ମୋଷ୍ଟଓ୍ୱାଣ୍ଟେଡ୍‌ ମାଓବାଦୀଙ୍କ ସୂଚୀ ଜାରି କଲା ବସ୍ତର ପୁଲିସ

ମାଲକାନଗିରି : ଗତ ପାଞ୍ଚ ଦଶକରୁ ଅଧିକ ସମୟ ଧରି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଶାନ୍ତି ଓ ବିକାଶକୁ ବିରୋଧ କରି ମାଓବାଦୀ ସଂଗଠନ ବହୁ ହିଂସାକାଣ୍ଡ ଘଟାଇଛନ୍ତି। ଛତିଶଗଡ଼ ରାଜ୍ୟ ଗଠନ ଠାରୁ ଆଜି ପର୍ଯ୍ୟନ୍ତ ମାଓ ହିଂସାରେ ୧୮ଶହ ଲୋକଙ୍କ ଜୀବନ ଗଲାଣି। ନଷ୍ଟ ହେବାରେ ଲାଗିଛି ସରକାର ଏବଂ ସାଧାରଣ ଲୋକଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଭଳି ରାଜ୍ୟର ଯୁବକ ଯୁବତୀଙ୍କୁ ନକ୍ସଲ ସଂଗଠନର କ୍ୟାଡର ନକ୍ସଲମାନେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇବା ସହ ସରକାର ବିରୋଧୀ କରିବାରେ ସକ୍ଷମ ହେଉଥିଲେ। ବିଗତ ଦିନରେ ପଥଭ୍ରଷ୍ଟ ହୋଇଥିବା ବହୁ ସ୍ଥାନୀୟ ଯୁବକ ଯୁବତୀ ନକ୍ସଲ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ଭୁଲ୍‌କୁ ସୁଧାରି ପାରିଛନ୍ତି। ତଥାପି ଅଞ୍ଚଳରେ କମିନାହିଁ ମାଓବାଦୀଙ୍କ ଦବଦବା। ବସ୍ତର ଅଞ୍ଚଳରେ ମାଓବାଦୀଙ୍କୁ ଦମନ କରିବା ପାଇଁ ପୁଲିସ ଏବେ ଅଣ୍ଟା ଭିଡ଼ିଛି। ଟପ୍ କ୍ୟାଡର ମାଓବାଦୀଙ୍କୁ ଏବେ ଟାର୍ଗେଟ କରିଛି ପୁଲିସ। ସେମାନଙ୍କର ଏକ ସୂଚୀ ଜନସାଧାରଣଙ୍କ ପାଇଁ ଜାରି କରାଯାଇଛି। ଯଦି କେହି ଏମାନଙ୍କର ବିଷୟରେ ଗୁପ୍ତ ସୂଚନା ଦିଅନ୍ତି ତେବେ ସେମାନଙ୍କୁ ପୁରସ୍କାର ସହ ସେମାନଙ୍କର ନାମ ଗୋପନ ରଖାଯିବ ବୋଲି କୁହାଯାଇଛି।

ମାଓ ସଂଗଠନର ଟପ୍ ନେତାଙ୍କ ସୂଚୀ ମଧ୍ୟରୁ ସଂଗଠନର ମହାସଚିବ ନମ୍ବାଲା କେଶବ ରାଓ ଓରଫ ପ୍ରକାଶ ଓରଫ ଉମେଶ ନାମରେ ସରକାର ଏକକୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ସେହିପରି ସେଣ୍ଟ୍ରାଲ ଟିମର ସଦସ୍ୟ ଗଣପତି ଓରଫ ଲକ୍ଷ୍ମଣ ରାଓ ନାମରେ ଏକକୋଟି, ସୁଦର୍ଶନ ଓରଫ ଆନନ୍ଦ ନାମରେ ଏକକୋଟି, ବେଣୁ ଗୋପାଲ ଓରଫ ବିବେକ ନାମରେ ଏକକୋଟି, ଗଲ୍ଲାପାଲୀ ରେଡ୍ଡୀ ଓରଫ ରାମନ୍ନା ନାମରେ ୪୦ ଲକ୍ଷ ଟଙ୍କା, ସତ୍ୟ ନାରାୟଣ ରେଡ୍ଡୀ ନାମରେ ୪୦ ଲକ୍ଷ, ଚିପ୍ପରି ତିରୁପତି ଓରଫ ସଂଜୀବ ନାମରେ ୪୦ ଲକ୍ଷ ଟଙ୍କା, ରାଜୁ ହରଗୋପାଲ ଓରଫ ସକେତ ନାମରେ ୪୦ ଲକ୍ଷ ଟଙ୍କା, ପୁଲ୍ଲରୀ ପ୍ରସାଦ ରାଓ ଓରଫ ଚନ୍ଦନ୍ନା ନାମରେ ୪୦ ଲକ୍ଷ ଟଙ୍କା, ବାଲକ୍ରିଷ୍ଣା ଓରଫ ବାଲାନ୍ନା ନାମରେ ୪୦ ଲକ୍ଷ ଟଙ୍କା, ଦୀପକ ଓରଫ ଅରୁଣ ଅରଫ ମିଲନ୍ଦ ନାମରେ ୪୦ ଲକ୍ଷ ଟଙ୍କା, ଗଣେଶ ଉଇକେ ନାମରେ ୪୦ ଲକ୍ଷ ଟଙ୍କା, ଗଜରାଲ ରବି ଓରଫ ବଦରୁ ନାମରେ ୪୦ ଲକ୍ଷ ଟଙ୍କା, ହରିଭୂଷଣ ନାମରେ ୨୫ ଲକ୍ଷ ଟଙ୍କା, ହିଡମା, ଭେଙ୍କେଟେସ, ଭାସ୍କର, ପାରନନ୍ଦନ ରେଡ୍ଡୀ, ରାମକ୍ରିଷ୍ଣା, ନାଗଲୁ ଇତ୍ୟାଦିଙ୍କ ନାମରେ ସରକାର ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଏମାନଙ୍କୁ ଯଦି କେହି ଧରାଇବାରେ ସହଯୋଗ କରନ୍ତି ତାହାହେଲେ ସରକାରଙ୍କ ତରଫରୁ ପୁରସ୍କାର ରାଶି ସହ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏଭଳି ପ୍ରାୟ ୩୪ ଜଣ ଟପ୍ ମାଓ ନେତାଙ୍କର ଫଟୋ ସହ ସୂଚୀ ଜାରି କରାଯାଇଛି। ଏମାନେ ଛତିଶଗଡ଼ ସମେତ ମାଲକାନଗିରି, ତେଲେଙ୍ଗାନା ଏବଂ ଆନ୍ଧ୍ର ଅଞ୍ଚଳରେ ଘୂରି ବୁଲୁଛନ୍ତି। ଘଣ୍ଟାକୁ ଘଣ୍ଟାକୁ ଏମାନେ ସ୍ଥାନ ବଦଳାଉ ଥିବାରୁ ଏମାନଙ୍କ ସମ୍ପର୍କରେ ଖବର ସଠିକ ଭାବେ ଜଣା ପଡୁନାହିଁ। ହେଲେ ପୁଲିସ ଏମାନଙ୍କୁ ଜୀବନ୍ତ କିମ୍ବା ମୃତ ଧରିବା ପାଇଁ ପ୍ରତିଜ୍ଞା କରିଛି।

ସମ୍ବନ୍ଧିତ ଖବର