ବାସୁଦେବପୁର ବିଜେପିରେ ବିଦ୍ରୋହ, ନେତୃତ୍ବ ବିରୋଧରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ଦୀନବନ୍ଧୁ

ବାସୁଦେବପୁର : ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ରହିଲା। ନାମାଙ୍କନପତ୍ର ଦାଖଲର ସମୟ ବି ସରି ସରି ଆସୁଛି। ହେଲେ ଇତିମଧ୍ୟରେ ଟିକେଟ ବଣ୍ଟାକୁ ନେଇ ବାସୁଦେବପୁର ବିଜେପିରେ ଫାଟ ସୃଷ୍ଟି ହୋଇଛି। କିଛିଦିନ ତଳେ କ˚ଗ୍ରେସ ଛାଡି ପଦ୍ମ ପୋଖରୀକୁ ଡେଇଁଥିବା ମାଧବାନନ୍ଦ ମଲ୍ଲିକଙ୍କ ଉପରେ ବିଜେପି ଶୀର୍ଷ ନେତୃତ୍ବ ଆସ୍ଥା ପ୍ରକଟ କରି ଟିକେଟ ଦେଇଛନ୍ତି। ଟିକେଟ ପାଇ ମାଧବାନନ୍ଦ ଦଳର ପ୍ରଚାର ଜୋରଦାର କରିଥିବା ବେଳେ ଏପଟେ ଦଳ ମଧ୍ୟରେ ବିଦ୍ରୋହ ଆଡକୁ ମୁହାଁଇଛି। ଦୀର୍ଘଦିନ ଧରି ବିଜେପିର ଦୁର୍ଦିନ ସମୟରେ ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ଦଳର ମଙ୍ଗ ଧରି ଆସିଥିବା ଦୀନବନ୍ଧୁ ପତିଙ୍କ ପ୍ରତି ଦଳ ବିଶ୍ବାସଘାତକତା କରିଛି ବୋଲି ଅଭିଯୋଗ ଆଣିଥିବ‌ାବେଳେ ଟିକେଟ ବଣ୍ଟନରେ ସା˚ଘାତିକ ଖେଳକୁ କର୍ମୀମାନେ ବି ହଜମ କରିପାରି ନାହାନ୍ତି। କିଛି ଦିନ ଧରି ଥରକୁ ଥର ଶ୍ରୀ ପତିଙ୍କ ସମେତ ଶତାଧିକ ଆଗଧାଡିର ବିଜେପି କର୍ମୀ ଦଳୀୟ ହାଇକମାଣ୍ତଙ୍କୁ ବିରୋଧ କରିବା ସହ ନିଷ୍ପତ୍ତି ବଦଳାଇବାକୁ ବାରମ୍ବାର ଚାପ ପକାଇ ଆସୁଛନ୍ତି। ଗତ ଶୁକ୍ରବାର ଶ୍ରୀ ପତିଙ୍କ ସମେତ ସମର୍ଥକଙ୍କ ପକ୍ଷରୁ ଆୟୋଜିତ ବୈଠକରେ ଆଗଧାଡିର ବିଜେପି କର୍ମୀଙ୍କ ସମେତ କେତେକ ମଣ୍ତଳ ସଭାପତିମାନେ ଯୋଗ ଦେଇଥିଲେ। ସମର୍ଥକମାନେ ନିଜ ନିଜର ମତ ରଖି କହିଛନ୍ତିି ଯେ, ଦଳର ନୀତି ଆଦର୍ଶ, ଶୃଙ୍ଖଳା ଜଣା ନ ଥିବା ନେତାଙ୍କୁ ରାଜ୍ୟର ନେତୃବୃନ୍ଦ ଟିକେଇ ଧରାଇ ଦେଇଛନ୍ତି। ଯାହାର ପରିଣାମ ଆସନ୍ତା ନିର୍ବାଚନରେ ପ୍ରତିଫଳିତ ହେବ। କେହି କେହି ଶ୍ରୀ ପତିଙ୍କୁ ସ୍ବାଧୀନ ଭାବେ ଲଢିବାକୁ ଆହ୍ବାନ କରିଥିବା ବେଳେ ଆଉ କେହି କେହି ନେତୃତ୍ବକୁ ସହଯୋଗ ନ କରିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଉପସ୍ଥିତ ଥିବା ଶତାଧିକ ସମର୍ଥକଙ୍କ ପ୍ରସ୍ତାବକୁ ପାଥେୟ କରି ଆସନ୍ତା ଦୁଇ ଦିନ ମଧ୍ୟରେ ବଡ ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର