ରାଉରକେଲା: କେବଳ ନଳକୂପ ନୂହେଁ ତ୍ରୁଟିପୂର୍ଣ୍ଣ କାମ ଯୋଗୁଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ବସୁଧା’ଯୋଜନା ଲୋକଙ୍କ କାମରେ ଆସୁନି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ପରିଯୋଜନା (ଆର୍ଡବ୍ଲ୍ୟୁଏସ୍ଏସ୍) ବିଭାଗର ବିଭାଗୀୟ ଅଧିକାରୀଙ୍କ ଅବହେଳା, ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅଧିକାଂଶ ସ୍ଥାନରେ ଫେଲ୍ ମାରିଛି ବସୁଧା ପ୍ରକଳ୍ପ। କିଛି ବ୍ଲକ୍ରେ ଅଧାବାଟରେ ଅଟକିଛି। କିଛି ସ୍ଥାନରେ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ନିମ୍ନମାନର କାମ ଯୋଗୁଁ ଅଧିକାଂଶ ସମୟରେ ଅଚଳ ହୋଇ ପଡୁଛି। ଏମିତି ସ୍ଥିତି ଉପୁଜିଛି ସୁନ୍ଦରଗଡ ନୂଆଗାଁ ବ୍ଲକରେ।
ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଏବେ ନୂଆଗାଁ ବ୍ଲକର କେତେକ ବସ୍ତି ତଥା ପରିବାର ଲୋକଙ୍କୁ ପାନୀୟ ଜଳ ଯୋଗାଣ ଅନ୍ତରାୟ ସୃଷ୍ଟି କରିଛି। ଦୀର୍ଘ ୮/୧୦ ବର୍ଷ ତଳେ ନିର୍ମିତ ଓଭରହେଡ ଟ୍ୟାଙ୍କରୁ ଅଧିକାଂଶ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ନୂଆଗାଁ ଫାଣ୍ଡି ନିକଟରେ ନିର୍ମାଣ ହୋଇଥିବା ଓଭରହେଡ ଟ୍ୟାଙ୍କରୁ ନୂଆଗାଁ, ତଳବସ୍ତି, ତେଲି ବସ୍ତି, ଉପରଟୋଲି, ଚମନ ବସ୍ତିକୁ ପାଇପ ସଂଯୋଗ ହୋଇଛି। ହେଲେ କାହା ଘରକୁ ପାଣି ଯାଉଛି ତ, ଅନ୍ୟ କାହା ଘରକୁ ପାଣି ଯାଉନି। ନୂଆଗାଁ ଗୁଆଲା ଖଟାଲ ବସ୍ତିକୁ ପାଇପ ସଂଯୋଗ ହୋଇଛି। ଜଳ ଯୋଗାଣ ହେବା ଦିନରୁ ବସ୍ତିକୁ ପାଣି ବୁନ୍ଦାଏ ଯାଇନି। ବଣିଆ ବସ୍ତି ପର୍ଯ୍ୟନ୍ତ ପାଇପ ବିଛା ହୋଇ ପାରି ନାହିଁ। ଏସଂକ୍ରାନ୍ତରେ ସ୍ଥାନୀୟ ଲୋକ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। କିନ୍ତୁ କେହି ସେମାନଙ୍କ କଥା ଶୁଣୁ ନାହାନ୍ତି।
ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ଯୋଜନା ଠିକା ସଂସ୍ଥା ଦ୍ବାରା କାମ ସାରି ଦେଇଛି। ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପଞ୍ଚାୟତର ଅଧିକାରୀ ବି ଚୁପ୍। ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକା ସଂସ୍ଥାର ନିମ୍ନମାନର କାମ ଯୋଗୁଁ ବସୁଧା ଯୋଜନା ପ୍ରକଳ୍ପ ଲୋକଙ୍କ କାମରେ ଆସୁନି। ନୂଆଗାଁ ଗୋଟିଏ ସ୍ଥାନରେ ଯେଉଁ ପଞ୍ଚାୟତର ଓଭରହେଡ୍ ଟ୍ୟାଙ୍କ ନିର୍ମାଣ ହୋଇଛି, ପ୍ରାୟ ସବୁଠି ସମାନ ସମସ୍ୟା ଦେଖାଦେଇଥିବା ବାରମ୍ବାର ଲୋକ ଅଭିଯୋଗ କରୁଛନ୍ତି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଭିତିରି ସୁତୁରାରେ ସବୁକିଛି ଚାଲିଛି। ପ୍ରକଳ୍ପ ପାଇଁ ମଞ୍ଜୁର ହେଉଥିବା ଅର୍ଥର ସଠିକ୍ ବିନିଯୋଗ ହେଉ ନାହିଁ। ଦୁର୍ନୀତିର ଗନ୍ଧ ବାହାରୁଛି। ତଦନ୍ତ ହେବାର ଆବଶ୍ୟକତା ରହିଛି। ନୂଆଗାଁ ବ୍ଲକରେ ଅଧିକାଂଶ ସ୍ଥାନରେ ପାଇପ୍ ଫାଟି ରାସ୍ତାରେ ପାଣି ଭାସୁଛି। କୋକେରମା ପଞ୍ଚାୟତରେ କାମ ଅଧନ୍ତରିଆ ହୋଇ ପଡିଛି। ଲିମ୍ଡା ପଞ୍ଚାୟତରେ ଅଦ୍ୟାବଧି କାମ ଆରମ୍ଭ ହୋଇନି। ବାଗଡେଗା ପଞ୍ଚାୟତ ପାଇପ୍ ବିଛା କାମ ଚାଲିଛି। କେବେ ସରିବ କାହା ପାଖରେ ଉତ୍ତର ନାହିଁ। ତେତେରକେଲା ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଅଧିକାଂଶ ବସ୍ତିକୁ ପାନୀୟ ଜଳ ଯୋଗାଣ ହୋଇ ନାହିଁ। ହାତୀବାରି, ବଡ ଯୋଜଦା ପଞ୍ଚାୟତରେ ଘରକୁ ଘର ପାଇପ ଜଳ ଯୋଗାଣ ହେଉନି। ଉର୍ମେଇ ପଞ୍ଚାୟତରେ କେବଳ ଷ୍ଟାଣ୍ଡପୋଷ୍ଟ ବସିଛି, କେବେ ଘରକୁ ପାଇପ୍ ସଂଯୋଗ କେହି କହି ପାରୁ ନାହାନ୍ତି। କନ୍ଦରକେଲା ପଞ୍ଚାୟତରେ ବି ଅନୁରୂପ ସମସ୍ୟା ଉପୁଜିଛି। ଘରକୁ ପାଇପ ଯୋଗାଣ ନାହିଁ କିନ୍ତୁ ଷ୍ଟାଣ୍ଡପୋଷ୍ଟ ବସିଛି। କେତେବେଳେ ପାଣି ଆସୁଛି ତ ଅନ୍ୟ କେତେବେଳେ ନାହିଁ।
ସେପଟେ ବସୁଧା ପ୍ରକଳ୍ପ କାମ ସରିନି ପୁଣି ଆରମ୍ଭ ହେବାକୁ ଯାଉଛି ‘ଜଳ ଜୀବନ ମିଶନ’। ବ୍ଳକରେ ଗୋଟିଏ ପ୍ରକଳ୍ପ ଆଣ୍ଠେଇ ଥିବାବେଳେ ଅନ୍ୟ ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ। ବସୁଧା ପ୍ରକଳ୍ପ ପରେ ୪ଟି ବ୍ଲକରେ ‘ ଜଳ ଜୀବନ ମିଶନ’ ପ୍ରକଳ୍ପ କାମ ଆରମ୍ଭ ହେବାକୁ ଯାଉଛି। କୁଆଡେ ଡିଜାଇନ୍ ଓ ନକ୍ସ ପ୍ରସ୍ତୁତ ହୋଇ ସାରିଛି। ଖୁବ୍ ଶୀଘ୍ର କାମ ଆରମ୍ଭ ହେବ। ପ୍ରକଳ୍ପ ପିଛା ୨୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଜୈନିକ ଜେଇଙ୍କ କହିବାନୁଯାୟୀ ଅଧାବାଟରେ ଅଟକି ଥିବା ‘ବସୁଧା’ ପ୍ରକଳ୍ପ ପରେ ‘ଜଳ ଜୀବନ ମିଶନ’ ପ୍ରକଳ୍ପ କେବେ ଲୋକଙ୍କୁ କାମରେ ଆସୁଛି, ତା ଉପରେ ସମସ୍ତଙ୍କ ନଜର ରହିଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/basudha.jpg)