥିବା ସନ୍ଦେହ କରି ଗ୍ରାମବାସୀ ସେଠାରୁ ୨୯ଟି ଚାଉଳ ବସ୍ତା ଜବତ କରିଥିଲେ। ଯାହାର ଓଜନ ୧୪.୫ କୁଇଣ୍ଟାଲ୍। ଏଡାଛଡ଼ା ଘଟଣାସ୍ଥଳରୁ ସଂପୃକ୍ତ ୨ ଯୁବକ; ଲକ୍ଷ୍ମୀଧର ପାତ୍ର ଓ ବାଲିଯୋଡ଼ା ଗ୍ରାମର ପଦ୍ମଲୋଚନ ପାତ୍ରଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ। ଏ ସଂକ୍ରାନ୍ତରେ ଉଦଳା ଥାନାରେ କେସ୍ ନଂ ୩୯୬/୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଲକ୍ଷ୍ମୀଧର ଓ ପଦ୍ମଲୋଚନ ଗିରଫ ହୋଇଛନ୍ତି। ଲକ୍ଷ୍ମୀଧର ସ୍ଥାନୀୟ ରାଇସ୍ ମିଲ୍ର ସିକ୍ୟୁରିଟି ଗାର୍ଡ ବୋଲି ଜଣାପଡ଼ିବାରୁ ପୁଲିସ ତାଙ୍କୁ ପଚରାଉଚରା କରୁଛି। ଗତକାଲି ରାତିରେ ଡ୍ୟୁଟି କରୁଥିବା ସମୟରେ ୪ ଜଣ ଯୁବକ ଏକ ପିକ୍ଅପ୍ରେ ଆସି ତାଙ୍କୁ ଛୁରି ଦେଖାଇଥିଲେ ଓ ଚାଉଳ ବସ୍ତା ଲୁଟିନେଇଥିଲେ ବୋଲି ଲକ୍ଷ୍ମୀଧର ବିଭ୍ରାନ୍ତିକର ବୟାନ ଦେଇଛନ୍ତି। ତେବେ ଏହାର ସତ୍ୟତା ସଂପର୍କରେ କିଛି ଜଣାପଡ଼ି ନଥିବା ବେଳେ ପୁଲିସ ଉକ୍ତ ରାଇସ୍ ମିଲ୍କୁ ଯାଇ ଷ୍ଟକ୍ ଯାଞ୍ଚ କରିଛି। ଅନ୍ୟପକ୍ଷରେ ଗ୍ରାମବାସୀ ଚାଉଳ ବସ୍ତାଗୁଡ଼ିକୁ ନିଜ ହେପାଜତରେ ରଖିଛନ୍ତି। ରାଇସ୍ ମିଲ୍ର ଷ୍ଟକ୍ ରିପୋର୍ଟ ଆସିବା ପରେ ସେମାନେ ମାଲିକଙ୍କ ସହ ଆଲୋଚନା କରିବେ ଏବଂ ପ୍ରମାଣ ଦେଖି ପୁଲିସ ଉପସ୍ଥିତିରେ ଚାଉଳ ଫେରାଇବେ ବୋଲି କହିଛନ୍ତି।