ଅଧା ଦାମ୍‌ରେ ଜିନିଷ ପାଇବା ଆଶାରେ ଫସିଗଲେ ଗ୍ରାହକ : କୋଟିଏ ଟଙ୍କା ନେଇ ଠକ ସଂସ୍ଥା ଫେରାର, ଦୋକାନ ଓ ବ୍ୟାଙ୍କ ଆକାଉଣ୍ଟକୁ ସିଲ୍‌ କଲା ପୁଲିସ

ବାସୁଦେବପୁର : ଚିଟ୍‌ଫଣ୍ତ କ୍ଷତ ଲୋକଙ୍କ ମନରୁ ଶୁଖି ନଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ସହରରେ ଏକ ଘରୋଇ ସଂସ୍ଥା ଅଧା ଦାମରେ ଜିନିଷ ଦେବାର ଲୋଭ ଦେଖାଇ ଲୋକଙ୍କଠାରୁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଠକି ନେଇ ରାତାରାତି ଚମ୍ପଟ୍‌ ମାରିଛି।

ଖବରରୁ ଜଣାପଡିଛି, ଆଜିକୁ ମାସକ ତଳେ ଜଣେ ଅଣଓଡ଼ିଆ ବ୍ୟକ୍ତି କେ.ଆରାମ୍ବୁ ଲାବନ୍‌ ବାସୁଦେବପୁର ବ୍ଲକ୍‌ ରୋଡ୍‌ରେ ‘ଦୁର୍ଗା’ ଏଜେନ୍ସି ନାମରେ ଏକ ସ˚ସ୍ଥା ଖୋଲିଥିଲେ। ଯେକୌଣସି କମ୍ପାନିର ସାମଗ୍ରୀ ଅଧାଦାମରେ ଦିଆଯିବ ବୋଲି ଏହି ସଂସ୍ଥା ଘୋଷଣା କରି ସକାଳଠୁ ରାତି ଯାଏ ଡାକବାଜି ଯନ୍ତ୍ରରେ ପ୍ରଚାର କରି ଚାଲିଥିଲା। ଫଳରେ ଉକ୍ତ ସଂସ୍ଥାଠାରୁ ଜିନିଷ ନେବା ପାଇଁ ଦୋକାନରେ ଲୋକମାନଙ୍କର ଭିଡ଼ ଜମିଥିଲା। ପ୍ରଥମ ପର୍ଯ୍ୟାୟରେ ଲୋକମାନେ ଆଗୁଆ ଅର୍ଥ ଦେଇ ମୋବାଇଲ୍‌, ଘଣ୍ଟା ଆଦି ବିଭିନ୍ନ ସାମଗ୍ରୀ ପାଇଥିଲେ। ଅଧାଦାମରେ ଜିନିଷ ନେବା ପରେ ଗାଁଗହଳ‌ିରେ ଏହି ସଂସ୍ଥାର ଆହୁରି ପ୍ରଚାର ‌ହେବା ସହ ଲୋକେ ଭଳି ଯାଇଥିଲେ। ସେପଟେ ପ୍ରବଳ ଭିଡ଼ ଦେଖି ଉକ୍ତ ଘରୋଇ ସଂସ୍ଥା ଗ୍ରାହକମାନଙ୍କଠାରୁ ଆଗୁଆ ଅର୍ଥ ଆଦାୟ କରି ଚାଲିଥିଲା। ଲୋକେ ବି ଅଧା ଦାମରେ ଜିନିଷ ପାଇବାର ଲୋଭ ସମ୍ବରଣ କରିନପାରି ଅଗ୍ରୀମ ଅର୍ଥ ପ‌ୈଠ କରିବାରେ କାର୍ପଣ୍ୟତା କରିନଥିଲେ। ହେଲେ ଏହି ମଉକାରେ ସମସ୍ତଙ୍କୁ ଚକ୍‌ମା ଦେଇଥିଲା ଉକ୍ତ ଠକ ସଂସ୍ଥା। ପାଖପାଖି କୋଟିରୁ ଅଧିକ ଟଙ୍କା ଆଦାୟ କରିବା ପରେ ଗତକାଲି ରାତିରେ ସଂସ୍ଥାର ମୁଖ୍ୟ ଓ କର୍ମଚାରୀ ସହର ଛାଡ଼ି ଚମ୍ପଟ ମାରିଛନ୍ତି। ଆଜି ଜିନିଷ ନେବାକୁ ଆସିଥିବା କିଛି ଲୋକ ଦୋକାନ ବନ୍ଦ ଥିବା ଦେଖି ମାଲିକ ଓ ତାଙ୍କ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ସେତେବେଳକୁ ସମସ୍ତଙ୍କର ମୋବାଇଲ ସୁଇଚ୍‌ ଅଫ୍‌। ଠକାମୀର ଶିକାର ହୋଇଥିବା ଜାଣିବା ପରେ ଲୋକମାନେ ଆଜି ଦିନତମାମ ଦୁର୍ଗା ଏଜେନ୍ସି ଦୋକାନ ସମ୍ମୁଖରେ ହୋହାଲ୍ଲା କରିଥିଲେ। ଖବର ଲେଖାହେବା ବେଳକୁ ଉକ୍ତ ସଂସ୍ଥା ବିରୋଧରେ ପାଖାପାଖି ୨୦ ଜଣ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ପୁଲିସ ଏଜେନ୍ସିର ଦୋକାନ ସହିତ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ କମର୍ସ ବାସୁଦେବପୁର ଶାଖାର ଏକ ଆକାଉଣ୍ଟକୁ ସିଲ୍‌ କରିଛି। ଏଥିସହିତ ସତ୍‌ସଙ୍ଗ ବିହାର ମାର୍ଗରେ ରହୁଥିବା ମାଲିକର ଭଡା ଘରେ ପୁଲିସ ଯାଞ୍ଚ କରିଛି।

ସମ୍ବନ୍ଧିତ ଖବର