କୈଳାସଚନ୍ଦ୍ର ବେହେରା

ବା​ଲେଶ୍ବର: ରାଜନୈତିକ ଦୃଷ୍ଟିରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀ ସର୍ବଦା ଗୁରୁତ୍ବ ବହନ କରିଆସିଛି। ଏକଦା ଉକ୍ତ ନିର୍ବାଚନମଣ୍ଡଳୀରେ ଓଡ଼ିଶାର ଦୁଇ ପ୍ରଭାବଶାଳୀ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟ ମୁହାଁମୁହିଁ ହୋଇଥିଲେ। ଏହା ରାଜନୀତି ଇତିହାସରେ ସର୍ବଦା ଚିରସ୍ମରଣୀୟ ହୋଇରହିଛି। କେବଳ ସେତିକି ନୁହେଁ, ଏହି ଆସନଟି ରାଉତରାୟ ପରିବାର ହାତରେ ଦୀର୍ଘ ୪୨ ବର୍ଷରୁ ଅଧିକ କାଳ ରହିଥିବା ବେଳେ ଲଗାତର ଭାବେ ୩୩ ବର୍ଷ ରହି ଆସିଲାଣି। ଅନ୍ୟ ରାଜନୈତିକ ଦଳ ଏଠାରୁ ବିଜୟ ପାଇଁ ସବୁ ଉଦ୍ୟମ, କୌଶଳ, ରଣନୀତି ପ୍ରୟୋଗ କରି ଫେଲ୍‌ ମାରିଛନ୍ତି।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁତ୍ର ବିଜୟଶ୍ରୀ ରାଉତରାୟ ୧୯୯୦ରେ ଜନତା ଦଳରୁ ନିର୍ବାଚନ ଲଢି କଂଗ୍ରେସ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ୯,୨୧୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୫ ନିର୍ବାଚନରେ ସେ ଜନତା ଦଳରୁ ପୁଣି ବିଜୟୀ ହୋଇଥିଲେ। ଏଥର ମଧ୍ୟ ସେ ନିଜର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଧର୍ମପତ୍ନୀ ତଥା କଂଗ୍ରେସ ପ୍ରାର୍ଥୀ ମିନାକ୍ଷୀ ନାୟକଙ୍କୁ ମାତ୍ର ୩୫୪ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ। ଏହା ପରେ ରାଜ୍ୟ ରାଜନୀତିରେ ଆସିଲା ପରିବର୍ତ୍ତନ। ଜନତା ଦଳ ଭାଙ୍ଗି ଖଣ୍ଡଖଣ୍ଡ ହୋଇଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ଗଠିତ ହେଲା। ବିଜେଡିରେ ସାମିଲ ହେବା ପରେ ୨୦୦୦ ନିର୍ବାଚନରେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିଲା। ଏଥର ସେ ପୁଣି ମିନାକ୍ଷୀ ନାୟକଙ୍କୁ ୧୩,୧୪୯ ଖଣ୍ଡ ଭୋଟ୍‌ରେ ପରାସ୍ତ କଲେ। ଏମିତି ଭାବେ ଶ୍ରୀ ରାଉତରାୟ ୨୦୦୪, ୨୦୦୯, ୨୦୧୪ ନିର୍ବାଚନରେ ବିଜେଡି ଟିକେଟ୍‌ରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ତେବେ ପୂର୍ବରୁ ୧୯୮୦ ଓ ୧୯୮୫ ନିର୍ବାଚନରେ ବିଜୟଶ୍ରୀଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା। ୧୯୮୦ରେ ଜନତା ଦଳ (ନିରପେକ୍ଷ) ଓ ୧୯୮୫ରେ ସେ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ୨୦୧୯ ନିର୍ବାଚନରେ ତାଙ୍କ ପୁତ୍ର ବିଷ୍ଣୁବ୍ରତ ରାଉତରାୟ ବିଜେଡି ମଙ୍ଗ ଧରିଲେ। ରାଜନୀତିରେ ନବାଗତ ବିଷ୍ଣୁବ୍ରତଙ୍କୁ ଟକ୍କର୍‌ ଦେବାକୁ ଯାଇ କଂଗ୍ରେସ ତାର ଟାଣୁଆ ନେତା ଅଶୋକ ଦାସଙ୍କୁ ଛିଡ଼ା କରିଥିଲା। ହେଲେ ଅଶୋକ ୬୯,୩୮୨ ଭୋଟ୍‌ ପାଇ ହାରି ଯାଇଥିବାବେଳେ ବେଳେ ବିଷ୍ଣୁବ୍ରତ ୭୮,୯୬୩ ଖଣ୍ଡ ଭୋଟ୍‌ ପାଇ ଜିତିଥିଲେ।

ବାସୁଦେବପୁର ବିଧାନସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ୧୯୬୧, ୧୯୭୧ ଓ ୧୯୭୭ ନିର୍ବାଚନରେ ବିଜୟୀ ହୋଇଥିଲେ। ନୀଳମଣିଙ୍କ ରାଜନୈତିକ ଜୀବନକୁ ଦେଖିଲେ, ୧୯୪୮ ମସିହାରେ ସେ ପ୍ରଥମେ ସକ୍ରିୟ ରାଜନୀତିକୁ ପ୍ରବେଶ କରିଥିଲେ। ବାଲେଶ୍ବର-ଦକ୍ଷିଣ ନିର୍ବାଚନ ମଣ୍ଡଳୀର ତତ୍କାଳୀନ ବିଧାୟକ କୈଳାସଚନ୍ଦ୍ର ମହାନ୍ତିଙ୍କ ମୃତ୍ୟୁ ପରେ ଉକ୍ତ ଆସନ ଫାଙ୍କା ପଡ଼ିଥିଲା। ମାତ୍ର ୨୮ ବର୍ଷ ବୟସରେ ଶ୍ରୀ ରାଉତରାୟ ଏଠାରୁ ପ୍ରାର୍ଥୀ ହୋଇ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିଲେ। ସେହିପରି ୧୯୫୨ରେ ଧାମନଗର ଓ ୧୯୫୭ରେ ଚାନ୍ଦବାଲି (ଦ୍ବିତୀୟ) ବିଧାନସଭା ଆସନରୁ ନୀଳମଣି ଗୃହକୁ ନିର୍ବାଚିତ ହୋଇଥିଲେ। ହେଲେ ୧୯୬୭ରେ ବାସୁଦେବପୁର ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ଶ୍ରୀ ରାଉତରାୟ। ଉକ୍ତ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସହିତ ମୁହାଁମୁହିଁ ହୋଇଥିଲେ ନୀଳମଣି। ନିର୍ବାଚନ ବେଶ୍‌ ରୋଚକ ହୋଇଥିବା ବେଳେ ଲୋକପ୍ରିୟତା ସତ୍ତ୍ବେ ନୀଳମଣି ସେହି ନିର୍ବାଚନରେ ୨୦,୫୪୪ ଖଣ୍ଡ ଭୋଟ୍‌ରେ ହାରି ଯାଇଥିଲେ।