ବିଜୟଶ୍ରୀଙ୍କୁ ଝୁରୁଛି ବାସୁଦେବପୁର ମାଟି

ଭଦ୍ରକ : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କର ଏକମାତ୍ର ପୁଅ ଥିଲେ ବିଜୟଶ୍ରୀ। ଛାତ୍ରାବସ୍ଥାରେ ବେଶ ମେଧାବୀ ଥିଲେ ସେ। ରେଭେନ୍‌ସା କଲେଜରୁ ଭୂଗୋଳ ଅନର୍ସରେ ବିଏ ପାସ୍ କରିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୯୭୩ ମସିହାରେ ସେହି ବିଷୟରେ ସ୍ବର୍ଣ୍ଣପଦକ ସହ ଏମ୍‌ଏ ପାସ୍ କରିଥିଲେ। ୧୯୭୪ରେ ରେଭେନ୍‌ସା କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇ ୧୯୮୦ ପର୍ଯ୍ୟନ୍ତ ଅଧ୍ୟାପନା କରିଥିଲେ। ପରେ ସେ ଅଧ୍ୟାପକ ଚାକିରି ଛାଡ଼ି ବାପାଙ୍କ ପଦାଙ୍କ ଅନୁସରଣ କରି ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ ଏବଂ ୧୯୮୦ ମସିହାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର କରି ଜନତା ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ୧୯୮୫ ମସିହାରେ ବି ତାଙ୍କୁ ପରାଜୟର ସାମ୍‌ନା କରିବାକୁ ପଡ଼ିଥିଲା। ହେଲେ ତା ପରଠୁ ଦୀର୍ଘ ୩୦ ବର୍ଷ ଧରି ସେ ସକ୍ରିୟ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିବା ସହ ନିଜକୁ ଅପ୍ରତିଦ୍ବନ୍ଦ୍ବୀ ପ୍ରମାଣିତ କରିଥିଲେ।

ପୈତୃକ ଗାଁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ଓ ବାସୁଦେବପୁର ଅଞ୍ଚଳର ଲୋକଙ୍କ ପାଇଁ ବିଜୟଶ୍ରୀ ଥିଲେ ଏକ ଶ୍ରଦ୍ଧାଶୀଳ ବ୍ୟକ୍ତିତ୍ବ। ନିଜ ନିର୍ବାଚନ ମଣ୍ଡଳୀରେ ବାବୁଲି ବାବୁ ନାମରେ ତାଙ୍କୁ ସଭିଁଏ ଜାଣନ୍ତି। ଧର୍ମପତ୍ନୀ ଡାକ୍ତର ଜ୍ୟୋତି ରାଉତରାୟ, ବଡ଼ପୁଅ ଦୁର୍ଗାଦତ୍ତ, ସାନପୁଅ ବର୍ତ୍ତମାନ ବାସୁଦେବପୁର ବିଧାୟକ ଥିବା ବିଷ୍ଣୁବ୍ରତଙ୍କୁ ନେଇ ତାଙ୍କ ପରିବାର। ନିର୍ବାଚନ ମଣ୍ଡଳୀ ଲୋକଙ୍କ ସହ ରହିଥିଲା ତାଙ୍କର ବେଶ୍ ଆବେଗପୂର୍ଣ୍ଣ ସଂପର୍କ। ପରୋପକାରୀ, ମେଳାପୀ ଓ ବନ୍ଧୁବତ୍ସଳ ଗୁଣ ପାଇଁ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଲୋକ ତାଙ୍କୁ ଭଲ ପାଉଥିଲେ। ଏହାର ବଡ଼ ପ୍ରମାଣ ହେଉଛି ଲଗାତାର ୬ ଥର ବିଧାୟକ ଭାବେ ସେ ନିର୍ବାଚିତ ହେବା। ୧୯୯୦ ଓ ୧୯୯୫ରେ ଜନତା ଦଳ, ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ବିଜେଡିରୁ ପ୍ରାର୍ଥୀ ହୋଇ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ। ୨୦୧୯ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିବା ଏହି ବରିଷ୍ଠ ରାଜନୀତିଜ୍ଞ ବିଭିନ୍ନ ସମୟରେ ସଂସ୍କୃତି ଓ ପର୍ଯ୍ୟଟନ, ଜଙ୍ଗଲ ଓ ପରିବେଶ, ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ। ୨୦୧୯ରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ନିଜ ଆଡୁ ଘୋଷଣା କରି ସାନପୁଅ ବିଷ୍ଣୁବ୍ରତ ରାଉତରାୟଙ୍କ ପାଇଁ ବାଟ ଛାଡ଼ି ଦେଇଥିଲେ।

ବାରମ୍ବାର ନିର୍ବାଚନ ଜିତିବା ଭିତରେ ବାସୁଦେବପୁର ନିର୍ବାଚନମଣ୍ଡଳୀରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି ବିଜୟଶ୍ରୀ। ନିଜ ଅଞ୍ଚଳର ସବୁ ଗାଁକୁ ରାସ୍ତାଘାଟ ନିର୍ମାଣ, ପାନୀୟ ଜଳଯୋଗାଣ, ବିଦ୍ୟୁତକରଣ, ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ସ୍ବାସ୍ଥ୍ୟସେବା, ନଦୀବନ୍ଧ ଯୋଜନା, ଚାଷଜମିକୁ ଜଳସେଚନ, ଉପକୂଳ ଅଞ୍ଚଳରେ ବନି ଜଙ୍ଗଲ ସୃଷ୍ଟି, ବାସୁଦେବପୁରକୁ ଏନ୍‌ଏସି ଓ ଏନ୍‌ଏସିରୁ ପୌରପାଳିକା ଗଠନ କରିବାରେ ତାଙ୍କର ଅବଦାନ ଅନସ୍ବୀକାର୍ଯ୍ୟ। ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳା ଓ ଶିଶୁ ୱାର୍ଡ ପ୍ରତିଷ୍ଠା ମଧ୍ୟ ତାଙ୍କର ଅନ୍ୟ ଏକ ସଫଳତା। ଗୋଟିଏ ବାକ୍ୟରେ କହିବାକୁ ଗଲେ ବାସୁଦେବପୁରର ନବନିର୍ମାତା ଥିଲେ ବିଜୟଶ୍ରୀ। ଆଜି ତାଙ୍କ ନିଧନ ଖବର ଶୁଣିବା ପରେ ସମଗ୍ର ବାସୁଦେବପୁରରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର