ଗୋଟେ ସରିନି, ଆଉ ଗୋଟେ ଆରମ୍ଭ; ଅଧାବାଟରେ ଅଟକିଛି ବସୁଧା, ଷ୍ଟାଣ୍ଡପ‌ୋଷ୍ଟ ଅଛି ହେଲେ ପାଣି ଆସୁନି

ଓଭରହେଡ୍‌ ଟ୍ୟାଙ୍କ୍‌ କାମ ଅଧପନ୍ତରିଆ

ରାଉରକେଲା: ଗ୍ରାମାଞ୍ଚଳରେ ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ଶୁଦ୍ଧ ପାନୀୟ ଜଳ ଯ‌ୋଗାଇଦେବାକୁ ରାଜ୍ୟ ସରକାରଙ୍କ ଆରମ୍ଭ କରିଛନ୍ତି ‘ବସୁଧା’ ଯୋଜନା। ବିଭାଗୀୟ ଅଧିକାରୀଙ୍କ ଅବହେଳା, ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅଧିକାଂଶ ସ୍ଥାନରେ ଫେଲ୍‌ ମାରିଛି ବସୁଧା ପ୍ରକଳ୍ପ। କିଛି ବ୍ଲକରେ ଅଧାବାଟରେ ଅଟକିଛି। ଜିଲ୍ଲାରେ ଗୋଟିଏ କି ଦୁଇଟି ବ୍ଲକ ନୁହେଁ ଅଧିକାଂଶ ବ୍ଲକରେ ସମାନ ସ୍ଥିତି। କେଉଁଠି ଲକ୍ଷ ଲକ୍ଷ ଟଙ୍କାର ବ୍ୟୟରେ ନିର୍ମାଣ ହୋଇଥିବା ଓଭରହେଡ୍‌ ପାଣି ଟାଙ୍କି ଅଧନ୍ତରିଆ । ଅନ୍ୟ କେଉଁଠି ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ କାମ ସରିଥିଲେ ହେଁ ହେଉନି କାର୍ଯ୍ୟକ୍ଷମ ‌। ପୁଣି ଆଉ କେଉଁଠି ଘରକୁ ପାଇପ ସଂଯୋଗ ହୋଇ ନାହିଁ। ଷ୍ଟାଣ୍ଡ ପୋଷ୍ଟ ଅଛି କିନ୍ତୁ ପାଣି ଆସୁନି। ମରାମତି ଅଭାବରୁ ଅନେକ ସ୍ଥାନରେ ମାସ ମାସ ଧରି ପାଣି ଆସୁନି। ଏଭଳି ଅସୁବିଧା ପାଇଁ ସ୍ଥାନୀୟବାସିନ୍ଦା ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପରିମଳ ଯୋଜନା (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ର ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି।

ସୁନ୍ଦରଗଡ ଜିଲ୍ଲାର ନୂଆଗାଁ ବ୍ଲକକୁ ଉଦାହରଣ ଭାବେ ନିଆଯାଇପାରେ। ବ୍ଲକର ରହିଛି ମୋଟ ୨୦ଟି ପଞ୍ଚାୟତ। ଅଧିକାଂଶ ପଞ୍ଚାୟତରେ ବସୁଧା ପ୍ରକଳ୍ପର ସ୍ଥିତିକୁ କିନ୍ତୁ ସଙ୍ଗିନ୍। ପ୍ରତ୍ୟେକ ଓଭରହେଡ୍‌ ପାଣି ଟାଙ୍କି ପାଇଁ ଜଳଧାରଣ କ୍ଷମତା ଅନୁଯାୟୀ ୭ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ବର୍ଷ ବର୍ଷ ଧରି କାମ ଚାଲୁଛି କିନ୍ତୁ ଲୋକଙ୍କ କାମରେ ଆସୁନି। ସୋରଡା ପଞ୍ଚାୟତ ପ୍ରାୟ ୫୦୦ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ‌ଯୋଗାଣ ହେଉଛି। ନିମ୍ନମାନର କାମ ଯୋଗୁଁ ଅଧିକାଂଶ ସମୟରେ ପାଣି ଯୋଗାଣ ହେଇ ପାରୁନି। ମାସରେ ପ୍ରାୟ ୮ରୁ ୧୦ ଦିନ ଲୋକଙ୍କ ଘରକୁ ପାଣି ଆସୁନି।

ପାଣି ଯୋଗାଣ ପାଇଁ ପଞ୍ଚାୟତ ସ୍ତରରେ ଗଠନ କମିଟି ଥରେ କି ଦୁଇ ଥର ନୁହେଁ ଅନେକ ବାର ଆର୍‌ଡବ୍ଲ୍ୟୁଡବ୍ଲ୍ୟୁଏସ୍‌ର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ବିଭାଗୀୟ ଅଧିକାରୀ ଆଜି କାଲି କହି ଦିନ ପରେ ଦିନ ଗଡାଇ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳର ବାସୁଦେବ ସାହୁ। ସେ କହିଛନ୍ତି ସରକାର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରିଥ‌ିଲେ, ତାହା ଫଳପ୍ରଦ ହେଉନି। ବାରିଲେପ୍‌ଟା ପଞ୍ଚାୟତରେ ସେହି ସମାନ ସମସ୍ୟା। ବସ୍ତିର ଅନୀଲ ଏକ୍କା କହିଛନ୍ତି ଷ୍ଟାଣ୍ଡପୋଷ୍ଟ ଅଛି କିନ୍ତୁ ପାଣି ଆସୁନି। ଅଚଳ ହେଲେ କେହି ଧ୍ୟାନ ଦେଉ ନାହାନ୍ତି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଭିତିରି ସୁତୁରାରେ ସବୁକିଛି ଚାଲିଛି। ପ୍ରକଳ୍ପ ପାଇଁ ମଞ୍ଜୁର ହେଉଥିବା ଅର୍ଥର ସଠିକ୍‌ ବିନିଯୋଗ ହେଉ ନାହିଁ। ଦୁର୍ନୀତିର ଗନ୍ଧ ବାହାରୁଛି। ତଦନ୍ତ ହେବାର ଆବଶ୍ୟକତା ରହିଛି।

ନୂଆଗାଁ ବ୍ଲକରେ ଅଧିକାଂଶ ସ୍ଥାନରେ ପାଇପ୍‌ ଫାଟି ରାସ୍ତାରେ ପାଣି ଭାସୁଛି। କୋକେରମା ପଞ୍ଚାୟତରେ କାମ ଅଧନ୍ତରିଆ ହୋଇ ପଡିଛି। ଲିମ୍‌ଡା ପଞ୍ଚାୟତରେ ଅଦ୍ୟାବଧି କାମ ଆରମ୍ଭ ହୋଇନି। ବାଗଡେଗା ପଞ୍ଚାୟତ ପାଇପ୍‌ ବିଛା କାମ ଚାଲିଛି। କେବେ ସରିବ କାହା ପାଖରେ ଉତ୍ତର ନାହିଁ। ତେତେରକେଲା ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଅଧିକାଂଶ ବସ୍ତିକୁ ପାନୀୟ ଜଳ ଯୋଗାଣ ହୋଇ ନାହିଁ। ହାତୀବାରି, ବଡ ଯୋଜଦା ପଞ୍ଚାୟତରେ ଘରକୁ ଘର ପାଇପ ଜଳ ‌‌ଯୋଗାଣ ହେଉନି। ଉର୍ମେଇ ପଞ୍ଚାୟତରେ କେବଳ ଷ୍ଟାଣ୍ଡପୋଷ୍ଟ ବସିଛି, କେବେ ଘରକୁ ପାଇପ୍‌ ସଂଯୋଗ କେହି କହି ପାରୁ ନାହାନ୍ତି। କନ୍ଦରକେଲା ପଞ୍ଚାୟତରେ ବି ଅନୁରୂପ ସମସ୍ୟା ଉପୁଜିଛି। ଘରକୁ ପାଇପ ଯୋଗାଣ ନାହିଁ କିନ୍ତୁ ଷ୍ଟାଣ୍ଡପୋଷ୍ଟ ବସିଛି। କେତେବେଳେ ପାଣି ଆସୁଛି ତ ଅନ୍ୟ କେତେବେଳେ ନାହିଁ। ସେପଟେ ବସୁଧା ପ୍ରକଳ୍ପ କାମ ସରିନି ପୁଣି ଆରମ୍ଭ ହେବାକୁ ଯାଉଛି ‘ଜଳ ଜୀବନ ମିଶନ’। ବ୍ଳକରେ ଗୋଟିଏ ପ୍ରକଳ୍ପ ଆଣ୍ଠେଇ ଥିବାବେଳେ ଅନ୍ୟ ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ।

ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ଅଳକା ଜେନା କହିଛନ୍ତି ଲୋକ ଅଭିଯୋଗ ମିଳିବା ମାତ୍ରେ ତୁରନ୍ତ ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ ୪ଟି ବ୍ଲକରେ ‘ ଜଳ ଜୀବନ ମିଶନ’ ପ୍ରକଳ୍ପ କାମ ଆରମ୍ଭ ହେବାକୁ ଯାଉଛି। ଡିଜାଇନ୍‌ ଓ ନକ୍ସ ପ୍ରସ୍ତୁତ ହୋଇ ସାରିଛି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ପ୍ରକଳ୍ପ ପିଛା ୨୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତେବେ ଜେଇଙ୍କ କହିବାନୁଯାୟୀ ଅଧାବାଟରେ ଅଟକି ଥିବା ‘ବସୁଧା’ ପ୍ରକଳ୍ପ ପରେ ‘ଜଳ ଜୀବନ ମିଶନ’ ପ୍ରକଳ୍ପ କେବେ ଲୋକଙ୍କୁ କାମରେ ଆସୁଛି, ତା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର